ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ, ଯାତ୍ରୀ ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦେଲେ ଗୁରୁତ୍ତ୍ୱ

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଖୋର୍ଦ୍ଧା ରୋଡ୍ ରେଳଷ୍ଟେସନର ଆଖପାଖ ବୁଲି ବିଭିନ୍ନ ଦିଗରେ ବ୍ୟାପକ ନିରୀକ୍ଷଣ କରିଛନ୍ତି । ଯାତ୍ରୀମାନଙ୍କ ସୁବିଧା ସୁଯୋଗ, ସୁରକ୍ଷା ବ୍ୟବସ୍ଥା, ଷ୍ଟେସନର ବିଭିନ୍ନ ସୁବିଧା, ସ୍ୱଚ୍ଛତା ଏବଂ କ୍ୟାଟେରିଂ (ଖାଦ୍ୟପେୟ) ସେବାର ସମୀକ୍ଷା ଉପରେ ଏହି ପରିଦର୍ଶନରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

ଏହି ପରିଦର୍ଶନ ସମୟରେ ଶ୍ରୀ ଫୁଙ୍କୱାଲ ଷ୍ଟେସନର ବିଭିନ୍ନ ଅଞ୍ଚଳ ଯଥା- ବୁକିଂ ଅଫିସ୍, ଯାତ୍ରୀ ପ୍ରତୀକ୍ଷାଳୟ, ସର୍କୁଲେଟିଂ ଏରିଆ ବା ଚଳପ୍ରଚଳ ଏରିଆ (ଷ୍ଟେସନ ସମ୍ମୁଖ ଭାଗ), ଫୁଟ୍ ଓଭରବ୍ରିଜ୍, ପ୍ଲାଟଫର୍ମ ଏବଂ କ୍ୟାଟେରିଂ ୟୁନିଟ୍ ଗୁଡ଼ିକ ବୁଲି ଦେଖିଥିଲେ । ସେ ସେଠାରେ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଷ୍ଟେସନରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ସମୀକ୍ଷା କରିଥିଲେ ।

ମହାପ୍ରବନ୍ଧକ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ସ୍ୱଚ୍ଛତା ଏବଂ ଷ୍ଟେସନ ପରିସରର ରକ୍ଷଣାବେକ୍ଷଣ ସମ୍ପର୍କିତ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିଥିଲେ । ଏହାସହ ସେ ଯାତ୍ରୀ ଓ କ୍ୟାଟେରିଂ ଷ୍ଟଲର କର୍ମଚାରୀମାନଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ଷ୍ଟେସନରେ ପ୍ରଦାନ କରାଯାଉଥିବା ସେବାର ମାନ ପରଖିଥିଲେ । ସ୍ୱଚ୍ଛତା, ଯାତ୍ରୀ ସୁବିଧା ଏବଂ ଗ୍ରାହକ ସନ୍ତୋଷର ଉଚ୍ଚ ମାନ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିବା ସହ ଯାତ୍ରୀମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ନ୍ୟୁଜ ପଢ଼ନ୍ତୁ : Fire in Coal-Laden Goods Train Near Kesinga Brought Under Control; Passenger Services Unaffected

ସୁରକ୍ଷିତ, ଦକ୍ଷ ଏବଂ ଆରାମଦାୟକ ରେଳ ସେବା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ଯାତ୍ରୀ ସୁବିଧାଗୁଡ଼ିକର ନିରନ୍ତର ଅନୁଧ୍ୟାନର ଆବଶ୍ୟକତା ଉପରେ ମହାପ୍ରବନ୍ଧକ ଜୋର ଦେଇଥିଲେ । ଯାତ୍ରୀ-କୈନ୍ଦ୍ରିକ ବିକାଶ ଏବଂ ସେବା କ୍ଷେତ୍ରରେ ଶ୍ରେଷ୍ଠତା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ପରିଦର୍ଶନ ସମୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ) ଡି. ସୁନୀଲ ମହାପ୍ରବନ୍ଧକଙ୍କ ସହ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ବିକାଶମୂଳକ ଓ ଉନ୍ନତ ପରିଚାଳନା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।