ସମାଜସେବା କ୍ଷେତ୍ରରେ ଅରୁନ୍ଧତୀ ଫାଉଣ୍ଡେସନର ଅନନ୍ୟ ପଦକ୍ଷେପ: ରାଜ୍ୟବ୍ୟାପୀ ୫୫୦୦ ୟୁନିଟ୍ ରକ୍ତ ସଂଗ୍ରହ ସହ ରାମ ମନ୍ଦିରରେ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି): ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିକୁ ଚରିତାର୍ଥ କରି ଦେଖାଇଛି ଓଡ଼ିଶାର ପ୍ରତିଷ୍ଠିତ ଅନୁଷ୍ଠାନ ‘ଅରୁନ୍ଧତୀ ଫାଉଣ୍ଡେସନ’ । ରକ୍ତଦାନ ଭଳି ମହତ କାର୍ଯ୍ୟ ସହ ଶ୍ରଦ୍ଧାଳୁଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରି ଚର୍ଚ୍ଚାରେ ଏବେ ଏହି ଫାଉଣ୍ଡେସନ ।

ସମାଜ କଲ୍ୟାଣ ଏବଂ ମାନବିକତାର ଏକ ନିଆରା ନିଦର୍ଶନ ଦର୍ଶାଇଛନ୍ତି ଏହି ଫାଉଣ୍ଡେସନ । ଅରୁନ୍ଧତୀ ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ୧୦ଟି ପ୍ରମୁଖ ସହରରେ ଆୟୋଜିତ ହୋଇଯାଇଛି ବିଶାଳ ରକ୍ତଦାନ ଶିବିର । ଭୁବନେଶ୍ୱର, କଟକ, ସମ୍ବଲପୁର ଠାରୁ ଆରମ୍ଭ କରି ବଲାଙ୍ଗୀର ଓ ରାଉରକେଲା ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଥିଲା ରକ୍ତଦାତାଙ୍କ ଅଦ୍ଭୁତ ଉତ୍ସାହ । ଫଳସ୍ୱରୂପ, ଗୋଟିଏ ଦିନରେ ସଂଗ୍ରହ ହୋଇଛି ରେକର୍ଡ ସଂଖ୍ୟକ ୫୫୦୦ ୟୁନିଟ୍ ରକ୍ତ । ଭୁବନେଶ୍ୱରର ମୁଖ୍ୟ ଶିବିରରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଫାଉଣ୍ଡେସନର ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ଅରୁନ୍ଧତୀ ଗୃପ୍ରର ମୁଖ୍ୟ ଶ୍ରୀ ବ୍ରହ୍ମାନନ୍ଦ ମେହେରଙ୍କ ଜନ୍ମଦିନ ଅବସରରେ ଆଜି 'ଅରୁନ୍ଧତୀ ଫାଉଣ୍ଡେସନ' ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରକ୍ତର ଆବଶ୍ୟକତା ପୂରଣ ପାଇଁ ଏଭଳି ରକ୍ତଦାନ ଶିବିର ଆୟୋଜନ କରିବା ସ୍ଵାଗତଯୋଗ୍ୟ।  ଏଭଳି ପ୍ରୟାସ ପାଇଁ ସମସ୍ତ ରକ୍ତଦାତାଙ୍କୁ ସାଧୁବାଦ ଜଣାଇବା ସହ 'ଅରୁନ୍ଧତୀ ଫାଉଣ୍ଡେସନ' ତଥା ଅରୁନ୍ଧତୀ ଗୃପ୍ର ମୁଖ୍ୟ ଶ୍ରୀ ବ୍ରହ୍ମାନନ୍ଦ ମେହେରଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ଆପଣଙ୍କ ଏହି ପ୍ରୟାସ ନିଶ୍ଚିତ ଭାବେ ସମାଜରେ ଏକ ଉଦାହରଣ ହେବାସହ ଅନ୍ୟମାନଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିବ ବୋଲି ମତ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

କେବଳ ରକ୍ତଦାନ ନୁହେଁ, ସେବା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ିଛି ଅରୁନ୍ଧତୀ ଫାଉଣ୍ଡେସନ । ଭୁବନେଶ୍ୱର ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହୋଇଛି ଏକ "ଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ" । ଖରା ଦିନେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପଥିକମାନେ ଯେପରି ଶୋଷ ମେଣ୍ଟାଇ ପାରିବେ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି  । ଏହାକୁ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରିଛନ୍ତି। "ରକ୍ତଦାନ ହେଉ କିମ୍ବା ପାନୀୟ ଜଳ ପ୍ରକଳ୍ପ, ଅରୁନ୍ଧତୀ ଫାଉଣ୍ଡେସନ ସବୁବେଳେ ସମାଜ କଲ୍ୟାଣ ପାଇଁ ନିଜର ସାମାଜିକ ଦାୟିତ୍ୱବୋଧ ଜାରି ରଖିବ । ଆମ ସହିତ ଯୋଡ଼ି ହୋଇଥିବା ସମସ୍ତ ରକ୍ତଦାତା ଓ କର୍ମକର୍ତ୍ତାଙ୍କୁ ମୁଁ ସାଧୁବାଦ ଜଣାଉଛି ବୋଲି କହିଛନ୍ତି, ଏହାର ପରିଚାଳନା ନିର୍ଦ୍ଦେଶକ ।

ସତରେ, ଅରୁନ୍ଧତୀ ଫାଉଣ୍ଡେସନର ଏହି ଅନନ୍ୟ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା । ଏଭଳି ସମାଜସେବା ଜାରି ରହୁ, ଏତିକି କାମନା । ଓଡ଼ିଶାର ଏଭଳି ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଓଡ଼ିଆ ଗସିପ୍ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ ।