ଟ୍ରେନ୍ ଦୁର୍ଘଟଣାସ୍ଥଳରେ ମମତା ବାନାର୍ଜୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରେ କଥା କଟାକଟି, ସଠିକ୍ ତଥ୍ୟ ଦେବାକୁ କହିଲେ ମମତା

 

ଓଡ଼ିଆ ଗସିପ ବ୍ୟୁରୋ : ଓଡିଶାର ବାଲେଶ୍ବରରେ ଟ୍ରିପଲ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସୂଚନା ମୁତାବକ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧ ହଜାରରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ବୋଲି କୁହାଯାଉଛି । ତେବେ ସରକାରୀ ସୂଚନା ଅନୁସାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ଏହି ଦୁର୍ଘଟଣାକୁ ଭାରତର ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ମଧ୍ୟରୁ ଗୋଟିଏ ବୋଲି କୁହାଯାଉଥିବା ବେଳେ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୃତ୍ୟୁସଂଖ୍ୟାକୁ ନେଇ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି ।

ଗୋଟେପଟେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ଏବଂ ମୃତ୍ୟୁସଂଖ୍ୟା ସେହି ପରିମାଣରେ ଏତେ ବଢ଼ିନଥିବା ବୋଲି ଦକ୍ଷିଣ ପୂର୍ବ ରେଲୱେ ସୂଚନା ଦେଇଥିବା ବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି ମମତା ବାନାର୍ଜୀ । ବରଂ ଏଯାଏଁ ଆହୁରି ଉଦ୍ଧାର କାର୍ଯ୍ୟ ବାକି ଅଛି । ଆହୁରି ୩ଟି ବଗିରେ ଉଦ୍ଧାର କାର୍ଯ୍ୟ ହୋଇନାହିଁ । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ତେଣୁ ମୃତ୍ୟୁ ସଂଖ୍ୟା ସଠିକ୍ ତଥ୍ୟ ଦେବାକୁ ଘଟଣାସ୍ଥଳରେ ଅଶ୍ୱିନୀଙ୍କୁ କହିଛନ୍ତି ମମତା ।

ଅଧିକ ପଢ଼ନ୍ତୁ : ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ କ'ଣ ରହିଛି କାରଣ? ଯାନ୍ତ୍ରିକ ତ୍ରୁଟି ନା ମାନବୀୟ ଭୁଲ୍? ପ୍ରାରମ୍ଭିକ ରିପୋର୍ଟରେ ହେଲା ଖୁଲାସା

ଏହାବ୍ୟତୀତ ରେଲୱେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଉତ୍ତରଦାୟୀ ରହିବା ଉଚିତ ବୋଲି କହିଛନ୍ତି ମମତା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ଏବେଯାଏଁ ୧୨ଜଣ ବଙ୍ଗୀୟ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ୬୦ ପ୍ରତିଶତ ବଙ୍ଗୀୟ ଯାତ୍ରୀ ଥିବା ଅନୁମାନ କରିଛନ୍ତି ମମତା ।

ମମତା କହିଥିଲେ, ସ୍ଥାନୀୟ ଲୋକ କହୁଛନ୍ତି, ଏହି ଦୁର୍ଘଟଣାରେ ପ୍ରାୟ ୫ଶହ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଅଶ୍ୱିନୀ କହିଥିଲେ, ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୨୩୮ଜଣଙ୍କ ମୃତ୍ୟୁ ହୋଇଛି । ଅଶ୍ୱିନୀଙ୍କ ତଥ୍ୟକୁ ନେଇ ମମତା ଅସନ୍ତୋଷ ପ୍ରକାଶ କରି କହିଥିଲେ, ଏହା ଗତରାତିର ତଥ୍ୟ । ମୃତ୍ୟୁସଂଖ୍ୟା ଆହୁରି ବଢ଼ିଗଲାଣି । ଏଥିସହ ୩ଟି ବଗି ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଜବାବ ରଖି ଅଶ୍ୱିନୀ କହିଥିଲେ, ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । 

ସେପଟେ ସରକାରୀ ସୂତ୍ରରୁ ଜଣାପଡିଛି ଯେ, ସମସ୍ତ ହସ୍ପିଟାଲରେ ମୋଟ ୧୧୭୫ ଯାତ୍ରୀ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି । ମୋଟ ଯାତ୍ରୀଙ୍କ ମଧ୍ୟରୁ ୭୯୩ ଯାତ୍ରୀଙ୍କ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇଦିଆଯାଇଛି । ବାକି ଗୁରୁତର ଯାତ୍ରୀଙ୍କ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ ୨ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ।