ବାରମ୍ବାର ଭଗବାନଙ୍କୁ ହାତଯୋଡ଼ି ନେହୁରା ହେଉଥିଲେ, ଚିକିତ୍ସା କରୁ କରୁ ଝିଅକୁ ଚିହ୍ନିଲେ, ହେଲେ ବଞ୍ଚାଇ ପାରିଲେନି...

 

ଓଡ଼ିଆ ଗସିପ ବ୍ୟୁରୋ: ବାରମ୍ବାର ଭଗବାନଙ୍କୁ ହାତଯୋଡ଼ି ନେହୁରା ହେଉଥିଲେ । କହୁଥିଲେ- ହେ ଭଗବାନ, ଏତେ ନିଷ୍ଠୁର ହୁଅନି । ମୋ ଡାକ ଶୁଣ । ମୋ ଛୁଆ ଦୁଇଟିକୁ ଭଲ କରିଦିଅ ।’ ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଆଖି ସାମ୍ନାରେ ଜଣେ ମା’ର କୋଳ ଖାଲି ହୋଇଗଲା । ଦୁନିଆ କ’ଣ ଭଲ ଭାବେ ଜାଣିନଥିବା ଦୁଇ ନିଷ୍ପାପ କୁନିଝିଅ ବହୁ ଦୂରକୁ ଚାଲିଗଲେ । ଏମିତି ଏକ ଦୁଃଖଦ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଘଟିଛି ।

ଆଖି ସାମ୍ନାରେ ନିଜ ପିଲା କଷ୍ଟ ପାଉଥିବା ଦୃଶ୍ୟ କୌଣସି ବାପାମା’ ଦେଖିପାରିବେନି । ନିଜକୁ ଯେତେ କଷ୍ଟ ହେଉ ନା କାହିଁକି ବାପାମା’ ସବୁବେଳେ ପିଲାଙ୍କ ଭଲ ଚାହାଁନ୍ତି । ଏପରିକି ଦେହରେ ଧୂଳି ଟିକେ ମଧ୍ୟ ଲଗାଇ ଦିଅନ୍ତି ନାହିଁ । ଏଭଳି ସ୍ଥିତିରେ ଯଦି ବାପାମା ସେମାନଙ୍କ ଆଖି ସାମ୍ନାରେ ପିଲାଙ୍କ ମୃତ୍ୟୁ ଦେଖିବେ ତା’ହେଲେ ଭାବନ୍ତୁ ସେମାନଙ୍କର ସ୍ଥିତି କ’ଣ ହେବ । ପାଦ ତଳୁ ମାଟି ଖସିଲା ଭଳି ଲାଗିବ। ଆଉ ଏମିତି କିଛି ଘଟିଛି ଜଣେ ନର୍ସ ଦିଦିଙ୍କ ସହ ।

ସବୁଦିନ ଭଳି ମଙ୍ଗଳବାର ମଧ୍ୟ ଅଳକା ନିତ୍ୟକର୍ମ ସାରି ଡାକ୍ତରଖାନା ପହଞ୍ଚି ଯାଇଥିଲେ । କାରଣ ତାଙ୍କ ପାଇଁ ରୋଗୀ ସେବା ହିଁ ଭଗବାନଙ୍କ ସେବା । ଡାକ୍ତରଖାନରେ ଡ୍ୟୁଟି ଚାଲିଥିଲା । ହଠାତ୍‌ ଖବର ଆସିଲା, ଦୁଇ ଗୁରୁତର ଶିଶୁକୁ ଡାକ୍ତରଖାନାକୁ ଅଣାଯାଉଛି । ଏଣୁ ସେ ଶିଶୁଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ ।

