ଝାରସୁଗୁଡ଼ା ମଞ୍ଚରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା, ଚିପ୍ ରୁ ଜାହାଜ ଯାଏଁ ଭାରତ ହେବ ଆତ୍ମନିର୍ଭର

 

ଓଡ଼ିଆ ଗସିପ ବ୍ୟୁରୋ : ହୃଦୟରେ ଭାରତ, ଆତ୍ମାରେ ସ୍ବଦେଶୀ । ବିଶ୍ବର ୫ମ ଦେଶ ଭାବେ ଭାରତ ସ୍ବଦେଶୀ 4G ନେଟୱର୍କ ଲଞ୍ଚ କରିବା ଅବସରରେ ବିଏସଏନଏଲ୍ ନୂଆ ଇତିହାସ ରଚିଥିବା ଝାରସୁଗୁଡ଼ା ମଞ୍ଚରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ ଟେଲିକମ୍ ଟେକ୍ନୋଲୋଜି ପାଇଁ ଯାହା ଜରୁରୀ ତାହା ବିକଶିତ ହେବ, ଆଗକୁ ୫ଜି ସେବା ବି ମିଳିବ । ତେବେ ଭାଷଣ ଛଳରେ କଂଗ୍ରେସକୁ ନିଶାନା କରି ମୋଦି କହିଥିଲେ ଏଯାଏଁ ସେ ଦଳର ଲୁଟ୍ ଅଭ୍ୟାସ ଯାଇନି ।

ଚିପ୍ ରୁ ଜାହାଜ ଯାଏଁ ଭାରତ ହେବ ଆତ୍ମନିର୍ଭର । ଡିଜିଟାଲ ଇଣ୍ଡିଆ ପାଇଁ ବଡ଼ ମାଇଲଷ୍ଟୋନ୍ । ନୂଆ ଇତିହାସ ରଚି BSNLରେ ସାମିଲ ହେଲା ସ୍ବଦେଶୀ 4G ନେଟୱର୍କ, ଆଗକୁ ଯୋଡ଼ି ହେବ 5G । ଆଜି ଝାରସୁଗୁଡ଼ା ମଞ୍ଚରୁ ଏହି ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ବିଶ୍ବର ୫ମ ଦେଶ ଭାବେ ଭାରତ ସ୍ବଦେଶୀ 4G ନେଟୱର୍କ ସୃଷ୍ଟି କରିଛି । ଟେଲିକମ୍ ଟେକ୍ନୋଲୋଜି ପାଇଁ ଯାହା ଦରକାର ତାହା ବିକଶିତ ହେବ ।

ସାରା ଦେଶରେ ୯୭,୫୦୦ରୁ ଅଧିକ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହେବ, ଯାହା ଫଳରେ ସହରରୁ ନେଇ ଗାଁରେ ହାଇସ୍ପିଡ୍ ଇଣ୍ଟରନେଟ୍ ସମ୍ଭବ ହେବ । ଯାହାର ସୁଫଳ କେବଳ ଗ୍ରାମୀଣ, ପାହାଡ଼ି କି ଉପାନ୍ତ ଇଲାକାର ଲୋକେ ନୁହଁନ୍ତି ସୀମାନ୍ତରେ ପ୍ରତିକୂଳ ସ୍ଥିତିରେ କାର୍ଯ୍ୟରତ ଯବାନ ବି ପାଇବେ । ବିଏସଏନ୍ଏଲ 4Gରେ ଆହୁରି ୨୦ଲକ୍ଷ ନୂଆ ସବସ୍କ୍ରାଇବର ଯୋଡ଼ି ହେବେ ।

ଏହି ପ୍ରକଳ୍ପରେ ଯୋଡ଼ି ହେବାକୁ ଥିବା ୨୬ ହଜାର ୭ଶହରୁ ଅଧିକ ଗାଁ ଭିତରୁ ଓଡ଼ିଶାର ସଂଖ୍ୟା ରହିଛି ୨୪୭୨ । ସେହିପରି ସ୍ବଦେଶୀ ଜ୍ଞାନକୌଶଳରେ ଜାହାଜ ନିର୍ମାଣ ପାଇଁ ୭୦ ହଜାର କୋଟି ମଞ୍ଜୁର ହୋଇଥିବା କହିଥିଲେ ମୋଦି ।

ଝାରସୁଗୁଡ଼ା ସଭା ମଞ୍ଚରୁ କଂଗ୍ରେସକୁ ବି ନିଶାନା କରିଥିଲେ ମୋଦି । କହିଥିଲେ ୨୦୧୪ ପର୍ଯ୍ୟନ୍ତ ଏଦଳ ଦେଶକୁ ଲୁଟ୍ କରୁଥିଲା, କ୍ଷମତାକୁ ଆସିବା ପରେ ଲୁଟତନ୍ତ୍ରରୁ ଦେଶବାସୀଙ୍କୁ ରକ୍ଷା କଲି । କଂଗ୍ରେସ ଅମଳରେ ବର୍ଷିକ ୨ଲକ୍ଷ ଟଙ୍କା ରୋଜଗାର ଉପରେ ଆୟକର ଲାଗୁଥିଲା, ଏବେ ଆମ ସରକାର ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଇନକମ ଟାକ୍ସ ମୁକ୍ତ କରିଛନ୍ତି । ଯେଉଁ କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା, ଏବେ ତାହା ମାତ୍ର ୪ରୁ ୫ହଜାର ପଡୁଛି । 

କୃଷକଟିଏ ଟ୍ରାକ୍ଟର କିଣିଲେ ତାକୁ ଏବେ ୪୦ ହଜାର ଟଙ୍କା ଫାଇଦା ହେଉଛି । ସିମେଣ୍ଟ ଦାମ୍ ରେ ବଡ଼ ଜିଏସଟି ହ୍ରାସ କରି ଲୋକଙ୍କୁ ସ୍ବପ୍ନର ଘର ତୋଳିବାର ସୁଯୋଗ ଦେଇଛି ଭାଜପା ସରକାର । ଯେହେତୁ କଂଗ୍ରେସର ଲୁଟ୍ ଅଭ୍ୟାସ ଯାଇନି ତେଣୁ GST କମ୍ ହେବା ସତ୍ତ୍ବେ ହିମାଚଳରେ କଂଗ୍ରେସ ସରକାର ଟିକସ ଲୁଟ୍ ଜାରି ରଖିଛି କହିଥିଲେ ମୋଦି ।

ଝାରସୁଗୁଡ଼ାରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପିଏମ୍ ମୋଦିଙ୍କ ସ୍ବଦେଶୀ 4G ନେଟୱର୍କ ସର୍ଭିସ୍ ଭେଟି ଅବସରରେ ଭିଡିଓ କନଫରେନସିଂରେ ମହାରାଷ୍ଟ୍ର, ଆନ୍ଧ୍ର, ଆସାମ, ୟୁପି ଓ ରାଜସ୍ଥାନ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ, ବହୁ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଲକ୍ଷରୁ ଅଧିକ ଗାଁ ସାମିଲ ହୋଇଥିଲେ ।