T20 World Cup: ଆସିଲା ICCର ବଡ ନିଷ୍ପତ୍ତି, ବଦଳିଲା ସେମି ଫାଇନାଲ୍‌ ଏବଂ ଫାଇନାଲ୍‌ର ନିୟମ, ଜାଣନ୍ତୁ...

 

ଓଡ଼ିଆ ଗସିପ ବ୍ୟୁରୋ: ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ନିୟମରେ ବଡ ପରିବର୍ତ୍ତନ କଲା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) । ସେମି ଫାଇନାଲ୍ ଏବଂ ଫାଇନାଲ୍‌ ମ୍ୟାଚ୍‌ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚ୍ ବାଧାପ୍ରାପ୍ତ ହୁଏ ତେବେ ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ତେବେ ଲାଗୁ ହେବ ଯେବେ ଦୁଇ ଦଳ ସର୍ବନିମ୍ନ ୧୦-୧୦ ଓଭର ଖେଳି ସାରିଥିବେ ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଟି-୨୦ରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଲେ ସର୍ବନିମ୍ନ ୫-୫ ଓଭର ଖେଳ ପରେ ହିଁ ଡକ୍ ଓ୍ଵର୍ଥ ଲୁଇସ୍ ନିୟମ ଆଧାରରେ ମ୍ୟାଚ୍‌ର ଫଳାଫଳ ଘୋଷଣା କରାଯାଏ ।

ପ୍ଲେ ଅଫ ମୁକାବିଲାରେ ରହିବ ରିଜର୍ଭ ଡେ:

ଟି-୨୦ ବିଶ୍ଵ କପ୍‌ରେ ଏଥର ସେମି ଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍‌ ପାଇଁ ରିଜର୍ଭ ଡେ ରଖାଯାଇଛି । ଯଦି ବର୍ଷା କାରଣରୁ ସେମି ଫାଇନାଲ୍ କିମ୍ବା ଫାଇନାଲ୍ ମ୍ୟାଚ୍‌ରେ ଦୁଇ ଦଳ ସର୍ବନିମ୍ନ ୧୦-୧୦ ଓଭର ଖେଳିନଥିବେ ତେବେ ସେହି ସ୍ଥିତିରେ ରିଜର୍ଭ ଡେର ସାହାରା ନିଆଯିବ ।

ଏଥିସହ ସେମି ଫାଇନାଲ୍‌ ମୁକାବିଲାରେ ଯଦି ବର୍ଷା କାରଣରୁ ଫଳାଫଳ ନବାହାରେ ତେବେ ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ଥିବା ଦଳ ଫାଇନାଲ୍‌ରେ ପହଞ୍ଚିବ ।

ଯଦି ମ୍ୟାଚ୍ ବାତିଲ ହୁଏ:

ଯଦି ଫାଇନାଲ୍ ମ୍ୟାଚ୍‌ ବର୍ଷାରେ ଧୋଇ ହୋଇଯାଏ ତେବେ ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ୨୦୦୨ର ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏବଂ ଶ୍ରୀଲଙ୍କା ଯୁଗ୍ମ ବିଜେତା ରହିଥିଲେ ।

ଟି-୨୦ ବିଶ୍ଵ କପ୍ ୨୦୨୨ର ପ୍ରଥମ ସେମି ଫାଇନାଲ୍‌ ମ୍ୟାଚ୍ ସିଡନୀରେ ନଭେମ୍ବର ୯ ତାରିଖରେ ଖେଳାଯିବ । ଦ୍ଵିତୀୟ ସେମି ଫାଇନାଲ୍ ନଭେମ୍ବର ୧୦ରେ ଆଡିଲେଡ୍‌ରେ ଖେଳାଯିବ । ଫାଇନାଲ୍‌ ମ୍ୟାଚ୍‌ ନଭେମ୍ବର ୧୩ରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ।