ଓଡ଼ିଶାରେ ମୋଦି : ୬୦ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଭେଟି, ୯୭ ହଜାର ୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ

 

ଓଡ଼ିଆ ଗସିପ ବ୍ୟୁରୋ : ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂଜା ଭେଟି ଦେଇଛନ୍ତି । ଓଡ଼ିଶାର ବିକାଶ ପାଇଁ ଗୋଟେ ପ୍ରକାର ହାତ ଖୋଲି ଦେଲେ ପିଏମ ମୋଦି । ଝାରସୁଗୁଡ଼ାରେ ୬୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୋଦି । ଯେଉଁଥିରେ ୯୭ ହଜାର ୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଛି ।

୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ସମ୍ବଲପୁର ସିଟି-ସର୍ଲା ରେଳ ଫ୍ଲାଏଓଭର ଏବଂ ଭୁବନେଶ୍ବରରେ ସେମି କଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ଶିଳାନ୍ୟାସ କରାଯାଇଛି । ଦେଶରେ ବିଏସଏନଏଲ୍  4G ସେବା ଶୁଭାରମ୍ଭ କରିଛନ୍ତି ମୋଦି ।

ବୈଷୟିକ ଶିକ୍ଷା କ୍ଷେତ୍ରରେ ବହୁବିଧ ଶିକ୍ଷା ଓ ଗବେଷଣା ବିକାଶ ଯୋଜନା, ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପ୍ରକଳ୍ପର ଶୁଭାରମ୍ଭ, ୧୩୦ଟି ଓ୍ୱାଇଫାଇ ଯୁକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଉଦଘାଟନ କରିଛନ୍ତି । ଏହାସହିତ କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଡବଲିଂ ପ୍ରକଳ୍ପର ଉତ୍ସର୍ଗ କରିଛନ୍ତି ।

ବ୍ରହ୍ମପୁରରୁ ସୁରତ ଯାଏଁ ଅମୃତ ଭାରତ ଟ୍ରେନ୍ ସେବାର ଶୁଭାରମ୍ଭ କରିବା ସହ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ମଞ୍ଜୁରିପତ୍ର ପ୍ରଦାନ କରିଛନ୍ତି ପିଏମ୍ । ସେହିଭଳି ଭିମସାର ଓ ଏମକେସିଜି ମେଡିକାଲ କଲେଜର ଉନ୍ନତୀକରଣ ମାଷ୍ଟରପ୍ଲାନ ଲୋକାର୍ପଣ କରିଛନ୍ତି ମୋଦି ।