ୟୁକ୍ରେନର ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ: ଚାକିରି ପାଇଁ ଯାଇଥିଲେ ରୁଷ
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ରୁଷର ରାଜଧାନୀ ମସ୍କୋରେ ୟୁକ୍ରେନ ପକ୍ଷରୁ ହୋଇଥିବା ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧାବନ୍ଧା ଗାଁର ଏ. ରମୈୟା ବୋଲି ଚିହ୍ନଟ କରାଯାଇଛି ।
ସୂଚନା ଅନୁଯାୟୀ, ରମୈୟା ପ୍ରାୟ ମାସେ ପୂର୍ବରୁ ରୋଜଗାର ଆଶାରେ ରୁଷ ଯାଇଥିଲେ । ସେ ସେଠାରେ ଏକ କମ୍ପାନୀରେ କାମ କରୁଥିବା ବେଳେ ଗତ ଶନିବାର ୟୁକ୍ରେନ ପକ୍ଷରୁ ମସ୍କୋ ଅଞ୍ଚଳକୁ ଟାର୍ଗେଟ କରି ଶତାଧିକ ଡ୍ରୋନ ମାଡ଼ କରାଯାଇଥିଲା ।
ଅଧିକ ପଢ଼ନ୍ତୁ : ‘ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହ’: ଅପରାଧୀଙ୍କୁ ଓଡ଼ିଶା ଡିଜିପିଙ୍କ କଡ଼ା ଚେତାବନୀ
ଏହି ଆକ୍ରମଣ ସମୟରେ ରମୈୟା ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଅନ୍ୟ ୩ ଜଣ ଭାରତୀୟ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ରମୈୟାଙ୍କର ଏକ ବନ୍ଧୁ ଫୋନ ଯୋଗେ ତାଙ୍କ ପରିବାରକୁ ଏହି ଦୁଃଖଦ ଖବର ଦେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏହି ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, ଶୋକସନ୍ତପ୍ତ ପରିବାର ପ୍ରତି ଜିଲ୍ଲା ପ୍ରଶାସନର ଗଭୀର ସମବେଦନା ରହିଛି । ରମୈୟାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ପାଇଁ ଭାରତୀୟ ଦୂତାବାସ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (MEA) ସହ ନିରନ୍ତର ଯୋଗାଯୋଗ କରାଯାଉଛି ।