ଓଡ଼ିଶାରେ ୪ଟି ପର୍ଯ୍ୟାୟ ନିର୍ବାଚନକୁ ନେଇ ପ୍ରଶ୍ନ ରଖିଲା ବିଜେଡ଼ି, ନିର୍ବାଚନ ଜିତିବା ପାଇଁ ଏହା ବିଜେପିର ଚାଲ ବୋଲି ଅଭିଯୋଗ ଆଣିଲା ବିଜେଡି

ବିଜେପିର ମନ୍ଦ ଉଦ୍ଦେଶ୍ୟରେ ପ୍ରଭାବିତ ହୋଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ: ବିଜେଡି ଭୁୁବନେଶ୍ୱର: ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଧାର୍ଯ୍ୟକୁ ନେଇ ପ୍ରଶ୍ନ କରିଛି ବିଜୁ ଜନତା ଦଳ (ବିଜେଡି) । ମନ୍ଦ ଉଦ୍ଦେଶ୍ୟରେ ଏହା କରାଯାଇଛି ଏବଂ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଦ୍ୱାରା ପ୍ରଭାବିତ ହୋଇ ଏଭଳି ସୁପାରିଶ କରିଥିବା ମନେ ହେଉଛି ବୋଲି ବିଜେଡି ଆଇଟି ୱିଙ୍ଗ୍ ମୁଖ୍ୟ ତଥା ଦଳର ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି । ଆଜି ଏକ
 

ବିଜେପିର ମନ୍ଦ ଉଦ୍ଦେଶ୍ୟରେ ପ୍ରଭାବିତ ହୋଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ: ବିଜେଡି

ଭୁୁବନେଶ୍ୱର: ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଧାର୍ଯ୍ୟକୁ ନେଇ ପ୍ରଶ୍ନ କରିଛି ବିଜୁ ଜନତା ଦଳ (ବିଜେଡି) । ମନ୍ଦ ଉଦ୍ଦେଶ୍ୟରେ ଏହା କରାଯାଇଛି ଏବଂ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଦ୍ୱାରା ପ୍ରଭାବିତ ହୋଇ ଏଭଳି ସୁପାରିଶ କରିଥିବା ମନେ ହେଉଛି ବୋଲି ବିଜେଡି ଆଇଟି ୱିଙ୍ଗ୍ ମୁଖ୍ୟ ତଥା ଦଳର ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ୪ଟି ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ପଛରେ କୌଣସି ଯୁକ୍ତି କିମ୍ବା ଆଧାର ନାହିଁ । ଆନ୍ଧ୍ରପଦେଶ, ଗୁଜୁରାଟ ଭଳି ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ଓଡ଼ିଶାଠାରୁ ଅଧିକ ହୋଇଥିଲେ ମଧ୍ୟ ସେଠାରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଧାର୍ଯ୍ୟ କରାଯାଇଛି । କର୍ଣ୍ଣାଟକ, ରାଜସ୍ଥାନ ଭଳି ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଧାର୍ଯ୍ୟ ହୋଇଛି ।

ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ ୨୦୦୯ ଏବଂ ୨୦୧୪ ମସିହାରେ ଓଡ଼ିଶାରେ ମାଓ ସମସ୍ୟା ଅଧିକ ଥିବା ବେଳେ ଏବେ ତାହା ଆଶାତୀତ ଭାବେ ହ୍ରାସ ପାଇଛି । ଏପରିିସ୍ଥଳେ, ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନର ଆବଶ୍ୟକତା କ’ଣ ପାଇଁ ପଡ଼ିଲା ବୋଲି ବିଜେଡ଼ି ପ୍ରଶ୍ନ କରିଛି ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ଏଠାରେ ସବୁ ରାଜନୈତିକ ଦଳ ସହ ବିଚାରବିମର୍ଷ କରିବା ସମୟରେ ଏହା ତାଙ୍କୁ ଅବଗତ କରାଯାଇଥିଲା । ସେ ନିଜେ ଓଡ଼ିଶାର ସ୍ଥିତିକୁ ଭଲ ଭାବେ ହୃଦୟଙ୍ଗମ କରିଥିଲେ । ମାତ୍ର ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ କିଭଳି ଅନୁମୋଦନ କଲେ ତାହା ସନ୍ଦେହ ସୃଷ୍ଟି କରୁଛି ।

ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଯେଉଁଠି ବିଜେପିର ସ୍ଥିତି ଭଲ ନାହିଁ ସେଠାରେ ଚାରି ଏବଂ ତତୋଧିକ ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ହୋଇଥିବାରୁ ମନ୍ଦ ଉଦ୍ଦେଶ୍ୟ ରଖାଯାଇଥିବା ସ୍ପଷ୍ଟ ବାରି ହେଉଛି । ଓଡ଼ିଶାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିରପେକ୍ଷତା ରକ୍ଷା ନ କରି ବିଜେପି ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡୁଛି ବୋଲି ସେ କହିଛନ୍ତି ।

ବିଜେଡ଼ି କହି ରଖିବାକୁ ଚାହେଁ ଯେ ଚାରୋଟି ପର୍ଯ୍ୟାୟ ନିର୍ବାଚନ ଓଡ଼ିଶା ରାଜକୋଷ ପାଇଁ ବୋଝ ଏବଂ ଗତଥର ଠାରୁ ଖର୍ଚ୍ଚ ଦୁଇଗୁଣ ହେବ । ଦୁଇଟି ପର୍ଯ୍ୟାୟ ନିର୍ବାଚନ କରି ରାଜ୍ୟ ରାଜକୋଷର ଏହି ବୋଝକୁ କମାଯାଇ ପାରି ଥାଆନ୍ତା । ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ଓ ବିଜେପିର ଯୋଜନା ସଫଳ ହେବ ନାହିଁ । ଓଡ଼ିଶାରେ ବିଜୁ ଜନତା ଦଳ ବହୁତ ଭଲ କରିବ ଏବଂ ବିଜେପି ତାର ପୂର୍ବସ୍ଥିତିରେ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।