କାଲିଠୁ ଦକ୍ଷିଣରେ ଜଳ ପ୍ରଳୟ: ସାବଧାନ ଓ ସତର୍କତା ଜରୁରୀ
ଓଡ଼ିଆ ଗସିପ ବ୍ୟୁରୋ: ଲଘୁଚାପ ପରେ ଲଘୁଚାପ । ଗୋଟିଏ ଯାଉ ଯାଉ ଆଉ ଗୋଟିଏ ଆସୁଛି । ଆସନ୍ତାକାଲିଠୁ ହିଁ ଏହା ପ୍ରଭାବ ପକାଇବା ଆରମ୍ଭ କରିଦେବ ।
ମାତ୍ର ୩ ଦିନ ତଳେ ଅବପାତ ଜନିତ ଲଗାଣ ବର୍ଷା ଫଳରେ ବେହାଲ ହୋଇପଡିଥିଲା ଗଂଜାମ ଓ ଗଜପତି ଜିଲ୍ଲା ।
କେଉଁଠି ରାସ୍ତା ଧୋଇଯାଇଥିଲା, ତ ଆଉ କେଉଁଠି ବିଦ୍ୟୁତ ଖୁଂଟ ଉପୁଡି ପଡିଥିଲା । ଏପରିକି ପାହାଡିଆ ଅଂଚଳରେ ଲଗାଣ ବର୍ଷାରେ ମାଟି ଧସିଯାଇଥିଲା ।
ଏହି ସମସ୍ୟାରୁ ମୁକୁଳିବା ପୂର୍ବରୁ ପୁଣି ଏକ ଲଘୁଚାପର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହ ଆସନ୍ତାକାଲିଠୁ ଦକ୍ଷିଣ ଓଡିଶାରେ ଲଗାଣ ବର୍ଷାର ଆଶଙ୍କା ରହିଛି ।
ପାଣିପାଗ ବିଭାଗ ଆକଳନ ଅନୁସାରେ 19ରୁ 22 ପର୍ଯ୍ୟନ୍ତ ବର୍ଷା ହେବ ।
ସମଗ୍ର ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।
ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ନଦୀର ରିଜର୍ଭୟରରେ ଜଳ 80 ଶତକଡରୁ କମ କରାଯାଇ 65ରୁ 70 ଶତକଡା ରଖାଯାଇଛି ।
8ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି ।
ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ସମସ୍ତ ପ୍ରକାର ସରଞ୍ଜାମ ଯଥା ବାଳିବସ୍ଥା ଓ ବାଉଁଶ ରଖାଯାଇଛି ।
ଜଳସମ୍ପଦ ବିଭାଗ ସଜାଗ ରହିଛି । ଭୟଭୀତ ହେବାର କାରଣ ନାହିଁ ।