ନବୀନଙ୍କୁ ପଛରେ ପକାଇଦେବେ କି ରୀତା, ଜାଣନ୍ତୁ କଣ କହିଲେ ଶ୍ରମମନ୍ତ୍ରୀ

ସରିଛି ବିଜେପୁର ଉପନିର୍ବାଚନ । ଇଭିଏମରେ କଏଦ ହୋଇଛି ୫ ପ୍ରାର୍ଥୀଙ୍କ ଭାଗ୍ୟ । ପ୍ରମୁଖ ରାଜନୈତିକ ଦଳ ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଓ କଂଗ୍ରେସର ଦିଲୀପ ପଣ୍ଡାଙ୍କ ସମେତ ୫ ଜଣଙ୍କ ମଧ୍ୟରୁ ଜଣକୁ ବିଧାୟକ ଭାବେ ବାଛି ସାରିଛନ୍ତି ବିଜେପୁରବାସୀ । କେବଳ ଆସନ୍ତାକାଲି ଭୋଟ ଗଣତି ପରେ ଫଳାଫଳ ଘୋଷଣାକୁ ଅପେକ୍ଷା । ମାତ୍ର ଫଳାଫଳ ଆସିବା ପୂର୍ବରୁ ଆଜି ବିଜେଡି ନେତା ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ
 

ସରିଛି ବିଜେପୁର ଉପନିର୍ବାଚନ । ଇଭିଏମରେ କଏଦ ହୋଇଛି ୫ ପ୍ରାର୍ଥୀଙ୍କ ଭାଗ୍ୟ । ପ୍ରମୁଖ ରାଜନୈତିକ ଦଳ ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଓ କଂଗ୍ରେସର ଦିଲୀପ ପଣ୍ଡାଙ୍କ ସମେତ ୫ ଜଣଙ୍କ ମଧ୍ୟରୁ ଜଣକୁ ବିଧାୟକ ଭାବେ ବାଛି ସାରିଛନ୍ତି ବିଜେପୁରବାସୀ । କେବଳ ଆସନ୍ତାକାଲି ଭୋଟ ଗଣତି ପରେ ଫଳାଫଳ ଘୋଷଣାକୁ ଅପେକ୍ଷା । ମାତ୍ର ଫଳାଫଳ ଆସିବା ପୂର୍ବରୁ ଆଜି ବିଜେଡି ନେତା ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ବିଜେପୁରରେ ବିଜେଡି ହ୍ୟାଟ୍ରିକ ବିଜୟ ହାସଲ କରିବ । ବିଜେଡି ଗତ ନିର୍ବାଚନ ଅପେକ୍ଷା ଆହୁରି ଅଧିକ ଭୋଟରେ ବିଜୟୀ ହେବ ।

ଏପରିକି ଦଳୀୟ ପ୍ରାର୍ଥୀ ରୀତା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଅଧିକ ଭୋଟ ପାଇ ବିଜୟୀ ହେବେ ବୋଲି ଶ୍ରମମନ୍ତ୍ରୀ ସିଂ କହିଛନ୍ତି । ସୂଚନାଯୋଗ୍ୟ, ସିଂ ବିଜେପୁର ଉପନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସିଂ ଆଜି ଗଣମାଧ୍ୟମକୁ କହିଛନ୍ତି, ବିଜେପୁର ଉପନିର୍ବାଚନରେ ମୋଟ ୧ ଲକ୍ଷ ୮୦ ହଜାର ପୋଲିଂ ହୋଇଛି । ସେଥିରୁ ରୀତା ୧ ଲକ୍ଷ ୨୫ ହଜାରରୁ ୧ ଲକ୍ଷ ୪୦ ହଜାର ଭୋଟ ପାଇବେ । ବିଜେଡି ଗତ ସାଧାରଣ ନିର୍ବାଚନଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେବ ।

ଏପରିକି ବିଜେଡି ଏକପାଖିଆ ଭାବେ ଜିତିବ ବୋଲି ସିଂ କହିଛନ୍ତି । ଯଦି ସୁଶାନ୍ତଙ୍କ ଆକଳନ ସତ ହୁଏ ତେବେ ରୀତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ପଛରେ ପକାଇ ଦେବେ । କାରଣ ନବୀନ ଗତ ସାଧାରଣ ନିର୍ବାଚନରେ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳି ସହ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରୁ ସେ ବିପୁଳ ଭୋଟରେ ବିଜୟୀ ହେବା ପରେ ହିଞ୍ଜିଳି ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ । ତେବେ ନବୀନ ବିଜେପୁରରୁ ମୋଟ ୧ ଲକ୍ଷ ୧୦ ହଜାର ଭୋଟ ପାଇଥିଲେ ।

ସିଂଙ୍କ ଆକଳନ ଅନୁଯାୟୀ ରୀତା ୧ ଲକ୍ଷ ୨୫ ହଜାରରୁ ଅଧିକ ଭୋଟ ପାଇଲେ ମୁଖ୍ୟମନ୍ତ୍ରୀଙ୍କୁ ବି ଟପିଯିବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଗତକାଲି ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ସରିଛି । ଏଠାରେ ୭୯.୧୭ ପ୍ରତିଶତ ମତଦାନ ହୋଇଥିବା ଆଜି ସକାଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଆସନ୍ତା ୨୪ ତାରିଖ ସକାଳେ ଭୋଟ ଗଣତି ଆରମ୍ଭ ହୋଇ ଅପରାହ୍ନ ସୁଦ୍ଧା ଫଳାଫଳ ପ୍ରକାଶ ପାଇଯିବା ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ସୁବଳ ସାହୁଙ୍କ ଦେହାନ୍ତ ପରେ ୨୦୧୮ ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜୟୀ ହୋଇଥିଲେ । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ନବୀନ ୧ ଲକ୍ଷ ୧୦ ହଜାର ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସନତ ଗଡ଼ତିଆଙ୍କଠାରୁ ବିଜୟୀ ହୋଇଥିଲେ ।