ଓଡ଼ିଶାର ୨୦ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗର ସତର୍କବାଣୀ

 

ଓଡ଼ିଆ ଗସିପ ବ୍ୟୁରୋ : ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି । ତେବେ ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ପବନର ସମ୍ଭାବନା ମଧ୍ୟ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ଜୁନ୍‌ ୧ ତାରିଖ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର କିଛି ଜିଲ୍ଲାରେ ଘଣ୍ଟା ପ୍ରତି ୩୦- ୪୦ରୁ ଆରମ୍ଭ ହୋଇ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ୨୦ଟି ଜିଲ୍ଲାରେ ବଜ୍ରପାତ, ଘଡ଼ଘଡ଼ି ସହ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ, ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ ।

ଅଧିକ ପଢ଼ନ୍ତୁ : ଜୁନ୍ ୬ରେ ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା, ଜୋରଦାର ପବନ ସାଙ୍ଗକୁ ବର୍ଷା ସମ୍ଭାବନା...

ଏବଂ କାଳବୈଶାଖୀ ସମୟରେ ଏହିସବୁ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ମଧ୍ୟରେ ରହିବ । ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାର କିଛି ଅଞ୍ଚଳରେ କାଳବେଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।

ଏଥିସହ ଓଡ଼ିଶାର ଅନ୍ୟ ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଜାରି ସତର୍କ ସୂଚନାରେ କୁହାଯାଇଛି । ଏପରିସ୍ଥିତିରେ ଉପରୋକ୍ତ ୨୦ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ସହ ବଜ୍ରପାତ ସମୟରେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ : ଭାରତର ସିପାହୀ ନିରା ଆର୍ଯ୍ୟାଙ୍କ କାହାଣୀ, ଯିଏ ସୁବାସ ବୋଷଙ୍କ ଜୀବନ ବଞ୍ଚାଇବାରୁ ତାଙ୍କ ଛାତିରୁ ଲୁଗା ଖୋଲି...

ଅନ୍ୟପକ୍ଷେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜୁନ୍‌‌ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ପ୍ରବାହିତ ହେବାକୁ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ । ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଜୁନ୍‌‌ ୨ ତାରିଖରୁ ୯ତାରିଖ ମଧ୍ୟରେ ଦିନର ତାପମାତ୍ରାରେ ବୃଦ୍ଧି ହେବ ଓ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଆରବ ସାଗରରେ ଆଣ୍ଟିସାଇକ୍ଲୋନ୍‌‌ ଓ ବଙ୍ଗୋପ ସାଗରରୁ ପ୍ରବାହିତ ପବନ ହେତୁ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ସେ କହିଛନ୍ତି ।