କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୨୦ତମ ପ୍ରତିଷ୍ଠା ଦିବସ

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର, ୨ ।୭): କିଟ୍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୨୦ତମ ପ୍ରତିଷ୍ଠା ଦିବସ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସଂସ୍କୃତ ଶ୍ଳୋକ "ବିଦ୍ୟା ଦଦାତି ବିନୟମ୍‌, ବିନୟଦ୍ ଯାତି ପାତ୍ରତାମ’ ଉଦ୍ଧୃତ କରି କହିଲେ, ଜ୍ଞାନ ବିନମ୍ରତା ପ୍ରଦାନ କରେ ଓ ବିନମ୍ରତା ଯୋଗ୍ୟତା ଆଡ଼କୁ ନେଇଯାଏ । ଜ୍ଞାନ ଜଣେ ବ୍ୟକ୍ତିକୁ ବିନମ୍ର କରିଥାଏ, ବିନମ୍ରତା, ଦକ୍ଷତା ହାସଲ କରିବାରେ ସାହାଯ୍ୟ କରେ; ଏବଂ ଦକ୍ଷତା, ସଫଳତା ଏବଂ ଖୁସି ପାଇବା ପାଇଁ ପଥ ପ୍ରଶସ୍ତ କରିଥାଏ ବୋଲି କହିଥିଲେ। କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଜୀବନବ୍ୟାପୀ ଶିକ୍ଷାର ଏକ ଭିତ୍ତିଭୂମି । ଏଠାରେ ଶିକ୍ଷା ଆରମ୍ଭ କରୁଥିବା ଅନେକ ଛାତ୍ର କିଟ୍ ପରିବାରର ଅଂଶ ହୋଇ କିଟ୍‌ର ମୂଳ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ବଜାୟ ରଖି ଆଗକୁ ବଢ଼ିଥାନ୍ତି ।

କିଟ୍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅସାଧାରଣ ଦୃଷ୍ଟିକୋଣର ଉଦାହରଣ ଦେଇ ପ୍ରଫେସର ସିଂହ କହିଲେ, ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନ ପାଇଁ ସବୁଠାରୁ ଶକ୍ତିଶାଳୀ ଉପକରଣ। ଶିକ୍ଷାର ପ୍ରକୃତ ତାତ୍ପର୍ଯ୍ୟ ହେଉଛି ଦାୟିତ୍ୱବାନ ନାଗରିକ ଗଢ଼ି ତୋଳିବା, ସମାଜ ପ୍ରତି ଯତ୍ନବାନ ଓ ମାନବ କଲ୍ୟାଣ ପାଇଁ ସକାରାତ୍ମକ ଅବଦାନ ରଖିବା ବୋଲି ସେ କହିଥିଲେ।

କିଟ୍ ଓ କିସ ସଭାପତି ଶାଶ୍ୱତୀ ବଳ, କିଟ୍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ସହ କେକ୍‍ କାଟି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

ନିଜ ସ୍ୱାଗତ ଭାଷଣରେ, କିଟ୍‍ ଇଣ୍ଟର୍‍ନ୍ୟାସ୍‍ନାଲ୍‍ ସ୍କୁଲ୍‍ ଚେୟାରପର୍ସନ ଡ ମୋନାଲିସା ବଳ କହିଲେ, ୨୦୦୭  ମସିହାରେ ମାତ୍ର ୨୫ଜଣ ଛାତ୍ରଛାତ୍ରୀ ଓ ୧୪ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ କିଟ୍‍ ଇଣ୍ଟର୍‍ନ୍ୟାସ୍‍ନାଲ୍‍ ସ୍କୁଲ୍‍ ଯାତ୍ରା ଆରମ୍ଭ କରିଥିଲା। ଆଜି ଏହା ପୂର୍ବ ଭାରତର ଏକ ପ୍ରମୁଖ ଇଣ୍ଟର୍‍ନ୍ୟାସ୍‍ନାଲ୍‍ ସ୍କୁଲ୍‍ ମଧ୍ୟରୁ ଅନ୍ୟତମ ହୋଇପାରିଛି। ଏହା ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଦୃଷ୍ଟିକୋଣ ପାଇଁ ସମ୍ଭବ ହୋଇପାରିଛି। କାରଣ ସେତେବେଳେ ବାସ୍ତବ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ମାନଦଣ୍ଡରେ କୌଣସି ଇଣ୍ଟର୍‍ନ୍ୟାସ୍‍ନାଲ୍‍ ସ୍କୁଲ୍‍ ଏଠାରେ ନଥିଲା ।

ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ପିଲାମାନେ ସାହସର ସହ ଚିନ୍ତା କରିବା, ନିର୍ଭିକ ଭାବରେ ପରିବର୍ତ୍ତନକୁ ଗ୍ରହଣ କରିବା, ଉତ୍କର୍ଷତା ହାସଲ କରିବାରେ ସ୍ଥିର ରହିବା ସହ କେବେବି ନିଜର ମାନବିକତାକୁ ପରିତ୍ୟାଗ ନକରିବାକୁ ଆହ୍ୱାନ କରିଥିଲେ। ଇଣ୍ଟରନେଟ୍‍ ଓ ଏଆଇ ପ୍ରତି ନିର୍ଭର ହୋଇପଡୁଥିବା ପିଲାମାନଙ୍କୁ ପରାମର୍ଶ ଦେଇ ସେ କିହଲେ, କୌଣସି ଇଣ୍ଟରନେଟ୍‍ ଆଲଗୋରିଦମ ଦୟା କିମ୍ବା ସହାନୁଭୂତି ଶିଖାଇପାରିବ ନାହିଁ, କୌଣସି ସର୍ଚ୍ଚ ଇଞ୍ଜିନ୍ ସଚ୍ଚୋଟତା ପ୍ରଦାନ କରିପାରିବ ନାହିଁ କିମ୍ବା କୌଣସି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଚରିତ୍ର ଗଠନ କିମ୍ବା ସାହସ ଶିଖାଇପାରିବ ନାହିଁ।

ସ୍କୁଲର ଅଧ୍ୟକ୍ଷ ଡ ସଞ୍ଜୟ ସୁଆର କହିଲେ, ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନରେ ସକାରାତ୍ମକ ପରିର୍ବତ୍ତନ ଆଣିବାକୁ ସକ୍ଷମ କରିବା ଲକ୍ଷ୍ୟରେ କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଉତ୍କର୍ଷତା ପାଇଁ ପ୍ରୟାସ ଜାରି ରଖିଛି। ପିଲାମାନେ ନିଜର ତ୍ରୁଟିକୁ ସ୍ୱୀକାର କରିବା ଓ ସେଗୁଡ଼ିକୁ ସଂଶୋଧନ କରିବା ପାଇଁ କାମ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରେଣୀରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍କର୍ଷ ଶିକ୍ଷକମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।