ନୂଆ ପିଢ଼ିକୁ ପସନ୍ଦ 'ଅସରପା': ବଢୁଛି ‘କକ୍ରୋଚ୍‌ ଜନତା ପାର୍ଟି’ର ଲୋକପ୍ରିୟତା, ମୋଦି ଛାନିଆ

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ଆପଣ ବି ଚାହିଁଲେ ହୋଇ ପାରିବେ ନେତା, ମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀ | ଏଥିପାଇଁ କିନ୍ତୁ ଆପଣଙ୍କୁ ସାମିଲ ହେବାକୁ ପଡ଼ିବ  'ଅସରପା' ପାର୍ଟିରେ | ଚମକି ପଡିଲେ କି ? ହଁ ଆପଣ ଠିକ ଅନୁମାନ କରୁଛନ୍ତି, ଆମେ କହୁଛୁ ସୋସିଆଲ ମିଡ଼ିଆ ଜରିଆରେ ମୋଦିଙ୍କ ଆସନ ହଲେଇବାକୁ ଅଂଟା ଆଣ୍ଟ କରିଥିବା ଯୁବବର୍ଗ ଓ ସେମାନଙ୍କ ଭାଇରଲ ପାର୍ଟି ‘କକ୍ରୋଚ୍‌ ଜନତା ପାର୍ଟି’ କଥା |

ଆପଣ ଜାଣନ୍ତି! ପ୍ରତି ସେକେଣ୍ଡରେ ବଢୁଛି 'ଅସରପା' ପ୍ରତି ଭଲପାଇବା ମାନେ ‘କକ୍ରୋଚ୍‌ ଜନତା ପାର୍ଟି’ର ଫଲୋଅର୍ସ ସଂଖ୍ୟା। ଡିଜିଟାଲ ପ୍ଲାଟଫର୍ମରେ ପାଦ ଦେବା ପରଠାରୁ ବିଜେପି ଓ କଂଗ୍ରେସ ଯାହା କରିପାରିନଥିଲେ ତାହା ମାତ୍ର ୫ ଦିନରେ କରି ଦେଖାଇଛି କକ୍ରୋଚ୍ ଜନତା ପାର୍ଟି। ସବୁଠି ଏବେ ଏହାକୁ ନେଇ ଚର୍ଚ୍ଚା। ବ୍ୟବସ୍ଥାକୁ ଆଙ୍ଗୁଠି ଦେଖାଇ ଯୁବବର୍ଗଙ୍କ ଭରସା ଜିଣିଥିବା କକ୍ରୋଚ୍ ଜନତା ପାର୍ଟି ଆଗକୁ ଗଣତନ୍ତ୍ର ପାଇଁ ବିପଦ ସାଜିବ ତ?

କକ୍ରୋଚ୍ ଜନତା ପାର୍ଟି। ରାଜନୈତିକ ଦଳ ନୁହେଁ କିନ୍ତୁ ରାଜନୈତିକ ଦଳ ଠାରୁ ଆହୁରି ଲୋକପ୍ରିୟ। ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଦେଢ କୋଟିରୁ ଅଧିକ ଫଲୋଅର୍ସ। ଆଉ ଏହି ସମର୍ଥନ ମିଳିଛି ମାତ୍ର ୫ ଦିନରେ। ବେକାରୀଙ୍କୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବୟାନ ବିରୋଧରେ ଡିଜିଟାଲ ପ୍ଲାଟଫର୍ମରେ ହୋଇଥିବା ଆନ୍ଦୋଳନରୁ ଜନ୍ମ ନେଇଥିଲା କକ୍ରୋଚ୍ ଜନତା ପାର୍ଟି। ବେକାରି, ଶାରୀରିକ ଭାବେ ଅଳସୁଆ, ସୋସିଆଲ ମିଡ଼ିଆରେ ଅଧିକ ସମୟ ଅତିବାହିତ କରୁଥିବା ୟୁଜର୍ସଙ୍କୁ ଏହି ଫ୍ଲାଟଫର୍ମରେ ମିଳିଥିଲା ପ୍ରାଥମିକତା।

ଏଠାରେ କ୍ଲିକ କରି ଅଧିକ ନ୍ୟୁଜ ପଢ଼ନ୍ତୁ : ଇବୋଲା ଭାଇରସକୁ ନେଇ କେନ୍ଦ୍ର ସରକାର ଆଲର୍ଟ: ଜାରି ହେଲା ଗାଇଡଲାଇନ, ଲକ୍ଷଣ ଦେଖାଗଲେ...

