ପ୍ରକାଶ ପାଇଲା ଯୁକ୍ତ ୨ ଫଳାଫଳ: ଚଳିତ ବର୍ଷ ମଧ୍ୟ ବାଜି ମାରିଲେ ଛାତ୍ରୀ, ଜାଣନ୍ତୁ କେଉଁ ବିଭାଗରେ କେତେ ରହିଛି ପାସ ହାର
ଓଡ଼ିଆ ଗସିପ୍ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ଵର):ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। CHSE କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆନୁଷ୍ଠାନିକ ଭାବେ ଏହି ଫଳାଫଳ ଘୋଷଣା କରିଛନ୍ତି। ଚଳିତ ବର୍ଷ ମଧ୍ୟ ସବୁ ସ୍ତ୍ରୀମରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରି ବାଜି ମାରିଛନ୍ତି।ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକାସଙ୍ଗେ କଳା (Arts), ବାଣିଜ୍ୟ (Commerce), ବିଜ୍ଞାନ (Science) ଏବଂ ଧନ୍ଦାମୂଳକ ଶିକ୍ଷା (Vocational) ର ରେଜଲ୍ଟ ପ୍ରକାଶ ପାଇଛି। କଳାରେ ପାସ ହାର ୮୪.୫୦% , ବାଣିଜ୍ୟରେ ପାସ ହାର ୮୮.୦୭% ଥିବାବେଳେ ବିଜ୍ଞାନରେ ପାସ ହାର ୮୮.୮୦ ପ୍ରତିଶତ ରହିଛି।
କେମିତି ଓ କେଉଁଠି ଦେଖିବେ ରେଜଲ୍ଟ?
ପରୀକ୍ଷାର୍ଥୀମାନେ ନିଜର ରୋଲ ନମ୍ବର (Roll Number) ଏବଂ ରେଜିଷ୍ଟ୍ରେସନ ନମ୍ବର (Registration Number) ବ୍ୟବହାର କରି ନିମ୍ନଲିଖିତ ୱେବସାଇଟ ମାଧ୍ୟମରେ ନିଜର ଫଳାଫଳ ଦେଖିପାରିବେ: https://results.odisha.gov.in, https://results.digilocker.gov.in।
ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ ନିଜର ଡିଜିଲକର (DigiLocker) ଆକାଉଣ୍ଟରୁ ମଧ୍ୟ ମାର୍କଶିଟ ଡାଉନଲୋଡ କରିପାରିବେ। ସେହିପରି ସାମ୍ସ କଲେଜ ଇ-ସ୍ପେସ ପୋର୍ଟାଲ (SAMS College e-Space Portal) ମାଧ୍ୟମରେ ମଧ୍ୟ କଲେଜଗୁଡ଼ିକ ରେଜଲ୍ଟ ପାଇପାରିବେ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ: ଚଳିତ ବର୍ଷ ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଚାଲିଥିଲା। ଏହି ପରୀକ୍ଷାରେ ରାଜ୍ୟର ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଫଳାଫଳ ପ୍ରକାଶ ପାଇବା ପରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।