ମୌସୁମୀ ଆଗମନରେ ଭାଙ୍ଗିବ ୩୫ ବର୍ଷର ରେକର୍ଡ! କେବେ କେରଳ ଛୁଇଁବ ମୌସୁମୀ, ତାରିଖ କହିଲା IMD

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ନୂଆଦିଲ୍ଲୀ,୧୭।୫): ଭାରତୀୟ ପାଣିପାଗ ବିଭାଗ (IMD) ଶୁକ୍ରବାର ସୂଚନା ଦେଇଛି ଯେ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ’ ୨୬ ତାରିଖ ସୁଦ୍ଧା କେରଳରେ ପହଞ୍ଚିବା ନେଇ ଅନୁମାନ କରାଯାଉଛି। ଏହା ଏହାର ସ୍ବାଭାବିକ ସମୟ ଜୁନ ୧ ତାରିଖଠାରୁ ପ୍ରାୟ ୬ ଦିନ ପୂର୍ବରୁ ଆସୁଛି। ତେବେ ପାଣିପାଗ ବିଭାଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛି , ମୌସୁମୀ ଆହୁରି ଆଗୁଆ ଅର୍ଥାତ୍‌ ମେ’ ୨୨ ସୁଦ୍ଧା ମଧ୍ୟ ପହଞ୍ଚିପାରେ। ଯଦି ଏପରି ହୁଏ, ତେବେ ଗତ ୩୫ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ, ଯେତେବେଳେ ମୌସୁମୀ ଏତେ ଶୀଘ୍ର ଭାରତୀୟ ଭୂଭାଗରେ ପ୍ରବେଶ କରିବ। ଏହାପୂର୍ବରୁ ୧୯୯୦ ମସିହାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ନିଶ୍ଚିତ ସମୟର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଅର୍ଥାତ୍‌ ମେ’ ୧୮ ତାରିଖରେ କେରଳ ଉପକୂଳ ଛୁଇଁଥିଲା।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ଅନୁକୂଳ ପରିବେଶ ରହିଛି। ଏଥିସହିତ ପଶ୍ଚିମ ଉପକୂଳର ଦକ୍ଷିଣ ଭାଗରେ ମେ’ ୨୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୦୨୫ ମସିହାରେ ମୌସୁମୀ ମେ’ ୨୪ ତାରିଖରେ କେରଳ ଛୁଇଁଥିଲା। ପାଣିପାଗ ବିଭାଗ ସ୍ପଷ୍ଟ କରିଛି ଯେ, ମୌସୁମୀ ଆଗୁଆ ଆସିବା କୌଣସି ଅସ୍ବାଭାବିକ କଥା ନୁହେଁ, ମାତ୍ର ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ଅଧିକ ଆଗୁଆ ଆସିଲେ ମୌସୁମୀ କିଛିଟା ଦୁର୍ବଳ ହୋଇଯାଏ। ମୌସୁମୀର ଆଗୁଆ ଆଗମନ ଏବଂ ସମୁଦାୟ ବର୍ଷାର ପରିମାଣ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ।

ଅଧିକ ପଢ଼ନ୍ତୁ : ବୃଷ ରାଶିକୁ ଗୋଚର କଲେ ସୂର୍ଯ୍ୟ, ଆଜିଠୁ ଏହି ୩ ରାଶିଙ୍କ ପାଇଁ ବଢିଲା ଭୟଙ୍କର ସମସ୍ୟା!

‘ସ୍କାଏମେଟ ୱେଦର’ (Skymet Weather) ର ଜଳବାୟୁ ଏବଂ ପାଣିପାଗ ବିଜ୍ଞାନ ବିଭାଗର ଉପାଧ୍ୟକ୍ଷ ମହେଶ ପଲାୱତ କହିଛନ୍ତି, ଏଭଳି ଅନେକ ବର୍ଷ ରହିଛି ଯେତେବେଳେ ମୌସୁମୀ ଶୀଘ୍ର ଆସିଛି ସତ, ମାତ୍ର ବର୍ଷା କମ୍‌ ହୋଇଛି। ଏହା ସମ୍ପୂର୍ଣ୍ଣ ଭାବେ ନିର୍ଭର କରେ ଯେ ବାୟୁମଣ୍ଡଳରେ କେତୋଟି ଲଘୁଚାପ ସୃଷ୍ଟି ହେଉଛି ଏବଂ ମୌସୁମୀ କେଉଁ ଗତିରେ ଆଗକୁ ବଢ଼ୁଛି, କାରଣ ମୌସୁମୀ ସବୁବେଳେ ଲହରୀ (Waves) ଆକାରରେ ଆସିଥାଏ। ତେବେ ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରୁ ମିଳୁଥିବା ବାୟୁମଣ୍ଡଳୀୟ ସଙ୍କେତ ‘ଅଲ ନିନୋ’ (El Ni୦o) ର ଆଗମନକୁ ନିଶ୍ଚିତ କରୁଛି।

ଆମେରିକାର ଜଳବାୟୁ ପୂର୍ବାନୁମାନ କେନ୍ଦ୍ର ଗୁରୁବାର କହିଛି, ଅଲ ନିନୋ (El Ni୦o) ଖୁବ ଶୀଘ୍ର ସକ୍ରିୟ ହେବାର ସମ୍ଭାବନା ରହିଛି ଏବଂ ବର୍ଷ ଶେଷ ସୁଦ୍ଧା ଏହା ଅତ୍ୟନ୍ତ ଶକ୍ତିଶାଳୀ ରୂପ ଧାରଣ କରିପାରେ। ନ୍ୟାସନାଲ ଓସେନିକ ଆଣ୍ଡ ଆଟମୋସଫେରିକ ଆଡମିନିଷ୍ଟ୍ରେସନ (NOAA)ର ବୈଜ୍ଞାନିକମାନେ ମେ’ ଏବଂ ଜୁଲାଇ ମଧ୍ୟରେ ଅଲ ନିନୋ ସକ୍ରିୟ ହେବାର ପ୍ରାୟ ୮୨% ସମ୍ଭାବନା ଥିବା ପ୍ରକାଶ କରିଛନ୍ତି ଏବଂ ଏହାର ପ୍ରଭାବ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଜାରି ରହିପାରେ। NOAA ର ଚାର୍ଟ ଅନୁଯାୟୀ, ସେପ୍ଟେମ୍ବର ଏବଂ ନଭେମ୍ବର ମଧ୍ୟରେ ଏହା ଶକ୍ତିଶାଳୀ କିମ୍ବା ଅତ୍ୟନ୍ତ ଶକ୍ତିଶାଳୀ ହେବାର ୫୦% ରୁ ଅଧିକ ସମ୍ଭାବନା ରହିଛି। 

ପାଣିପାଗ ବିଭାଗ ଅନୁଯାୟୀ, ଦେଶର ଏକ ବଡ଼ ଭାଗରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ କେବଳ ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ପ୍ରାୟଦ୍ୱୀପୀୟ ଭାରତର କିଛି ଅଞ୍ଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ନେଇ ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ଚଳିତ ମାସ ଶେଷ ସୁଦ୍ଧା ମୌସୁମୀ ସମ୍ପର୍କିତ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବାନୁମାନ ଜାରି କରାଯିବାର ସମ୍ଭାବନା ରହିଛି।