କିଏ ଜିତିବ ବିହାର ଗାଦି? ନୀତିଶ ନଟ୍ ଆଉଟ ନା ତେଜ୍ ଦେଖାଇବେ ତେଜସ୍ୱୀ

 

ଓଡ଼ିଆ ଗସିପ୍ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ଅନ୍ତିମ ପର୍ଯ୍ୟାୟ ଭୋଟଦାନ । ୧୬ଟି ଜିଲ୍ଳାର ୭୮ଟି ବିଧାନସଭା ଆସନରେ ଲଢୁଥିବା ପ୍ରାର୍ଥୀଙ୍କୁ ମତଦାନ କରିଛନ୍ତି ଭୋଟର  । ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନରେ ସବୁ ରାଜନୈତିକ ଦଳ ସର୍ବାଧିକ ଜନମତ ମିଳିବ ବୋଲି ଆଶା ରଖିଛନ୍ତି ଆଶାୟୀ ପ୍ରାର୍ଥୀ ।

ଏହି ଶେଷ ପର୍ଯ୍ୟାୟ ଭୋଟିଂରେ ୧୨ ଶହ ୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିହାରର ୨ କୋଟି ୩୫ ଲକ୍ଷ ଭୋଟର। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷିତ ଭୋଟଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି ।  

ଅନ୍ତିମ ପର୍ଯ୍ୟାୟରେ ମୋଟ ଭୋଟରଙ୍କ ମଧ୍ୟରେ କୋଟିଏ ୨୩ ଲକ୍ଷ ମହିଳା ମତଦାତା ଓ ୮୯୪ ତୃତୀୟ ଲିଙ୍ଗୀ ଅଛନ୍ତି। ଗୟାଘାଟ ବିଧାନସଭା ଆସନରେ ସର୍ବାଧିକ ୩୧ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଢାକା, ତ୍ରିବେଣୀଗଞ୍ଜ, ଜୋକିହାଟ ଏବଂ ବାହାଦୁରଗଞ୍ଜ ଆଦି ବିଧାନସଭା ଆସନରେ ମୋଟ ୯ ଜଣ ଲେଖାଏଁ ନିର୍ବାଚନ ଲଢୁଛନ୍ତି। ଏଥର ଆରଜେଡି ସର୍ବାଧିକ ୪୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେହିପରି ଏଲଜେପିରୁ ୪୨, ଜେଡିୟୁ ୩୭ ଓ ବିଜେପିରୁ ୩୫ ପ୍ରାର୍ଥୀ ସାମିଲ ଅଛନ୍ତି।

ବିହାରର ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୩୩ ହଜାର ୭୮୨ ଇଭିଏମ୍ ଓ ଭିଭିପାଟ ବ୍ୟବହାର କରାଯାଉଛି। ମୋଟ ୪୫ ହଜାର ୯୫୩ଟି ବ୍ୟାଲେଟ ୟୁନିଟର ବ୍ୟବହାର କରାଯାଉଛି। କ୍ଷେତ୍ର ଅନୁଯାୟୀ ସର୍ବ ବୃହତ ବିଧାନସଭା ଆସନ ହେଉଛି ବାଲ୍ମିକୀନଗର ଓ ଏହାର ସହରସା ହେଉଛି ତୃତୀୟ ପର୍ଯ୍ୟାୟର ସର୍ବ ବୃହତ ବିଧାନସଭା ଆସନ । ଭୋଟରଙ୍କ ଅନୁଯାୟୀ ଗୟାହାଟ ହେଉଛି ସବୁଠାରୁ କ୍ଷୁଦ୍ର ବିଧାନସଭା ଆସନ।

ବିହାର ବିଧାନସଭା ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ, ଭୟମୁକ୍ତ ରଖିବା ପାଇଁ ପ୍ରତ୍ୟେକ ବୁଥରେ ଅର୍ଦ୍ଧ ସାମରିକ ବଳ ନିୟୋଜିତ ହୋଇଛନ୍ତି । ଏଥର ୫ଟି କୋଭିଡ୍ ପ୍ରଭାବିତ ଜିଲ୍ଲାରେ ଭୋଟ ପଡୁଛି। ଯେଉଁଥିପାଇଁ ପ୍ରଶାସନ ପକ୍ଷରୁ ବିପୁଳ ପଦକ୍ଷେପ ନିଆଯାଇଛି । ଅକ୍ଟୋବର ୨୮ରେ ପ୍ରଥମ ଓ ନଭେମ୍ୱର ୩ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡିଥିଲା । ଆଜି ଶେଷ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଆସନ୍ତା ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ବାହାରିବ ।