ଏନ ଆଇ ସି ଓଡିଶା ଦ୍ଵାରା ରାଜ୍ୟରେ ସୁରକ୍ଷିତ ଇନ୍ଟରନେଟ ଦିବସ ପାଳିତ

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ସୁରକ୍ଷିତ ଇନ୍ଟରନେଟ ଦିବସ ୨୦୨୬ ଉପଲକ୍ଷେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି), ଓଡ଼ିଶା ଦ୍ୱାରା ସମଗ୍ର ରାଜ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟଶାଳା ଓ ସେମିନାର୍‌ର ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ଫେବୃଆରୀ ମାସର ଦ୍ୱିତୀୟ ମଙ୍ଗଳବାର ସାରା ବିଶ୍ୱରେ ପାଳିତ ହେଉଥିବା ସୁରକ୍ଷିତ ଇନ୍ଟରନେଟ ଦିବସର ଉଦ୍ଦେଶ୍ୟ ହେଉଛି ଏକ ସୁରକ୍ଷିତ ଓ ଦାୟିତ୍ୱଶୀଳ ଡିଜିଟାଲ୍ ପରିବେଶ ଗଢ଼ି ତୋଳିବା ।

ଏହି ବର୍ଷର ବିଷୟବସ୍ତୁ ରହିଥିଲା “ସ୍ମାର୍ଟ ଟେକ୍, ସୁରକ୍ଷିତ ପସନ୍ଦ : ଏଆଇର ସୁରକ୍ଷିତ ଓ ଦାୟିତ୍ୱଶୀଳ ବ୍ୟବହାରର ଅନୁସନ୍ଧାନ” I ଏହା ର ଉଦ୍ଦେଶ୍ୟ ଡିଜିଟାଲ୍ ନାଗରିକ, ବିଶେଷକରି କିଶୋର ଓ ଯୁବପିଢ଼ିଙ୍କ ମଧ୍ୟରେ ଏକ ସମାବେଶୀ, ସୁଦୃଢ଼ ଓ ସୁରକ୍ଷିତ ସାଇବର୍ ବିଶ୍ୱ ଗଠନ ପାଇଁ ସଚେତନତା ସୃଷ୍ଟି କରିବା । ଅନଲାଇନ୍ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବାଠାରୁ ଆରମ୍ଭ କରି ଅନଲାଇନ୍ ରିପୋର୍ଟ କରିବା ପାଇଁ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ପର୍ଯ୍ୟନ୍ତ, ସୁରକ୍ଷିତ ଇନ୍ଟରନେଟ ଦିବସ ଶିକ୍ଷା ଓ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖିଛି ।

ଏହି ଅବସରରେ ବିଭିନ୍ନ ସଂସ୍ଥା, ବିଦ୍ୟାଳୟ ଓ ସମୁଦାୟ ଦ୍ୱାରା ସାଇବର୍ ସୁରକ୍ଷା ପ୍ରଚାର ପାଇଁ ନାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ସମସ୍ତଙ୍କ ପାଇଁ ଉପକାରୀ, ସକାରାତ୍ମକ ଓ ସୁରକ୍ଷିତ ଇଣ୍ଟରନେଟ୍ ଗଢ଼ିବାରେ ଏକ ଆହ୍ୱାନ ରୂପେ କାମ କରେ ।

ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଓଡ଼ିଶା ଏନଆଇସି  ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୩୭ଟି ସଚେତନତା କାର୍ଯ୍ୟଶାଳା, ସେମିନାର୍ ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରାୟ ୫,୦୦୦ ପ୍ରତିଭାଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ସମୟରେ ପ୍ରତିଭାଗୀମାନେ ଏଆଇର ସୁରକ୍ଷିତ ଓ ଦାୟିତ୍ୱଶୀଳ ବ୍ୟବହାର ପାଇଁ ଶପଥ ଗ୍ରହଣ କରିଥିଲେ ।

ଏହି ପରିପ୍ରେକ୍ଷିରେ ଭୁବନେଶ୍ୱରସ୍ଥିତ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ଓ କୃପାଜଲ ଇଞ୍ଜିନିୟରିଂ କଲେଜ୍‌ରେ ଦୁଇଟି ସଚେତନତା କାର୍ଯ୍ୟଶାଳା ଆୟୋଜିତ ହୋଇଥିଲା । ଏଥିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ସୁରକ୍ଷିତ ବ୍ୟବହାର, ଅନଲାଇନ୍ ଆର୍ଥିକ ଠକେଇ, ରାନ୍ସମୱେୟାର୍ ଆକ୍ରମଣ, ସାଇବର୍ ଆତଙ୍କବାଦ, ଶିଶୁ ଅଶ୍ଳୀଳତା ଓ ଅନଲାଇନ୍ ଯୌନ ଶୋଷଣ, ଡିଜିଟାଲ୍ ଗିରଫ, ପରିଚୟ ଚୋରି ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ପ୍ରୟାସମାନଙ୍କ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଏଆଇ, ଇଣ୍ଟରନେଟ୍ ଓ ଡିଜିଟାଲ୍ ପରିବେଶର ସୁରକ୍ଷିତ ଓ ଦାୟିତ୍ୱଶୀଳ ବ୍ୟବହାର ସହିତ ବିଭିନ୍ନ ପ୍ରକାର ଅନଲାଇନ୍ ଠକେଇରୁ ସୁରକ୍ଷା ପାଇଁ ସଚେତନ କରାଯାଇଥିଲା । ଏହି କାର୍ଯକ୍ରମ କୁ ବରିଷ୍ଠ ବୈଜ୍ଞାନିକ ଶ୍ରୀ ଜୟନ୍ତ କୁମାର ମିଶ୍ର, ଶ୍ରୀମତୀ ସୁଜାତା ଦାସ, ଶ୍ରୀ ନୀଳାଦ୍ରୀ ବିହାରୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ରାଜ୍ୟ ସୂଚନା ବିଜ୍ଞାନ ପଦାଧିକାରୀ ଡା । ଅଶୋକ କୁମାର ହୋତା ସମସ୍ତଙ୍କର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।