ପାରାଦୀପ ସମୁଦ୍ରରେ ମାଛଧରା ଟ୍ରଲର ନିଖୋଜ, ପତ୍ତା ମିଳୁନାହାନ୍ତି ୧୩ ମତ୍ସ୍ୟଜୀବୀ

 

ଓଡ଼ିଆ ଗସିପ୍ ବ୍ୟୁରୋ: ପାରାଦୀପରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଦୁଇଟି ଟ୍ରଲର ନିଖୋଜ ହୋଇଯାଇଛି । ଯାହା ଜଣାପଡୁଛି ଦୁଇଟି ବୋଟରେ ରହିଥିଲେ ୧୩ ଜଣ ମତ୍ସ୍ୟଜୀବୀ ।

ଗତ ୪ଦିନ ହେଲା ସେମାନଙ୍କର କୌଣସି ପତ୍ତା ମିଳୁନାହିଁ । ବହୁ ଖୋଜାଖୋଜି କରି ବିଫଳ ହେବାପରେ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀବାହିନୀ ଓ ସାମୁଦ୍ରିକ ଥାନା ପୁଲିସକୁ ଏକ ଚିଠି ଲେଖିଛନ୍ତି ।

ସୂଚନା ଅନୁଯାୟୀ, ଦେବୀ ଲକ୍ଷ୍ମୀ ଓ କିନାରା ନାମକ ଦୁଇଟି ବୋଟ ୮ ତାରିଖରେ ମାଛ ଧରିବାକୁ ଯାଇଥିଲେ । ତେବେ ନିର୍ଦ୍ଧାରିତ ସମୟରେ ମାଛ ଧରା ବନ୍ଦରରେ ପହଞ୍ଚି ନଥିଲେ ।

ଉଭୟ ମାଲିକ ଟ୍ରଲର୍‌ର ଚାଳକମାନଙ୍କୁ ଯୋଗାଯୋଗ କରିଥିଲେ । ମାତ୍ର ଯୋଗାଯୋଗ ସମ୍ଭବ ହୋଇ ନଥିଲା । ମାଛ ଧରିବା ପାଇଁ ଯାଇଥିବା ଅନ୍ୟ ଟ୍ରଲର୍‌ ମାଲିକମାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ବି କୌଣସି ପତ୍ତା ମିଳି ନଥିଲା ।

ଫଳରେ ଅନ୍ୟ ଉପାୟ ନପାଇ ସେମାନେ ମତ୍ସ୍ୟ ବିଭାଗକୁ ଅବଗତ କରାଇଥିଲେ । ତେବେ ଖବର ଜଣାପଡିବା ପରେ କୋଷ୍ଟଗାର୍ଡକୁ ଚିଠି ଲେଖି ସହାୟତା ମାଗିଛି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ।

ଲେଖା ଯାଉଥିବା ରିପୋର୍ଟ ସମୟ ରେ ନିଖୋଜ ଥିବା ବୋଟର ସନ୍ଧାନ ମିଳିଥିବା ଜଣାପଡ଼ିଛି । ଦୁଇଟି ଯାକ ବୋଟର ସମସ୍ତ ୧୩ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ବୋଟ୍ ଚାଳକ  ସୂଚନା ଦେଇଛନ୍ତି ।

ଏବେ ସେମାନେ କୂଳ ଠାରୁ ୧୨ ନଟିକାଲ ମାଇଲ ଦୂରରେ ଅଛନ୍ତି । ଦୁଇ ଘଣ୍ଟା ମଧ୍ୟରେ ପାରାଦୀପ ମାଛଧରା ବନ୍ଦରରେ ପହଞ୍ଚିବେ । ପହଞ୍ଚିଲେ ହିଁ ନିଖୋଜର କାରଣ ଜଣାପଡିବ ବୋଲି କହିଲେ ଓମଫା ସଭାପତି ଶ୍ରୀକାନ୍ତ ପରିଡ଼ା କହିଛନ୍ତି ।