Matric Exam 2026: ଆଜିଠୁ ଆରମ୍ଭ ହେଲା ମାଟ୍ରିକ ଖାତା ଦେଖା, ୧୫ ଦିନ ଧରି ଚାଲିବ ପ୍ରକ୍ରିୟା

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି): ଶେଷ ହୋଇଛି ବୋର୍ଡ ପରୀକ୍ଷା । ଆଉ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆଜିଠାରୁ ଆରମ୍ଭ ହୋଇଛି । ୩୦ ଜିଲ୍ଲାର ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ । ରାଜ୍ୟର ପ୍ରାୟ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ  ଖାତା ଦେଖିବା ସହିତ ମୂଲ୍ୟାୟନ କରିବେ । 

ତେବେ ୧୫ ଦିନ ଧରି ଏହି ଖାତା ଦେଖା କାର୍ଯ୍ୟକ୍ରମ ଚାଲିପାରେ । ଏଥିପାଇଁ ବୋର୍ଡ ତରଫରୁ ବିଧିବଦ୍ଧ ଭାବେ ନୋଟିସ ଜାରି କରାଯାଇଛି। ଏପରିକି ଇଦ-ଉଲ-ଫିତର ଓ ରାମନବମୀ ପରି ଛୁଟି ଦିନରେ ମଧ୍ୟ ଏହି ଖାତା ଦେଖା କାର୍ଯ୍ୟକ୍ରମ ଜାରି ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । 

ଏହା ସହିତ ବୋର୍ଡ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ, ସହକାରୀ ନିରୀକ୍ଷକଙ୍କ ସମେତ ନିୟୋଜିତ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ବୁଧବାର ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୂଲ୍ୟାୟନ ପୂର୍ବରୁ ଅର୍ଥାତ୍‌ ପ୍ରତ୍ୟେକ ଦିନ ପୂର୍ବାହ୍ଣ ୧୦ଟା ସୁଦ୍ଧା କେନ୍ଦ୍ରରେ ପହଞ୍ଚିବେ। କ୍ୟାମ୍ପ ଅଧିକାରୀ ଓ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି ।