କିଟ୍ ଓ କିସ୍ରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର, ୨୧ ।୬): ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କିଟ୍ ଓ କିସ୍ରେ ମଧ୍ୟ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷର ବିଷୟବସ୍ତୁ ଥିଲା ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’ ।
ଏହି ଅବସରରେ ପ୍ରାତଃ ୬ଟା ସମୟରେ କିସ୍ ବିଶ୍ୱବିଦ୍ୟାଳୟ ଓ କିଟ୍ ବିଶ୍ୱବିଦ୍ୟାଳୟରେ ମିଳିତ ଭାବେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା । ଏଥିରେ କିଟ୍, କିସ୍ ଓ କିମ୍ସର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ଯୋଗ ହେଉଛି ଆମର ପୁରାତନ ପରମ୍ପରା ।
ସମଗ୍ର ବିଶ୍ୱକୁ ଏହା ହେଉଛି ଭାରତର ସବୁଠାରୁ ମୂଲ୍ୟବାନ ଦାନ । ସମଗ୍ର ବିଶ୍ୱରେ ଯୋଗ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇ ଚାଲିଛି । ଯୋଗ କେବଳ ଯେ ଆମକୁ ଶାରୀରିକ ଭାବେ ଫିଟ୍ ରଖିଥାଏ ତାହା ନୁହେଁ, ଏହା ମଧ୍ୟ ଆମର ମାନସିକ ଚାପ କମାଇବା ସହ ଆମକୁ ମାନସିକ ଶାନ୍ତି ପ୍ରଦାନ କରିଥାଏ ବୋଲି ସେ କହିଥିଲେ । ଚଳିତବର୍ଷର ବିଷୟବସ୍ତୁ ଉପରେ ଗୁରୁତ୍ୱଦେଇ ଶ୍ରୀ ସାମନ୍ତ କହିଲେ, ବାର୍ଦ୍ଧକ୍ୟ ଅବସ୍ଥାରେ ସୁସ୍ଥ ରହିବା ପାଇଁ ଯୋଗ ନିୟମିତ ଅଭ୍ୟାସ କରିବା ଉଚିତ ।
ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ କିଟ୍ ଓ କିସ୍ର ସମସ୍ତ ସ୍କୁଲ୍ ଓ ବିଭାଗୀୟ ଡିନ୍, ନିର୍ଦ୍ଦେଶକଙ୍କ ସମେତ ପ୍ରାୟ ୬ ହଜାର କର୍ମଚାରୀ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । କିଟ୍ ଯୋଗ ସ୍କୁଲ୍ ପ୍ରଫେସର ଡ. ଶାନ୍ତମତି ଦାଶ ଓ ଉପନିର୍ଦ୍ଦେଶକ ରଶ୍ମିରଞ୍ଜନ ପ୍ରଧାନ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।