ଦୁଇ ଗୁରୁତର ଶିଶୁ ଡାକ୍ତରଖାନା ପହଞ୍ଚିବା ପରେ ତାଙ୍କୁ ବେଡ୍‌ରେ ଶୁଆଇ ଦିଆଯାଇଥିଲା । ଆଉ ନର୍ସ ଅଳକା ଦିଦି ବି ଶିଶୁଙ୍କୁ ଚିକିତ୍ସା ପାଇଁ ବେଡ୍ ପାଖକୁ ଦୌଡ଼ି ଯାଇଥିଲେ । ହେଲେ ୨ ଗୁରୁତର ଶିଶୁଙ୍କୁ ଦେଖିଲା ପରେ ପାଦ ତଳୁ ତାଙ୍କର ମାଟି ଖସି ଯାଇଥିଲା । କାରଣ ସେ ଜାଣି ନଥିଲେ ଯାହାଙ୍କ ଚିକିତ୍ସା ପାଇଁ ସେ ଦୌଡ଼ି ଆସିଥିଲେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କର ବର୍ଷକର ଝିଅ ସିଦ୍ଧିଶ୍ରୀ ଓ ଅନ୍ୟ ଜଣେ ତାଙ୍କ ବଡଭାଇଙ୍କ ଦୁଇ ବର୍ଷର ଝିଅ ଦିଶା ।

ହସ୍ପିଟାଲ ବେଡ୍‌ରେ ନିଜ ଛୁଆକୁ ଦେଖି ବିଶ୍ୱାସ କରିପାରୁନଥିଲେ ଅଳକା । ବାରମ୍ବାର ଭଗବାନଙ୍କୁ ହାତଯୋଡ଼ି ‘ନେହୁରା ହେଉଥିଲେ । କହୁଥିଲ ହେ ଭଗବାନ, ଏତେ ନିଷ୍ଠୁର ହୁଅନି । ମୋ ଡାକ ଶୁଣ । ମୋ ଛୁଆ ଦୁଇଟିକୁ ଭଲ କରିଦିଅ ।’ ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଡାକ୍ତର ଓ ନର୍ସଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଉଭୟ ଶିଶୁ କନ୍ୟାଙ୍କୁ ବଞ୍ଚା ଯାଇ ପାରିନଥିଲା ।

ଶେଷରେ ଡାକ୍ତର ଶିଶୁ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ । ଆଖି ସାମ୍ନାରେ ଅଳକାଙ୍କ କୋଳ ଖାଲି ହୋଇଗଲା । ଦୁନିଆ କ’ଣ ଭଲ ଭାବେ ଜାଣିନଥିବା ଦୁଇ ନିଷ୍ପାପ କୁନିଝିଅ ବହୁ ଦୂରକୁ ଚାଲିଗଲେ । ମୃତ ଦୁଇ ଶିଶୁ କନ୍ୟା ହେଲେ- ବୀରମହାରାଜପୁରର ଅଳକା ମିଶ୍ରଙ୍କ ଏକମାତ୍ର ଝିଅ ସିଦ୍ଧିଶ୍ରୀ ଏବଂ ତାଙ୍କ ବଡ଼ଭାଇ ଶିକ୍ଷକ ଆଲୋକ ମିଶ୍ରଙ୍କ ଏକମାତ୍ର ଝିଅ ଦିଶା ।

ଗତକାଲି ସନ୍ଧ୍ୟାରେ ଖେଳୁ ଥିବାବେଳେ ଛୁଆ ଦ୍ୱୟ ଘର ପଛପଟ କୂଅରେ ପଡ଼ି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ବୀରମହାରାଜ ଡାକ୍ତରଖାନାକୁ ଅଣାଯାଇଥିଲା । ଯେଉଁଠି ଷ୍ଟାଫ ନର୍ସ ଭାବେ ଅଳକା କାମ କରନ୍ତି । ଦୁଇ ଗେହ୍ଲା ଝିଅଙ୍କୁ ହରାଇବା ପରେ ମିଶ୍ର ପରିବାର ଓ ସାରା ସୁବର୍ଣ୍ଣପୁର ପାଇଁ ମଙ୍ଗଳବାର ସନ୍ଧ୍ୟା ଅଶୁଭ ମଙ୍ଗଳବାର ପାଲଟି ଯାଇଛି ।