ରାଜଧାନୀ ଭୁବନେଶ୍ୱର ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

 

ଓଡ଼ିଆ ଗସିପ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଲକ୍ଷ୍ମୀସାଗର କଟକ ରୋଡ଼ରେ ଥିବା ଦୀପାଲି ବାରରେ ଥିବା ଲଜର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ଖବର ପାଇ ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ଯୁବତୀଙ୍କ ନାଁ ଶୁଭଲକ୍ଷ୍ମୀ ସାହୁ । ଘର ଭଦ୍ରକ, କୁଆବାଗ ସାହିରେ । ଗତକାଲି ଭୋର ୩.୨୦ ସମୟରେ ଗେଷ୍ଟ ହିସାବରେ ରେଜିଷ୍ଟରରେ ଏଣ୍ଟ୍ରି କରିଥିଲେ । ତା’ ପରଠାରୁ ସେ କବାଟ ଖୋଳିନଥିଲେ ।

ମଧ୍ୟାହ୍ନ ଓ ସନ୍ଧ୍ୟା ବେଳେ ଲଜ ଷ୍ଟାଫ ଡାକିଥିଲେ ମଧ୍ୟ ଶୁଣିନଥିଲେ । ପରେ ହୋଟେଲ କର୍ମଚାରୀମାନେ କବାଟ ଭାଙ୍ଗି ରୁମ୍‌ ଭିତରେ ପଶିଥିଲେ । ସେତେବେଳେ ଫ୍ୟାନ୍‌ରେ ଝୁଲୁଥିଲେ ଶୁଭଲକ୍ଷ୍ମୀ ।

ହୋଟେଲ୍‌ କର୍ମଚାରୀମାନେ ଏନେଇ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ । ପୁଲିସ ହୋଟେଲରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ଆସନ୍ତାକାଲି ପରିବାର ଲୋକ ଆସିଲେ ମୃତ ଦେହ ଉଦ୍ଧାର ହେବ ବୋଲି ସୂଚନା ମିଳିଛି ।