Odisha Assembly: ଧଳା କୁର୍ତ୍ତା ନୁହେଁ କଳା ଟି-ସାର୍ଟ ପିନ୍ଧି ଗର୍ଜିଲେ କଂଗ୍ରେସ ଓ ବିଜେଡି
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି): ଆଜି ବି ବିଧାନସଭାରେ ଗୃହ କାର୍ଯ୍ୟ ଠିକସେ ଚାଲିପାରିନି । ଆଜି ବିଧାନସଭାରେ ବିରୋଧୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । କଳା ଟିସାର୍ଟ ପିନ୍ଧି ଗୃହକୁ ଆସିଥିଲେ ବିରୋଧୀ । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ବାସ୍ଥ୍ୟମନ୍ତ୍ରୀ ଲେଖା ଥିବା କଳା ଟି ସାର୍ଟ ପିନ୍ଧି ଗୃହରେ ହୋ-ହଲ୍ଲା କରିଛନ୍ତି ବିରୋଧୀ ।
ଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ କରିଥିଲେ ବାଚସ୍ପତି । ହୋ-ହଲ୍ଲା କରିବାର ପ୍ରଥମ କାରଣ ଥିଲା ଏସସିବି ଅଗ୍ନିକାଣ୍ଡ ଘଟଣା । ଏହି ସମ୍ବେଦନଶୀଳ ଘଟଣାରେ ଲଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହେଉଛି ବିରୋଧ । ଯାହାଫଳରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନି।
ଗତ 17 ତାରିଖରୁ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ। ଉଭୟ କଂଗ୍ରେସ ଓ ବିଜେଡି ମିଳିତ ଭାବେ ବିରୋଧ ଜାରି ରଖିଛନ୍ତି । ଅନ୍ୟପଟେ ଜାଣିଶୁଣି ବିରୋଧୀ ଗୃହକାର୍ଯ୍ୟ ବନ୍ଦ କରୁଥବା ଅଭିଯୋଗ କରିଛି ଶାସକ ଦଳ । ରାଜ୍ୟବାସୀଙ୍କ ସ୍ବାର୍ଥ ଚିନ୍ତା ନକରି ହୀନ ରାଜନୀତି ବିରୋଧୀ କରୁଛନ୍ତି ବୋଲି ବିଜେପି କହିଛି ।
ସେପଟେ ଆଜି ବିଧାନସଭାରେ ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।ବଦଳିଛି କଂଗ୍ରେସରୁ ନିଲମ୍ବିତ ବିଧାୟକଙ୍କ ଆସନ । କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ, ବିଧାୟକ ରମେଶ ଜେନା ଓ ଦାଶରଥିଙ୍କର ଆସନରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
କଟକ ବାରବାଟୀର ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କୁ 'ଇ' ବ୍ଲକର ୧୩ ନମ୍ବର ଆସନ ଦିଆଯାଇଛି । ସେ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଗହଣରେ ବସୁଥିବା ବେଳେ ଏବେ ନିଲମ୍ବିତ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନିକଟରେ ବସିବେ। ଦାଶରଥିଙ୍କୁ ଗୃହର ଇ ବ୍ଲକର ୧୪ ନମ୍ବର ସିଟ ଦିଆଯାଇଛି।