ପୁଣି ମୋଟର ଯାନରେ ଲାଗିଲା ନୂଆ ନିୟମ; ୫ ଥର ଚାଲାଣ କଟିଲେ ରଦ୍ଦ ହେବ ଡ଼ିଏଲ (DL), କୋର୍ଟଙ୍କ ନିର୍ଦ୍ଦେଶରେ ସିଜ୍ ହୋଇପାରେ ଗାଡ଼ି

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ପୁଣି ମୋଟର ଯାନରେ ଲାଗିଲା ନୂଆ ନିୟମ । ୫ ଥର ଚାଲାଣ କଟିଲେ ହରାଇ ପାରନ୍ତି ଡିଏଲ୍ । କୋର୍ଟ ଚାହିଁଲେ ଜବତ ହୋଇପାରେ ଗାଡ଼ି । ଚାଲାଣ କଟିଥିଲେ ଉଠାଇପାରିବେ ଆପତ୍ତି । ନୂଆବର୍ଷରେ ନୂଆ ନିୟମ ଲାଗୁ କଲେ କେନ୍ଦ୍ର ସରକାର...।

ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍- PUCC ଟେନସନ୍ ମୁଣ୍ଡରୁ ନଓହ୍ଲାଉଣୁ ଲାଗୁ ହେଇଛି ଆଉ ଏକ ନିୟମ । ଯାହା ଜାଣିବା ଗାଡ଼ି ଚାଳକଙ୍କ ପାଇଁ ନିହାତି ଜରୁରୀ । ଏଣିକି ବର୍ଷକୁ ୫ଟା କିମ୍ବା ତାଠାରୁ ଅଧିକ ଚାଲାଣ କଟିଲେ ବଡ଼ ସମସ୍ୟାର ସାମ୍ନା କରିପାରନ୍ତି ଗାଡ଼ି ଚାଳକ । ଏଭଳି ପରିସ୍ଥିତିରେ ଗାଡ଼ି ଜବତ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି କୋର୍ଟ ।

ମୋଟର ଯାନ ଆଇନ ସଂଶୋଧିତ:

ଆଉ ଜବତ ବି ହୋଇପାରେ ଗାଡ଼ି । ବାତିଲ ହୋଇପାରେ ଖିଲାପକାରୀଙ୍କ ଡିଏଲ୍ । ଏଭଳି କଡ଼ା ଆଭିମୁଖ୍ୟ ପୋଷଣ କରି ନୂଆ ମୋଟର ଯାନ ଆଇନକୁ ସଂଶୋଧନ କରାଯାଇଛି । ବାରମ୍ବାର ଟ୍ରାଫିକ୍ ନିୟମ ଖିଲାପ କରିବା ଓ ଚାଲାଣ ଦୀର୍ଘ ଦିନ ଧରି ପଇଠ ନକରିବା ଘଟଣା ସାମ୍ନାକୁ ଆସିବା ପରେ ଲାଗୁ ହୋଇଛି କଡ଼ା ନିୟମ । ଯାହା ଖିଲାପକାରୀଙ୍କୁ ସାବାଡ଼ କରିବ । ମୋଟର ଯାନ ନିୟମରେ ଆସିଥିବା ଏହି ବଡ଼ ସଂଶୋଧନ ଏ ବର୍ଷରୁ ଅର୍ଥାତ ଜାନୁଆରୀ ପହିଲାରୁ ଲାଗୁ ହୋଇଛି ।

ସବୁ କଡ଼ାକଡ଼ି ଭିତିରେ କିଛିଟା ଆଶ୍ବସ୍ତିକର ବ୍ୟବସ୍ଥା ବି ରହିଛି । ଚାଲାଣ କଟିଲେ ୪୫ ଦିନ ଭିତରେ ଆପତ୍ତି ଉଠାଇ ପାରିବେ ଗାଡ଼ି ଚାଳକ । କେଉଁ ଭଳି କ୍ଷେତ୍ରରେ ଚାଲାଣ କଟିଲା ନିଜ ଯୁକ୍ତି ଉପସ୍ଥାପିତ କରିବାକୁ ହେବ । ଯଦି, ଏଥିରେ ସନ୍ତୁଷ୍ଟ ହୁଅନ୍ତି ଅଧିକାରୀ ତାହେଲେ ଚାଲାଣ ବାତିଲ ବି ହେଇପାରେ ।

ସଂଶୋଧିତ ନିୟମରେ ଉଲ୍ଲେଖ ରହିଛି କି, ୟୁନିଫର୍ମରେ ଥିବା ପୋଲିସ୍ ଅଧିକାରୀ କିମ୍ବା ସରକାରଙ୍କ ସ୍ବୀକୃତ ଅଧିକାରୀ ହିଁ ଚାଲାଣ କାଟିପାରିବେ । ଖିଲାପକାରୀଙ୍କ ପାଖରେ ତାହା ପ୍ରତ୍ୟକ୍ଷ ଭାବେ ୧୫ ଦିନ ଭିତରେ କିମ୍ବା ଇ-ଚାଲାଣ ୩ ଦିନ ଭିତରେ ହିଁ ପହଞ୍ଚିବ । ଯାହାକୁ ନେଇ ଗାଡ଼ି ଚାଳକଙ୍କ ମଧ୍ୟରେ କିଛିଟା ଆଶ୍ବସ୍ତି ଅନୁଭବ କରିଛନ୍ତି ।

ଘରୋଇ ବସ୍ ମାଲିକ ମହାସଂଘର ବିରୋଧ:

ହେଲେ ଏହାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ମହାସଂଘ । ଏଭଳି ନିୟମ ବସ୍ ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବ । ତେଣୁ ପୁଣି ତର୍ଜମା କରିବାକୁ ରାଜ୍ୟ ସରକାରଙ୍କୁ କରିଛନ୍ତି ନିବେଦନ । ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ଏ ନିୟମ ଅମାନିଆଙ୍କ ପାଇଁ, ନିୟମ ମାନିଲେ କୌଣସି ଅସୁବିଧା ହେବନି ।