ଆଉ ନାହାନ୍ତି ପାରିକର, ଅସୁସ୍ଥତାରେ ରହି ନାକରେ ଅପରେସନ ପାଇପ ଲଗେଇ କାର୍ଯ୍ୟ କରିଥିଲେ, ପ୍ରଚାରକରୁ ପ୍ରତିରକ୍ଷା ମନ୍ତ୍ରୀ ହୋଇ ପାରିଥିଲେ, ଜାଣନ୍ତୁ ଏହି ମହାନ ବ୍ୟକ୍ତିଙ୍କ ବିଷୟରେ

ମୃତ୍ୟୁ ସହ ସଂଘର୍ଷ କରୁଥିଲେ ବି ନିଜ କର୍ମକୁ କେବେ ଅଣଦେଖା କରିନଥିଲେ । ଗତକାଲି (ମାର୍ଚ୍ଚ ୧୭, ୨୦୧୯ରେ) ଦେଶବାସୀଙ୍କୁ ଏମିତି ଏକ ମହାନ ବ୍ୟକ୍ତି ସବୁ ଦିନ ପାଇଁ ଛାଡି ଚାଲିଯାଇଛନ୍ତି ଯାହାଙ୍କ ପାଇଁ ଏବେ ସମସ୍ତଙ୍କ ଆଖିରେ ଅଶ୍ରୁ ଆଣିଦେଇଛି । କାରଣ ଆଉ ନାହାନ୍ତି ମନୋହର ପାରିକର । ଶେଷ ଥରକ କିଛି ପ୍ରକଳ୍ପ ଉଦ୍ଘାଟନ କରିବା ସମୟରେ ଏହି ମହାନ ବ୍ୟକ୍ତି ଜଣଙ୍କ ପ୍ୟାନକ୍ରିୟାଟିକ କନ୍ସରରେ ମରଣ ସହ ସଂଘର୍ଷ
 

ମୃତ୍ୟୁ ସହ ସଂଘର୍ଷ କରୁଥିଲେ ବି ନିଜ କର୍ମକୁ କେବେ ଅଣଦେଖା କରିନଥିଲେ । ଗତକାଲି (ମାର୍ଚ୍ଚ ୧୭, ୨୦୧୯ରେ) ଦେଶବାସୀଙ୍କୁ ଏମିତି ଏକ ମହାନ ବ୍ୟକ୍ତି ସବୁ ଦିନ ପାଇଁ ଛାଡି ଚାଲିଯାଇଛନ୍ତି ଯାହାଙ୍କ ପାଇଁ ଏବେ ସମସ୍ତଙ୍କ ଆଖିରେ ଅଶ୍ରୁ ଆଣିଦେଇଛି । କାରଣ ଆଉ ନାହାନ୍ତି ମନୋହର ପାରିକର ।

ଶେଷ ଥରକ କିଛି ପ୍ରକଳ୍ପ ଉଦ୍ଘାଟନ କରିବା ସମୟରେ ଏହି ମହାନ ବ୍ୟକ୍ତି ଜଣଙ୍କ ପ୍ୟାନକ୍ରିୟାଟିକ କନ୍ସରରେ ମରଣ ସହ ସଂଘର୍ଷ କରୁଥିବା ସମୟରେ ବି ଲୋକଙ୍କୁ ଦାୟିତ୍ୱ ଓ କର୍ମ କଣ ଶିଖେଇଥିଲେ । ଅସୁସ୍ଥତା ଭିତରେ ବି ସେ ବେଡ଼ରୁ ପଦାକୁ ବାହାରି ‘ହାଓ ଇଜ଼ ଦ ଜୋସ’ କହି ଲୋକଙ୍କ ମନୋବଳ ବଢ଼େଇଥିଲେ ।