ସରକାରୀ ବ୍ୟବସ୍ଥା ବିରୋଧରେ ସ୍ବର ଉଠାଇବା ସହ ଦୁର୍ନୀତିମୁକ୍ତ ଦେଶ ଗଠନରେ ଭାଗିଦାରୀ ହେବାକୁ ଆହ୍ବାନ ଦେଇଛି ଏହି ପ୍ଲାଟଫର୍ମ। ଯାହା ଯୁବବର୍ଗଙ୍କୁ ବେଶ ପସନ୍ଦ ଆସିଛି। ଡିଜିଟାଲ୍‌ ପ୍ଲାଟଫର୍ମରେ ସରକାରୀ ବ୍ୟବସ୍ଥା ବିରୋଧରେ ଏଭଳି ଆନ୍ଦୋଳନ ପୂର୍ବରୁ ବୋଧହୁଏ କେବେ ଦେଖିନାହିଁ ଭାରତ। ସିଜେପିର ଏହା ସାମୟିକ ସଫଳତା ହୋଇପାରେ ସତ ହେଲେ ଏହାର ଆଭିମୁଖ୍ୟ କେଉଁଭଳି ସ୍ଥିତି ସୃଷ୍ଟି କରିବ ତାହା ଅକଳ୍ପନୀୟ। ବାଂଲାଦେଶ ଓ ନେପାଳରେ ଏହାର ଝଲକ ଦେଖିସାରିଛନ୍ତି ବିଶ୍ବବାସୀ। କାରଣ କକ୍ରୋଚ୍‌ ଜନତା ପାର୍ଟିର ରାଜନୈତିକ ଇଚ୍ଛା କିଛି ଏଭଳି ଦିଗକୁ ଇଙ୍ଗିତ କରୁଛି।

ସୋସିଆଲ ମିଡ଼ିଆରେ କକ୍ରୋଚ୍‌ ଜନତା ପାର୍ଟି ଜନ୍ମ ନେବା ଓ ପରେ ଏହାର ଲୋକପ୍ରିୟତା ହିଁ ଏହାକୁ ରାଜ୍ୟସ୍ତରକୁ ଆଣିଲାଣି। ଓଡ଼ିଶା ମଧ୍ୟ ଏହି ଟ୍ରେଣ୍ଡରେ ପଛରେ ନାହିଁ। ଓଡ଼ିଶାରେ କକ୍ରୋଚ୍‌ ଜନତା ପାର୍ଟିର ଏକାଧିକ ଆକାଉଣ୍ଟ ଖୋଲି ଯୁବବର୍ଗଙ୍କୁ ଯୋଡିବାକୁ ଚାଲିଛି ପ୍ରୟାସ। ଏଭଳି ପ୍ରୟାସ ଭିତରେ ବିଜେପି କହିଛି, ଏହାର ପ୍ରଭାବ ଯୁବବର୍ଗଙ୍କ ଉପରେ ପଡ଼ିବନି। ଅନ୍ୟପଟେ ବିଜେଡିର ଯୁକ୍ତି, ଯୁବବର୍ଗ ଏହି ପ୍ଲାଟଫର୍ମ ଜରିଆରେ ନିଜର ଦାବି ପୂରଣ ପାଇଁ ସରକାରଙ୍କ ଉପରେ ଚାପ ପକାଇବାରେ ସକ୍ଷମ ହେବେ। କୁଶାସନ ବିରୋଧରେ ସୋସିଆଲ ମିଡିଆରେ ଯୁବବର୍ଗଙ୍କ ସ୍ବର ପାଲଟିଛି ବୋଲି କହିଛି କଂଗ୍ରେସ । ବଢୁଥିବା ଲୋକପ୍ରିୟତା ଭିତରେ କକ୍ରୋଚ୍ ଜନତା ପାର୍ଟିର ଏକ୍ସ ହ୍ୟାଣ୍ଡେଲ ବ୍ଲକ ହୋଇଛି।