ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ; ନୂଆପାଟଣାର ମହିଳା ବୁଣାକାରଙ୍କୁ ଆର୍ଥିକ ସହାୟତା ଏବଂ ସମ୍ବର୍ଦ୍ଧନା ପ୍ରଦାନ
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ହସ୍ତତନ୍ତର ବାଣିଜି୍ୟକ କାରବାର ପାଇଁ ଉତ୍ସର୍ଗୀକୃତ ଡିଜିଟାଲ ୱେବସାଇଟ ‘ଆର୍ଟସ୍ ଅଫ୍ ଉଇଭିଂ’ (AoW)ର ପ୍ରଥମ ସ୍ଥାପନା ଦିବସ ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲ୍ରେ ଏକ ମର୍ଯ୍ୟାଦାପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ AoW ଡିଜିଟାଲ୍ ପ୍ଲାଟ୍ଫର୍ମର ପ୍ରଥମ ବ୍ୟବସାୟିକ ସହଭାଗୀ ନୂଆପାଟଣାର ମାଣିଆବନ୍ଧ ଶାଢ଼ିର ବୁଣାକାର ରେଖା ପ୍ରଧାନଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ନୂଆପାଟଣାରୁ ଅନ୍ଲାଇନ୍ରେ ଯୋଡ଼ି ହୋଇଥିବା ରେଖାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ଏହି ଅର୍ଥରାଶି ବଡ଼ମ୍ବା ନରସିଂହପୁରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡ. ସୌଭାଗ୍ୟ ମଞ୍ଜରୀଙ୍କ ମାର୍ଫତ୍ରେ ପ୍ରଦାନ କରି ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ AoW ର ଏହା ଏକ ଅଭିନବ ତଥା ପ୍ରଶଂସନୀୟ ପଦକ୍ଷେପ ବୋଲି କହିଥିଲେ ।
ପ୍ରକାଶ ଥାଉ କି ରେଖାଙ୍କ ସ୍ୱାମୀ ନୂଆପାଟଣାର ଜଣାଶୁଣା ବୁଣାକାର ବିରଞ୍ଚି ପ୍ରଧାନ ନିକଟରେ କିଡ୍ନି ରୋଗରେ ପ୍ରାଣ ହରାଇଛନ୍ତି । ଡିଜିଟାଲ୍ ଜ୍ଞାନକୌଶଳ ଏବଂ ଏଆଇର ପ୍ରୟୋଗରେ ହସ୍ତତନ୍ତର ବ୍ୟବସାୟ, ବୁଣାକାରମାନଙ୍କ ଆର୍ଥିକ ସ୍ୱଚ୍ଛଳତା, ଡିଜାଇନ୍, ଗୁଣବତ୍ତା ଏବଂ ଆଧୁନିକତାର ସମାହାରରେ ଏଓଡବ୍ଲୁ୍ୟକୁ ଏକ ଅନନ୍ୟ ବ୍ରାଣ୍ଡ ଭାବରେ ପରିଚିତ କରାଇବା ପାଇଁ ପ୍ରୟାସ ଜାରି ରହିଛି ବୋଲି ପ୍ରତିଷ୍ଠାତା ଡକଫର ସୁଜାତା ଦାସ ମତବ୍ୟକ୍ତ କରିଥିଲେ ।
AoW ର ଅଧ୍ୟକ୍ଷା ଦିଶା ଦାସ ୱେବସାଇଟ୍ର ବ୍ୟବସାୟିକ ଦିଗ ଉପରେ ଆଲୋକପାତ କରି କହିଥିଲେ, ଆମ ପାଇଁ ଏହା ଗର୍ବର ବିଷୟ ଯେ ୟୁକେ, ଆମେରିକାରୁ ଲୋକମାନେ ଆମ ଶାଢ଼ିକୁ ଅନ୍ଲାଇନ୍ରେ କିଣୁଛନ୍ତି । ସମ୍ବଲପୁରୀ ପାଟ, ଏରି ସିá, କୋଟପାଡ଼ ଶାଢ଼ି ପ୍ରତି ସେମାନଙ୍କର ଅଧିକ ଆଗ୍ରହ ଦେଖିବାକୁ ମିଳୁଛି । ଆମ ୱେବସାଇଟ୍କୁ ସ୍ୱିଡେନ୍, ଜର୍ମାନୀ, ଇଣ୍ଡୋନେସିଆ, ଜାପାନ, ପର୍ତ୍ତୁଗାଲ, ଚୀନ୍ ଓ ଅନ୍ୟାନ୍ୟ ଦେଶର ଲୋକମାନେ ମଧ୍ୟ ଭିଜିଟ୍ କରୁଛନ୍ତି । ଏହି ଭିଜିଟ୍ଗୁଡ଼ିକ ଆମ ଟିମ୍ ଅନୁଧ୍ୟାନ କରିଥାଏ ଏବଂ ଓଡ଼ିଶା ହସ୍ତତନ୍ତ ବିଶ୍ୱସ୍ତରରେ ପରିଚିତ ହେଉଛି ଦେଖି ଅଜସ୍ର ଆନନ୍ଦ ଅନୁଭବ ହୁଏ । ପ୍ରକାଶ ଥାଉ କି ଗତ ଏକ ବର୍ଷ ମଧ୍ୟରେ AoW ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ଅନ୍ଲାଇନ୍ ଗ୍ରାହକଙ୍କୁ ବସ୍ତ୍ର ଯୋଗାଇବା ସହ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗ୍ରାହକମାନଙ୍କୁ ଓଡ଼ିଶା ହସ୍ତତନ୍ତ ପହଞ୍ଚାଇବାରେ ସଫଳ ହୋଇଛି ।
ଭକ୍ତିସଂଗୀତ, ଓଡ଼ିଶୀ ନୃତ୍ୟ, ହାସ୍ୟାଭିନୟ ଏବଂ ଫେସନ୍ ସୋର ଆୟୋଜନ ମାଧ୍ୟମରେ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ଏବଂ ମନୋରଞ୍ଜନରେ ପରିପୂର୍ଣ୍ଣ ହୋଇଥିଲା । ତେବେ ସବୁଠାରୁ ସ୍ୱତନ୍ତ୍ର ଥିଲା AoW ର ହସ୍ତତନ୍ତ ପରିଧାନ କରି ପ୍ରାୟ ୬୦ରୁ ଊର୍ଦ୍ଧ୍ଵ ମହିଳା, ଯୁବତୀ ଏବଂ ବାଳିକା ଏକ ସ୍ୱରରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡ଼ିଶା ମାଟିର ଏବଂ ଓଡ଼ିଶା ଜନନୀଙ୍କ ବନ୍ଦନା କରିଥିଲେ, ଯାହା ପରିବେଶକୁ ବେଶ୍ ଭାବପୂର୍ଣ୍ଣ କରିଥିଲା ।
ଲେଖିକା ସୁଜାତା ଆଚାର୍ଯ୍ୟଙ୍କୁ ମଧ୍ୟ ଏହି ଅବସରରେ AoW ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗୀତା ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଏବଂ ତାଙ୍କୁ ସହଯୋଗ କରିଥିଲେ ଡ. ଦୀକ୍ଷା ଦାସ ଓ ପ୍ରିୟଦର୍ଶିନୀ ରଥ । ଶ୍ରୀମତୀ ବନ୍ଦିତା ତ୍ରିପାଠୀ ସଂପୂର୍ଣ୍ଣ କାର୍ଯ୍ୟକ୍ରମର ପରିକଳ୍ପନା କରିଥିଲେ, ଯାହା ନାରୀତ୍ୱ ଏକ ପରିପୂର୍ଣ୍ଣ ଉତ୍ସବ ଭଳି ମନେ ହୋଇଥିଲା । www.artsofweaving.com ୱେବସାଇଟ୍କୁ ଭିଜିଟ୍ କରି ଏହି ହସ୍ତତନ୍ତ ସଂଗ୍ରହ ସମ୍ପର୍କରେ ଅଧିକ ଜାଣି ହେବ । ଡ. ସୁଜାତା ଦାସସହ ପ୍ରତିଷ୍ଠାତା, AoW ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।