ସେ ଖବର ପରିବେଶଣ ହେଉ କିମ୍ବା ବ୍ୟକ୍ତିଗତ ଓ ରାଜନୈତିକ ତଥ୍ୟ ସଂଗ୍ରହ । ସବୁବେଳେ ମନୋହର ପାରିକରଙ୍କ ବ୍ୟକ୍ତିତ୍ୱ ପ୍ରଶଂସନୀୟ । ଗତ ତିନି ଦିନ ହେବ ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ରହିବା ମୋତେ ବ୍ୟଥିତ କରିନଥିଲେ ମଧ୍ୟ ତାଙ୍କ ବିୟୋଗରେ ଜଣେ ସଚ୍ଚୋଟ ଓ କର୍ତ୍ତବ୍ୟ ପରାୟଣ ରାଜନେତା ଦେଶ ହରାଇଲା । ପ୍ରତିରକ୍ଷା ମନ୍ତ୍ରୀ ଭାବରେ ସେ ଯେଉଁ ଗୁରୁ ଦାୟିତ୍ୱ ବହନ କରିଥିଲେ ତାହା ସର୍ବଦା ପ୍ରଶଂସନୀୟ ।

ପ୍ରଚାରକରୁ ପ୍ରତିରକ୍ଷା ମନ୍ତ୍ରୀ:

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବା ଆରଏସଏସର ପ୍ରଚାରକରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଲାଇ ସେ ସଭିଙ୍କ ପ୍ରିୟ ହୋଇଥିଲେ । ଜୀବନର ଶେଷ ସମୟରେ ଗୁରୁତ୍ୱପୂର୍ଣ୍ଣ ଗୋଆର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିଲେ ପାରିକର । ୬୩ ବର୍ଷ ବୟସରେ କ୍ୟାନସରରେ ପଡ଼ି ଶେଷ ନିଶ୍ୱାସ ତ୍ୟାଗ କରିଥିବା ପାରିକର ୪ ଥର ଗୋଆର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।

କେବଳ ଗୋଆ କାହିଁକି ଜାତୀୟ ରାଜନୀତିରେ ଜଣେ ଆଗଧାଡ଼ିରେ ନେତା ଥିବା ମନୋହର ପାରିକର ତିନି ବର୍ଷ ଯାଏ ନରେନ୍ଦ୍ର ମୋଦି ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ପାରିକର ଜଣେ ଏମିତି ନେତା ଥିଲେ ଯାହାକୁ କେବଳ ବିଜେପି କାହିଁକି ବିରୋଧୀ ବି ସମ୍ମାନ କରୁଥିଲେ, ଗୁରୁତ୍ୱ ବି ଦେଉଥିଲେ ।

ଗୋଆ ନିର୍ବାଚନ ପରେ ବିଜେପିର ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ସହଯୋଗୀଙ୍କୁ ମନାଇ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲେ । ପାରିକରଙ୍କ ରାଜନୈତିକ ମାଷ୍ଟରଷ୍ଟ୍ରୋକ ଆଗରେ କଂଗ୍ରେସ ରଣନୀତି ଫେଲ୍ ମାରିଥିଲା । ଆଉ ଏ କଥା କଂଗ୍ରେସ ନେତାମାନେ ବି ମାନିଛନ୍ତି ।

୧୯୫୫ ମସିହା ୧୩ ଡିସେମ୍ବରରେ ପାରିକରଙ୍କ ଜନ୍ମ । ମଧ୍ୟବିତ୍ତ ପରିବାରରୁ ଆସୁଥିବା ପାରିକର ପ୍ରଥମ ରାଜନୈତିକ କ୍ୟାରିଅର ଆରଏସଏସର ପ୍ରଚାରକ ଭାବେ ଆରମ୍ଭ କରନ୍ତି । ଆଇଆଇଟି ବମ୍ବେରୁ ମେଟାଲୁର୍ଜିକାଲ ଇଞ୍ଜିନିୟରିଙ୍ଗରେ ଡିଗ୍ରୀ ହାସଲ କରନ୍ତି । ସକ୍ରିୟ ରାଜନୀତିରେ ପାଦ ଦେଇ ଏତେ ସଫଳତା ହାସଲ କରିଥିବା ପାରିକର କେବେ ମଧ୍ୟ ସଂଘ ପ୍ରଚାକର କିମ୍ବା ସଂଗଠନ ସହ ଜଡ଼ିତ ଥିବା ଖବରକୁ ଏଡାଇ ଯାଇନାହାନ୍ତି । ସେ ସଂଘର ଶୃଙ୍ଖଳିତ କର୍ମୀ ଭାବେ କାମ କରିଛନ୍ତି । ସଂଘର କାର୍ଯ୍ୟକ୍ରମରେ ୟୁନିଫର୍ମ ପିନ୍ଧିବା ସହ ଲାଠି ସହ ନଜର ବି ଆସିଛନ୍ତି ।

ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକର ଶ୍ରେୟ ସେ ସଂଘରୁ ମିଳିଥିବା ଶିକ୍ଷା ଦ୍ୱାରା ସମ୍ଭବ ହୋଇପାରିଛି ବୋଲି କହିଥିଲେ । ସେନାର ସର୍ଜିକାଲ ଷ୍ଟ୍ରାଇକ ସମୟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ମନୋହର ପାରିକର । ସେନାର ସର୍ଜିକାଲ ଷ୍ଟ୍ରାଇକର ଟିକି ନିଖି ମନିଟରିଂ କରିଥିଲେ ନିଜେ ପାରିକର ।

ଗୋଆର ସର୍ବପୁରାତନ ପାର୍ଟି ମହାରାଷ୍ଟ୍ରବାଦି ଗୋମନ୍ଥକ ପାର୍ଟି ବା ଏମଜିପିକୁ ଟକ୍କର ଦେବା ପାଇଁ ବିଜେପି ତାଙ୍କୁ ସକ୍ରିୟ ରାଜନୀତିକୁ ନେଇ ଆସିଥିଲା । ୧୯୯୪ ମସିହାରେ ପ୍ରଥମ ବିଧାନସଭା ନିର୍ବାଚନ ଲଢ଼ିଥିଲେ ମନୋହର ପାରିକର । ବିଜେପି ଟିକଟରୁ ସେ ପାଣାଜୀ ଆସନରୁ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ । ୧୯୯୯ ମସିହା ଜୁନ୍ ରୁ ନଭେମ୍ବର ଯାଏ ବିଧାନସଭାରେ ବିରୋଧି ଦଳ ନେତା ଭାବେ ଦାୟିତ୍ୱ ତୁଲାଇଥିଲେ । କଂଗ୍ରେସ ନେତୃତ୍ୱାଧିନ ସରକାରକୁ ବିରୋଧରେ ଶ୍ୱର ଶାଣିତ କରି ସେ ନିଜକୁ ଜଣେ ବରିଷ୍ଠ ରାଜନେତାର ପରିଚୟ ଦେଇଥିଲେ ।

୨୦୦୦ ମସିହା ଅକ୍ଟୋବର ୨୪ ତାରିଖରେ ପ୍ରଥମ ଥର ପାଇଁ ସେ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରନ୍ତି । ଏହାର ଅବଧି ବହୁତ ଛୋଟ ଥିଲା, ୨୦୦୨ ମସିହା ଫେବ୍ରୁଆରି ୨୭ ଯାଏ ହିଁ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ପୁଣି ଥରେ ସେହି ବର୍ଷ ଅର୍ଥାତ ୨୦୦୨ ମସିହା ଜୁନ୍ ୫ରେ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନିଅନ୍ତି । ଜାନୁଆରୀ ୨୯, ୨୦୦୫ରେ ପୁଣି ଥରେ ଗାଦି ଛାଡ଼ିବାକୁ ବାଧ୍ୟ ହୁଅନ୍ତି ମନୋହର ପାରିକର । ୪ ଦଳୀୟ ବିଧାୟକଙ୍କ ଇସ୍ତଫା ପରେ ସଂଖ୍ୟା ଲଘୁରେ ପରିଣତ ହୁଏ ପାରିକର ସରକାର । ପାରିକରଙ୍କ ସ୍ଥାନ ନିଅନ୍ତି କଂଗ୍ରେସର ପ୍ରତାପସିଂହ ରାଣେ । ୨୦୦୭ ମସିହାରେ ପାରିକର ନେତୃତ୍ୱାଧୀନ ବିଜେପି, କଂଗ୍ରେସଠାରୁ ପରାଜୟ ବରଣ କରେ । ଦିