ଗୋପାଳ ଦାସଙ୍କ ସରକାରୀ କ୍ୱାଟର୍ସରେ ମନ୍ତ୍ରୀ ନବ ଦାସ ହତ୍ୟା ଯୋଜନା ! କ୍ୱାଟର୍ସରେ ପହଁଚିଲା କ୍ରାଇମବ୍ରାଞ୍ଚ ଟିମ୍; ଲୁଚିଛି କି ଗୁରୁତ୍ୱପୂର୍ଣ୍ଣ ସୁରାକ ?

 

ଓଡ଼ିଆ ଗସିପ ବ୍ୟୁରୋ: କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା କଲେ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ? ନବଙ୍କ ହତ୍ୟାର ପାଞ୍ଚଦିନ ପରେ ବି ଏହା ଉପରୁ ରହସ୍ୟ ହଟି ପାରିନାହିଁ । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଦାସଙ୍କ ଭଡା ଘରେ ପହଞ୍ଚିଛି । ଝାରସୁଗୁଡା ସ୍ଥିତ ସରକାରୀ କ୍ୱାଟର୍ସରେ ଛାନଭିନ୍ ଜାରି ରହିଛି ।

ସରକାରୀ କ୍ୱାଟର୍ସରୁ କ୍ରାଇମବ୍ରାଞ୍ଚକୁ ମନ୍ତ୍ରୀଙ୍କ ହତ୍ୟା ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ । ଏହି ତଥ୍ୟ ଆଗକୁ ମନ୍ତ୍ରୀଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବ ବୋଲି ସୂଚନା ମିଳିଛି । ଗୋପାଳ ଶନିବାର ଯାଏଁ ତାଙ୍କର ଏହି ଭଡ଼ା ଘରେ ରହୁଥିଲେ ।

ଗୋପାଳଙ୍କ ସହ ଏହି ଘରେ ତାଙ୍କ ଭାଇ ମଧ୍ୟ ରହୁଥିଲେ । ଘରକୁ ଦୁଇ ଭାଇଙ୍କ ସହ ଆଉ କିଏ ଆସିଥିଲେ କି ନାହିଁ, ତାହା ବର୍ତ୍ତମାନର ସବୁଠାରୁ ବଡ଼ ପ୍ରଶ୍ନ । କାରଣ ମନ୍ତ୍ରୀଙ୍କୁ ଗୁଳି ମାରିବା ପଛରେ କେବଳ ଗୋପାଳଙ୍କ ହାତ ରହିଛି ନା ଆଉ କିଏ ଏଥିରେ ସମ୍ପୃକ୍ତ ଅଛି ।

ଅଧିକ ପଢ଼ନ୍ତୁ : କ୍ରାଇମବ୍ରାଞ୍ଚ ଅଜବ ତଦନ୍ତ: ଉଠିଲା ପ୍ରଶ୍ନ; ପରୀ କେସରେ ପୋଖରୀ ଶୁଖାଇଥିଲେ ତ ନବ ଦାସଙ୍କ କେସରେ ପାଇଖାନା ଟାଙ୍କି !

ନବ ଦାସଙ୍କୁ ହତ୍ୟା ପାଇଁ ଗୋପାଳଙ୍କୁ କିଏ ସୁପାରୀ ଦେଇଥିଲେ କି, ତାହା ମଧ୍ୟ ପ୍ରଶ୍ନ ଘେରରେ ରହିଛି । ସେଥିପାଇଁ ଗୋପାଳଙ୍କୁ ତାଙ୍କ ଘରକୁ ଆଣି କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ କରୁଛି । ସେପଟେ, ଅଭିଯୁକ୍ତ ଗୋପାଳ ଦାସ ଏବେ ରିମାଣ୍ଡରେ ରହିଛନ୍ତି ।

ଆଜି ରିମାଣ୍ଡର ତୃତୀୟ ଦିନ ରହିଛି । ଗୁଳି ମିଳିବା ପରେ ଏବେ କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିବାକୁ ଯୋଜନା କରିଥିବା ସୂଚନା ରହିଛି । ସେହିପରି ସିଏଫଏସଏଲ ଏହି ଘଟଣାରେ କ୍ରାଇମବ୍ରାଞ୍ଚକୁ ସହଯୋଗ କରିବ ବୋଲି ମଧ୍ୟ ସୂଚନା ରହିଛି ।

ସେପଟେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ବ୍ରହ୍ମପୁରରେ ମଧ୍ୟ ଛାନଭିନ୍ ଜାରି ରଖିଛି । ଗୋପାଳଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ।