ମାରିକି ବି ଅମର ହେଲେ ଅନୁସୂୟା; ୯୨ ବର୍ଷରେ ମୃତ୍ୟୁ ପରେ ଆଖି ଓ ଶରୀର କଲେ ଦାନ... 

 

ଓଡ଼ିଆ ଗସିପ ବ୍ୟୁରୋ : ମାରିକି ବି ଅମର ହେଲେ ଜଣେ ବୃଦ୍ଧା ମା' । ୯୨ ବର୍ଷ ବୟସରେ ସ୍ୱାଭାବିକ ମୃତ୍ୟୁ ପରେ ସମାଜର କଲ୍ୟାଣ ପାଇଁ ନିଜ ଶରୀର ଦାନ କରି ଅମର ହୋଇଯାଇଛନ୍ତି ଠେଙ୍ଗାଧର ଗ୍ରାମର ବୃଦ୍ଧା ଅନୁସୂୟା ନାୟକ ।

ଆମେ ଏଠି କହୁଛୁ ଗଂଜାମ ବେଲଗୁଣ୍ଠା ବ୍ଲକ ଠେଙ୍ଗାଧର ଗ୍ରାମର ବାସିନ୍ଦା ଅନୁସୂୟାଙ୍କ କଥା ଯାହାଙ୍କର ଶନିବାର ସନ୍ଧ୍ୟା ସମୟରେ ସ୍ୱାଭାବିକ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଶରୀର ଦାନ କରିବା ପାଇଁ ତାଙ୍କ ନାତି ଶୁଭକାନ୍ତ ନାୟକ ମନରେ ଚିନ୍ତା କରିଥିଲେ । ତାଙ୍କ ତିନି ପୁଅଙ୍କ ସହ ଆଲୋଚନା କରିବା ପରେ ସେମାନେ ସମ୍ମତି ଜଣାଇଥିଲେ ।

ପରେ ଡାକ୍ତରଙ୍କ ସହ କଥା ହୋଇ ମାତ୍ର ୩ ଘଣ୍ଟା ମଧ୍ୟରେ ୧୦୦ କିଲୋମିଟର ଦୂର ବ୍ରହ୍ମପୁର ଏମକେସିଜି ମେଡିକାଲରେ ପଂହଚାଇ ଥିଲେ ଶରୀର । ତାଙ୍କ ସମ୍ପୂର୍ଣ୍ଣ ଭଲଥିବା ଦୁଇ ଆଖି ଓ ଶରୀରକୁ ଦାନ କରିଛନ୍ତି । ତାଙ୍କ ଦୁଇ ଆଖି ଦୁଇଜଣ ଉପକୃତ ହୋଇପାରିବେ ଓ ଶରୀର ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ଡାକ୍ତରୀ ପାଠ ପାଇଁ ସହାୟକ ହେବ । 

ତେବେ ଶୁଭକାନ୍ତ ମୃତ୍ୟୁ ପରେ ନିଜ ଶରୀରକୁ ଦାନ କରିବା ପାଇଁ ୨୦୨୩ ମସିହାରେ ଚୁକ୍ତିନାମା କରିସାରିଛନ୍ତି । ତାଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ହେବ ତାହା ଜଣା ନାହିଁ । କିନ୍ତୁ ପରିବାର ଲୋକଙ୍କୁ ବୁଝାସୁଝା କରି ଜେଜେ ମା’ଙ୍କ ଶରୀର ଦାନ କରିଥିବାରୁ ସେ ଓ ତାଙ୍କ ପରିବାର ମହିଳାମାନେ ଗର୍ବିତ ଅନୁଭବ କରିଛନ୍ତି ।

ମା ଚାଲିଯିବା ଦୁଃଖ ଗୋଟିଏ ପକ୍ଷରେ ଥିବାବେଳେ ମା’ଙ୍କ ଶରୀର ସମାଜ ମଙ୍ଗଳ ପାଇଁ ଲାଗିବ ଏଣୁ ମୃତ୍ୟୁ ପରେ ମଧ୍ୟ ମା’ ଅମର ରହିବେ ବୋଲି ପୁଅ ଭଂଜକିଶୋର ନାୟକ ପ୍ରକାଶ କରିଛନ୍ତି । ତେବେ ଶରୀରର ନଖ ଓ ଚୁଟି ରଖାଯାଇଛି ଏହାକୁ ନେଇ ରୀତିନୀତି ଅନୁସାରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହେବ ।