କିଟ୍ ଓ କିସ୍ ପରିଦର୍ଶନ କଲେ ଆମେରିକା କନସଲ୍ ଜେନେରାଲ୍
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ହାଇଦ୍ରାବାଦସ୍ଥିତ ଆମେରିକାନ୍ କନସୁଲଲେଟ୍ର କନସଲ୍ ଜେନେରାଲ୍ ଲାରା ଉଇଲିୟମସ୍ ଦୁଇ ଦିନିଆ କିଟ୍ ଓ କିସ୍ ପରିଦର୍ଶନ ସାରି ଫେରିଯାଇଛନ୍ତି । ସେ କିଟ୍ର ସମସ୍ତ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରିଥିଲେ ।
କିସ୍ରେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବିନାଦେୟରେ ସାମଗ୍ରିକ ଶିକ୍ଷା ମଡେଲ୍ ବିଷୟରେ ଜାଣି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।
ଏହି ଅବସରରେ ସେ କିସ୍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ସହ ଜନଜାତି ସଶକ୍ତିକରଣ ପାଇଁ କିସ୍ ଜରିଆରେ ଯେଉଁ କାର୍ଯ୍ୟ ଶ୍ରୀ ସାମନ୍ତ କରୁଛନ୍ତି ତାହା ଏକ ଉଦାହରଣ ବୋଲି କହିଥିଲେ । ଆଜି ସକାଳେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଲାରାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କୁ ନିଜ ରଚିତ ପୁସ୍ତକ ପ୍ରଦାନ କରିଥିଲେ ।
ଶ୍ରୀମତୀ ଲାରା ମଧ୍ୟ ଶ୍ରୀ ସାମନ୍ତଙ୍କୁ ଏକ ପୁସ୍ତକ ଉପହାର ପ୍ରଦାନ କରିଥିଲେ । କିଟ୍ ଓ କିସ୍ ପରିଦର୍ଶନ ଅବସରରେ ତାଙ୍କ ସହ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ରାଜୁ କେ. ଡି ଓ କୁଳସଚିବ ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।