ପୁରୀର ବେଳାଭୂମିରେ ଆସନ୍ତା ମାର୍ଚ୍ଚ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍” ଅନୁଷ୍ଠିତ ହେବ

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି):  ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଆସନ୍ତା ମାର୍ଚ୍ଚ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍” ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ବେଳାଭୂମି ସୁସ୍ଥ ଜୀବନଶୈଳୀ ଏବଂ କ୍ରୀଡ଼ାଭିତ୍ତିକ ସଚେତନତାର ଏକ ପ୍ରମୁଖ ସ୍ଥଳ ପାଲଟିବ ବୋଲି ଆଶା କରାଯାଉଛି ।

ମାର୍ଚ୍ଚ 13 ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ , ପୁରୀ ଜିଲ୍ଲା ପ୍ରଶାସନ, "MY Bharat" ଏବଂ NSS ଓଡ଼ିଶାର ଅଧିକାରୀମାନଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ଫିଟ୍ ଇଣ୍ଡିଆ ମିଶନ ଅଧୀନରେ SAI ଆଞ୍ଚଳିକ କେନ୍ଦ୍ର (କୋଲକାତା) ଏବଂ NCOE ଜଗତପୁର ଦ୍ୱାରା ଆୟୋଜିତ ଏହି କାର୍ଣ୍ଣିଭାଲର ମୁଖ୍ୟ ଲକ୍ଷ୍ୟ ହେଉଛି ଶାରୀରିକ ସୁସ୍ଥତାକୁ ସାଧାରଣ ଜନତାଙ୍କ ନିମନ୍ତେ ଏକ ନିୟମିତ ଅଭ୍ୟାସରେ ପରିଣତ କରିବା । 
ପୁରୀ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହର ହୋଇଥିବାରୁ, ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବହୁଳ ମାତ୍ରାରେ ପ୍ରତିଯୋଗୀ ଯୋଗଦେବେ ବୋଲି ଆଶା କରାଯାଉଛି।

ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ବ୍ୟାପକ ଜନସମ୍ପର୍କ ଏବଂ ସୁରକ୍ଷା। ଏହା କେବଳ ଯୁବପିଢ଼ି ନୁହେଁ, ବରଂ ପର୍ଯ୍ୟଟକ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି । ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଗୋଷ୍ଠୀ-ଭିତ୍ତିକ ହୋଇ ଏକ ବୃହତ ଅଭିଯାନରେ ପରିଣତ ହେବ ଏବଂ ଏଥିରେ ସାଧାରଣ ଲୋକଙ୍କ ସହଭାଗିତା ବୃଦ୍ଧି ପାଇବ । ଏହି କାର୍ଣ୍ଣିଭାଲ୍ ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ଏକାଠି କରି ଆମ ଐତିହ୍ୟ ସହରର ସୁନ୍ଦର ପରିବେଶରେ ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣର ବାର୍ତ୍ତା ପ୍ରସାର କରିବ ବୋଲି ମାନ୍ୟବର ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି l

ଏହି ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-ତଥା-ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ବିଜୟ ସ୍ୱାଇଁ ଏବଂ ବିଭାଗର ଅନ୍ୟାନ୍ୟ ପ୍ରମୁଖ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ l