୧୮ ତାରିଖରେ ଆୟୋଜିତ ହେବାକୁ ଯାଉଛି ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଘର ଦିନିକିଆ ସମ୍ମିଳନୀ

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ଵର ଚାଟାର୍ଡ ଆକାଉଣ୍ଟାଣ୍ଟ ସଂଘ ଆନୁକୂଲ୍ୟରେ ଶନିବାର ୧୮ ତାରିଖ ଦିନ ୧୦ଟା ସମୟରେ ଦିନିକିଆ ସମ୍ମିଳନୀ ହୋଟେଲ ମନ୍ତ୍ରା ( ପାଲ ହାଇଟ୍ସ) ପାହାଳରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଭୁବନେଶ୍ୱର, କଟକ ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଚାଟାର୍ଡ ଆକାଉଣ୍ଟାଣ୍ଟ, କଷ୍ଟ ଆକାଉଣ୍ଟାଣ୍ଟ ଏବଂ ଅର୍ଥ ବିଭାଗର ପଦାଧୂକାରୀମାନେ ଯୋଗ ଦେବେ ।

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟୟାଳୟର ବିଚାରପତି ଜଷ୍ଟିସ୍ ସଞ୍ଜିବ କୁମାର ପାଣିଗ୍ରାହୀ ଯୋଗ ଦେବେ । ଏଥିରେ ପୂର୍ବତନ ମୁଖ୍ୟ ଶାସନ ସଚିବ ( ଆଇଏଏସ୍) ଓ ବର୍ତ୍ତମାନର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ଯକ୍ଷ ପ୍ରଦୀପ କୁମାର ଜେନା ମଧ୍ୟ ଯୋଗ ଦେବେ । ସେହିପରି ଓଡ଼ିଶା ମୁଖ୍ୟ ମହାଲେଖାକାର ଦୀନବନ୍ଧୁ ସାହୁ, ମୁଖ୍ୟ ଆୟକର ଆୟୁକ୍ତ (କଟକ ଓ ସମ୍ବଲପୁର) ସରୋଜ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

ଏହି ସମ୍ମିଳନୀରେ ଯଥାକ୍ରମେ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ବୃତ୍ତିଗତ ସ୍ଵାଧୀନତା ଓ ଇନର ପ୍ରାବଧାନ ଓ ନିୟନ୍ତ୍ରଣ, ସରକାରୀ ଉଦ୍ୟୋଗମାନଙ୍କର ଅଡିଟ୍ ଓ ପାରଦର୍ଶିତା ଓ ଅଡିଟରମାନଙ୍କର ଉତ୍ତରଦାୟିତ୍ବ, ଆୟକର ନିୟମ ୨୦୨୫ ସଂଶୋଧନ ଓ ସଂସ୍କାର ଏବଂ ପରିବର୍ତ୍ତିତ ନିୟମରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା, ବୃତ୍ତିଗତ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କର ସମସ୍ୟା ଓ ଏହାର ଆଇନଗତ ପ୍ରତିକାର ଆଦି ବିଭିନ୍ନ ବିଷୟ ବିଷୟ ଉପରେ ଆଲୋଚନା କରାଯିବ । ଏହି ସମ୍ମିଳନୀ ପାଇଁ ଓଡ଼ିଶା ଓ ଓଡ଼ିଶା ବାହାରର ସୁବକ୍ତାମାନଙ୍କୁ ନିମନ୍ତ୍ରଣ କରାଯାଇଛି ।

ଏହି ସମ୍ମିଳନୀରେ ପ୍ରାୟ ୨୦୦ରୁ ୨୫୦ ପ୍ରତିନିଧିମାନେ ଯୋଗ ଦେବେ । ଏଥିସହ ବିଭିନ୍ନ କମ୍ପାନୀ, ବ୍ୟାଙ୍କ ଓ ଇନସୁରାନ୍ସ କମ୍ପାନୀର ପ୍ରତିନିଧିମାନେ ମଧ୍ୟ ଯୋଗ ଦେବେ । ଏହି ଆଲୋଚନାଚକ୍ର ଦ୍ବାରା ଚାଟାର୍ଡ ଆକାଉଣ୍ଟାଣ୍ଟ, କଷ୍ଟ ଆକାଉଣ୍ଟାଣ୍ଟ ଏବଂ ଅର୍ଥ ବିଭାଗର ଅଧିକାରୀମାନେ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଉତ୍ତମ ଧରଣର ସେବା ଯୋଗାଇ ପାରିବେ । ଏହି କାର୍ଯ୍ୟକ୍ରମରେ ସଭାପତି ନାରଦ ପ୍ରସାଦ ସାହୁ, ଉପସଭାପତି ଚନ୍ଦ୍ରକାନ୍ତ ପୃଷ୍ଟି ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇ ସମ୍ମିଳନୀକୁ ପରିଚାଳନା କରିବେ ।