ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ; କଳିଙ୍ଗ ବିରାଙ୍ଗନା ସମ୍ମାନ-୨୦୨୬ ରେ ସଂମ୍ମାନିତ ହେଲେ ୫ ମହିଳା

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ମହିଳାମାନଙ୍କ ସାମର୍ଥ୍ୟ ଏବଂ ସମାଜ ପ୍ରତି ସେମାନଙ୍କର ଅବଦାନକୁ ସମ୍ମାନ ଜଣାଇ ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ମୁଖ୍ୟ ତଥା ସମାଜସେବୀ ଲିଙ୍କନ ସୁବୁଦ୍ଧିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସଫଳ ମହିଳାମାନେ ଏକତ୍ରିତ ହୋଇଥିଲେ । ଏହି ଅବସରରେ ଏକ ଭବ୍ୟ “SPF କଳିଙ୍ଗ ବୀରାଙ୍ଗନା କ୍ରିକେଟ୍ ଲିଗ୍ ଫର୍ ଉମେନ୍” ଏବଂ କାର ରାଲି (Rally) ଆୟୋଜନ କରାଯାଇଛି । ଏହି ତିନି ଦିନିଆ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ସଶକ୍ତିକରଣ, ସ୍ୱାଭିମାନ ଏବଂ ସ୍ପୋର୍ଟସ୍ ମାଧ୍ୟମରେ ସମାଜରେ ସେମାନଙ୍କ ସ୍ଥାନକୁ ଆହୁରି ସୁଦୃଢ଼ କରିବା ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ଦେଶ ଏବଂ ରାଜ୍ୟର ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ- ଶ୍ରୀଯୁକ୍ତ ଚିନ୍ମୟ ମହାନ୍ତି, ବରିଷ୍ଠ ଆଇନଜୀବୀ, ସୁପ୍ରିମକୋର୍ଟ, ଶ୍ରୀଯୁକ୍ତ ରଞ୍ଜିତ ମୋହରାଣା, ସମ୍ପାଦକ, ଅଲ ଓଡ଼ିଶା ଲୟର ଆସୋସିଏସନ ଏବଂ ଶ୍ରୀଯୁକ୍ତ ଜିତେନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ।

ସୁପ୍ରିମକୋର୍ଟ ଆଇନଜୀବୀ ଚିନ୍ମୟ ମହାନ୍ତି କହିଥିଲେ ଯେ, ସମାଜର ସବୁ ବର୍ଗର ମହିଳାଙ୍କୁ ଏକାଠି କରି ସେମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସେବା ପ୍ରୟାସ ଯେଉଁ ପଦକ୍ଷେପ ନେଇଛି, ତାହା ପ୍ରଶଂସନୀୟ । ବିଶେଷ କରି କର୍ମଜୀବୀ ମହିଳା ଏବଂ ମହିଳା ଆଇନଜୀବୀମାନଙ୍କୁ ସମ୍ମାନିତ କରାଯିବା ଏକ ଶୁଭ ସଙ୍କେତ । ଲିଙ୍କନ ସୁବୁଦ୍ଧି ଏବଂ ଅନୁରାଧା ବିଶ୍ୱାଳଙ୍କ ନିରନ୍ତର ଉଦ୍ୟମକୁ ସେ ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ, ଫାଉଣ୍ଡେସନ ଦ୍ୱାରା ଆୟୋଜିତ 'କଳିଙ୍ଗ ବୀରାଙ୍ଗନା କ୍ରିକେଟ ଟୁର୍ଣ୍ଣାମେଣ୍ଟ' ଏବଂ 'ମହିଳା କାର୍ ରାଲି' ସାରା ଓଡ଼ିଶାରେ ମହିଳା ଶକ୍ତିର ଏକ ନୂଆ ପରିଚୟ ସୃଷ୍ଟି କରିଛି ।

ଶ୍ରୀଯୁକ୍ତ ରଞ୍ଜିତ ମୋହରାଣା ମହିଳାମାନଙ୍କୁ ନିଜ ଅଧିକାର ପ୍ରତି ସଚେତନ ହେବା ସହ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ସେ ଉତ୍ସାହିତ କରିଥିଲେ ।

ସମାଜର ବିଭିନ୍ନ କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଥିବା ମହିଳାମାନଙ୍କୁ ସେବା ପ୍ରୟାସ ଫାଉଣ୍ଡେସନ୍‌ ପକ୍ଷରୁ 5 ମହିଳାଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ-2026 ରେ ସଂମ୍ମାନିତ କରାଯାଇଥିଲା । ସେମାନେ ହେଲେ ଡ଼. ସମିତା ମହାନ୍ତି (ସ୍ୱାସ୍ଥ୍ୟସେବା), ସୁଶ୍ରୀ ପାୟଲ ପଟେଲ (ଉଦ୍ୟୋଗୀକରଣ), ମା ଅରୁନ୍ଧତୀ ଦେବୀ (ସେବାସମ୍ମାନ), ସୁଶ୍ରୀ ସତ୍ରୁପା ସାମନ୍ତରାୟ (ସାମ୍ବାଦିକା), ରଶ୍ମିତା ମହାନ୍ତି (କ୍ରୀଡ଼ାବିତ) । ଅପରପକ୍ଷରେ, ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ମଧ୍ୟ ସ୍ମୃତି ଚିହ୍ନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଲିଙ୍କନ୍ ସୁବୁଦ୍ଧି, ପ୍ରତିଷ୍ଠାତ୍ରୀ କହିଥିଲେ, "ଆମର ଲକ୍ଷ୍ୟ କେବଳ ଉତ୍ସବ ପାଳନ କରିବା ନୁହେଁ, ବରଂ ପ୍ରତିଟି ମହିଳାଙ୍କ ମଧ୍ୟରେ ଥିବା ସୁପ୍ତ ପ୍ରତିଭାକୁ ଜାଗ୍ରତ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା । ଆଗାମୀ ଦିନରେ ଏହି ଅଭିଯାନ ଆହୁରି ବ୍ୟାପକ ହେବ ।"

କଳିଙ୍ଗ ବୀରାଙ୍ଗନା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆୟୋଜିତ ବିଭିନ୍ନ ବର୍ଗର ଟିମଙ୍କ ମଧ୍ୟରୁ ଆଇନଜୀବୀ ମହିଳା ଟିମ ଚମ୍ପିୟାନ ହୋଇଥିଲେ । ସେହିପରି ଶିକ୍ଷା ଗତ କ୍ଷେତ୍ରରେ ଏମବିବିଏସ ଛାତ୍ରଛାତ୍ରୀ ଚମ୍ପିୟାନ ହୋଇଥିଲେ ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଶ୍ବଜିତ୍ ସାହୁ- ସଂଯୋଜକ ତଥା ପ୍ରକଳ୍ପ ନିର୍ଦ୍ଦେଶକ, ଏସ୍ପି ଏଫ୍, ଅନୁରାଧା ବିଶ୍ବାଳ- ପରାମର୍ଶଦାତା, ଏସ୍ପି ଏଫ୍ । ଏହି କାର୍ଯ୍ୟକ୍ରମକୁ ମଞ୍ଚ ସଂଚାଳନ କରିଥିଲେ ସୋନାଲି ଏବଂ ଅଭଷେକ ମହାନ୍ତି ।