ମନ୍ତ୍ରୀ ହୋଇପାରନ୍ତି ରୀତା: ବିଜେପୁରରେ ରେକର୍ଡ ବିଜୟର ପୁରସ୍କାର

ଭୁବନେଶ୍ୱର: ବିଜେପୁରରେ ରେକର୍ଡ ବିଜୟ ପରେ ରୀତା ସାହୁଙ୍କୁ ମିଳିପାରେ ପୁରସ୍କାର । ରୀତା ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉପନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡି ସପକ୍ଷରେ ସୃଷ୍ଟି ହୋଇଥିବା ସମର୍ଥନକୁ ପଶ୍ଚିମ ଓଡ଼ିଶାରେ ଏଇ ମଉକାରେ ଦୃଢ଼ କରିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ ରୀତା ନୁହନ୍ତି ବିଜେଡି ପାଇଁ ବିପୁଳ ବିଜୟ ଆଣିବାରେ ପ୍ରମୁଖ ଭୂମିକା ନେଇଥିବା ନେତାଙ୍କୁ
 

ଭୁବନେଶ୍ୱର: ବିଜେପୁରରେ ରେକର୍ଡ ବିଜୟ ପରେ ରୀତା ସାହୁଙ୍କୁ ମିଳିପାରେ ପୁରସ୍କାର । ରୀତା ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉପନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡି ସପକ୍ଷରେ ସୃଷ୍ଟି ହୋଇଥିବା ସମର୍ଥନକୁ ପଶ୍ଚିମ ଓଡ଼ିଶାରେ ଏଇ ମଉକାରେ ଦୃଢ଼ କରିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ ରୀତା ନୁହନ୍ତି ବିଜେଡି ପାଇଁ ବିପୁଳ ବିଜୟ ଆଣିବାରେ ପ୍ରମୁଖ ଭୂମିକା ନେଇଥିବା ନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ । ବିଜେପୁରରେ ଏଥର ବିଜେଡିର ବୃହତ ବିଜୟ ହୋଇଛି । ୯୭ ହଜାର ୯୯୦ ଭୋଟ୍ ବ୍ୟବଧାନରେ ଜିତି ସର୍ବକାଳୀନ ରେକର୍ଡ କରିଛନ୍ତି ରୀତା ସାହୁ ।

ଏଣୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଯେଉଁ ଗୋଟିଏ ପଦ ଖାଲି ରହିଛି, ତାହା ରୀତାଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଝଟ୍‌କା ପରେ ୨୦୧୮ ଉପନିର୍ବାଚନରେ ରୀତା ୪୨ ହଜାର ଭୋଟ୍‌ରେ ଜିତିଥିଲେ । ଯାହା ସାଧାରଣ ନିର୍ବାଚନ ପାଇଁ ଦଳକୁ ବଳ ଦେଇଥିଲା । ସେହିପରି ସାଧାରଣ ନିର୍ବାଚନରେ ରୀତା, ନବୀନଙ୍କ ପାଇଁ ନିଜ ସିଟ୍ ଛାଡ଼ିଥିଲେ । ତେଣୁ ରୀତାଙ୍କ ପ୍ରତି ନବୀନଙ୍କ ଅନୁକମ୍ପା ବଢ଼ିଛି । ସେପଟେ ହିଞ୍ଜିଳି ଆସନକୁ ରଖି ନବୀନ ବିଜେପୁର ଛାଡ଼ିବା ଏବଂ ୨୦୧୮ ଉପନିର୍ବାଚନ ବେଳେ ବିଜେପୁରର ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନ ଥିବାରୁ ଲୋକଙ୍କ ମଧ୍ୟରେ ଏକପ୍ରକାର ଅସନ୍ତୋଷ ରହିଛି । ଏହି ଅପବାଦରୁ ମୁକ୍ତ ହେବା ପାଇଁ ରୀତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ । ସେପଟେ ବିଜେଡିର ବିପୁଳ ବିଜୟ ପଛରେ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ବି ନବୀନ ପୁରସ୍କୃତ କରିବାର ସମ୍ଭାବନା ରହିଛି ।

୨୦୧୮ ଉପନିର୍ବାଚନ ପରେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥିବା ନେତାଙ୍କୁ ଗୁରୁଦାୟିତ୍ୱ ଦେଇ ପୁରସ୍କୃତ କରାଯାଇଥିଲା । ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାରେ ନେତା, ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼ ଜିଲ୍ଲା ପ୍ଲାନିଂ କମିଟି ଚେୟାରମ୍ୟାନ ଦାୟିତ୍ୱ ମିଳିଥିଲା । ଏଥର ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମେତ ଅନ୍ୟ କେତେଜଣ ମନ୍ତ୍ରୀ, ବିଧାୟକ ଓ ନେତା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ସେମାନଙ୍କ ମଧ୍ୟରୁ ସଞ୍ଜୟ ଦାସବର୍ମା, ପ୍ରଭାସ ସିଂ, ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ କିଛି ନେତାଙ୍କୁ ଦଳ ଓ ସରକାରରେ ପଦପଦବୀ ମିଳିବା ସମ୍ଭାବନା ରହିଛି ।