ନିଜେ ଚାଲିଗଲେ କିନ୍ତୁ ୫ ଜଣଙ୍କୁ ଦେଇଗଲେ ନୂଆ ଜୀବନ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଘରକୁ ଶବ ହୋଇ ସିନା ଫେରିଲେ, ହେଲେ ଅଙ୍ଗଦାନ କରି ୫ଟି ଜୀବନ ବଞ୍ଚାଇ ଦେଲେ। ଭୁବନେଶ୍ୱର ବିମାନ ବନ୍ଦରରେ ଗଂଜାମର ସୁଶୀଲ ସାହୁଙ୍କ ମୃତଦେହ ପହଞ୍ଚିବା ପରେ ଏଭଳି ଏକ ମହତ ଘଟଣା ସାମ୍ନାକୁ ଆସିଛି। ସୁରଟରେ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବା ୩୩ ବର୍ଷୀୟ ସୁଶୀଲ ସାହୁଙ୍କ ମୃତ୍ୟୁ ପରେ ଅଙ୍ଗଦାନ ଖବର ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଜଣେ ଓଡ଼ିଆ। ନାଁ ସୁଶୀଲ ସାହୁ ଆଉ ଘର ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ଅଲାଡିରେ। ପରିବାର ପୋଷଣ ପାଇଁ କାମ କରିବାକୁ ସୁରଟ ଯାଇଥିଲେ ସୁଶୀଲ। ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରି ଚଳାଉଥିଲେ ପରିବାର। ୫ ଦିନ ତଳେ ସୁଶୀଲ କାମ କରୁଥିବା ବେଳେ ଉଚ୍ଚ ରକ୍ତଚାପ ଯୋଗୁ ହଠାତ ଟଳି ପଡିଲେ। ସହକର୍ମୀ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କଲେ । ହେଲେ ଚିକିତ୍ସା ବେଳେ ସୁଶୀଲଙ୍କ ବ୍ରେନ୍ ଡେଡ୍ ହୋଇଯାଇଥିବା କହିଲେ ସୁରଟସ୍ଥିତ ପ୍ରଭୁ ଜେନେରାଲ ହସ୍ପିଟାଲର ଡାକ୍ତର । ତାଙ୍କୁ ୩୬ ଘଣ୍ଟା ଅବଜରଭେସନରେ ରଖାଗଲା ।

ହେଲେ ସ୍ୱାସ୍ଥ୍ୟର କିଛି ଉନ୍ନତି ନହେବାରୁ ସୁଶୀଲଙ୍କ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଲେ ପରିବାର ଲୋକେ। ଡାକ୍ତରଙ୍କ ପରାମର୍ଶକ୍ରମେ ଚେନ୍ନାଇର ଏମଜିଏମ୍ ହସ୍ପିଟାଲରେ ଜଣେ ରୋଗୀଙ୍କ ଦେହରେ ସୁଶୀଲଙ୍କ ହାର୍ଟ ପ୍ରତିରୋପଣ କରାଗଲା। ସେହିଭଳି ଲିଭର ଏବଂ ଦୁଇଟି କିଡ୍ନୀ ଅହମଦାବାଦର ହସ୍ପିଟାଲରେ ଥିବା ଆଉ ଦୁଇଜଣ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ଦୁଇଟି ଆଖି ମଧ୍ୟ ଦାନ କରିଛନ୍ତି ସୁଶୀଲ। ଫଳରେ ୫ ଜଣଙ୍କୁ ମିଳିଛି ନୂଆ ଜୀବନ।