ୟୁଜର୍ ଏକ୍ସପିରିଏନ୍ସ (UX) ଅଡିଟ୍ ଏବଂ କ୍ଷମତା ବୃଦ୍ଧି ଉପରେ ରାଜ୍ୟ ସ୍ତରୀୟ ସଚେତନତା ଓ ସଂବେଦନଶୀଳତା କର୍ମଶାଳା
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ୨୦୨୬ ମେ’ ୧୨ ଏବଂ ୧୩ ତାରିଖରେ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ 'ୟୁଜର୍ ଏକ୍ସପିରିଏନ୍ସ (UX) ଅଡିଟ୍ ଏବଂ କ୍ଷମତା ବୃଦ୍ଧି' ଉପରେ ଏକ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ସଚେତନତା ଓ ସଂବେଦନଶୀଳତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଏହି କର୍ମଶାଳାରେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର DIC ର ମୁଖ୍ୟ ବୈଷୟିକ ଅଧିକାରୀ ତଥା ଜାତୀୟ ଇ-ଗଭର୍ଣ୍ଣାନ୍ସ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ନାୟକ; ଓଡ଼ିଶା ସରକାରଙ୍କ ସେଣ୍ଟର ଫର୍ ମଡର୍ଣ୍ଣାଇଜେସନ୍ ଅଫ୍ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ସ (CMGI) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା ଏବଂ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର (NIC), ଓଡ଼ିଶାର ଡେପୁଟି ଡାଇରେକ୍ଟର ଜେନେରାଲ ତଥା ରାଜ୍ୟ ସୂଚନା ଅଧିକାରୀ ଡକ୍ଟର ଅଶୋକ କୁମାର ହୋଟା ଯୋଗ ଦେଇଥିଲେ ।
ଏହି କର୍ମଶାଳାରେ ଜାତୀୟ ଇ-ଗଭର୍ଣ୍ଣାନ୍ସ ବିଭାଗର ଏକ ବିଶେଷଜ୍ଞ ଦଳଙ୍କ ଦ୍ୱାରା ୟୁଜର୍ ଏକ୍ସପିରିଏନ୍ସ (UX) ଅଡିଟ୍ ଏବଂ ଡିଜାଇନ୍ ସିଷ୍ଟମ୍ ଉପରେ ଚାରୋଟି ବୈଷୟିକ ଅଧିବେଶନ ପରିଚାଳିତ ହୋଇଥିଲା । ଏହି ଅବସରରେ ଅତିଥିମାନେ “UI/UX in e-Governance” ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ କରିଥିଲେ ।
ନିଜର ଉଦଘାଟନୀ ଅଭିଭାଷଣରେ ଶ୍ରୀ ସୁରେନ୍ଦ୍ର କୁମାର ମୀନା ଡିଜିଟାଲ୍ ଶାସନ କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂତନ ଆହ୍ୱାନ ଏବଂ ସୁଯୋଗ ଉପରେ ଆଲୋକପାତ କରିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି କର୍ମଶାଳା ଅଂଶଗ୍ରହଣକାରୀମାନଙ୍କୁ ନାଗରିକ-କୈନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିବା, ୟୁଜର୍ ଏକ୍ସପିରିଏନ୍ସରେ ସୁଧାର ଆଣିବା ଏବଂ ଦକ୍ଷ ସେବା ପ୍ରଦାନ ପାଇଁ ଇ-ଗଭର୍ଣ୍ଣାନ୍ସ ଆପ୍ଲିକେସନଗୁଡ଼ିକ ଉପରେ ଜନସାଧାରଣଙ୍କ ବିଶ୍ୱାସ ଓ ଭରସାକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ ।
ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଡକ୍ଟର ଅଶୋକ କୁମାର ହୋଟା ଡିଜିଟାଲ୍ ପ୍ଲାଟଫର୍ମରେ ୟୁଜର୍ ଏକ୍ସପିରିଏନ୍ସ ଏବଂ ଡିଜାଇନ୍ ସିଷ୍ଟମର ଗୁରୁତ୍ୱ ବିଷୟରେ କହିଥିଲେ। ନାଗରିକ-କୈନ୍ଦ୍ରିକ ଆପ୍ଲିକେସନଗୁଡ଼ିକର ଗୁଣବତ୍ତା ଏବଂ ବ୍ୟବହାର ଯୋଗ୍ୟତା ବୃଦ୍ଧି କରିବା ପାଇଁ କର୍ମଶାଳାରେ ଆଲୋଚିତ ଧାରଣାଗୁଡ଼ିକୁ ପ୍ରଭାବଶାଳୀ ଭାବରେ ପ୍ରୟୋଗ କରିବାକୁ ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ ।
ଶ୍ରୀ ଦେବବ୍ରତ ନାୟକ ନିଜର ପ୍ରାରମ୍ଭିକ ମନ୍ତବ୍ୟରେ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ସାଧାରଣ ଜନତାଙ୍କ ପାଇଁ ଆପ୍ଲିକେସନ୍ ପ୍ରସ୍ତୁତ କରିବା ସମୟରେ ୟୁଜର୍ ଏକ୍ସପିରିଏନ୍ସ ଏବଂ ଡିଜାଇନ୍ ସିଷ୍ଟମ୍ ଉପରେ ଧ୍ୟାନ ଦିଅନ୍ତୁ, ଯାହାଫଳରେ କାର୍ଯ୍ୟଦକ୍ଷତା, ସମୟାନୁବର୍ତ୍ତିତା, ବ୍ୟବହାରର ସହଜତା ଏବଂ ପ୍ରକ୍ରିୟାର ସରଳୀକରଣରେ ଉନ୍ନତି ଆସିପାରିବ ।
ଜାତୀୟ ଇ-ଗଭର୍ଣ୍ଣାନ୍ସ ବିଭାଗ, ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର (NIC) ଏବଂ ଓଡ଼ିଶା ସରକାରଙ୍କ ସେଣ୍ଟର ଫର୍ ମଡର୍ଣ୍ଣାଇଜେସନ୍ ଅଫ୍ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ସ (CMGI) ର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ, CMGI ଏବଂ NIC ଓଡ଼ିଶାର ପ୍ରାୟ ୨୦୦ ଅଧିକାରୀ ଅଂଶଗ୍ରହଣ କରିଥିଲେ ।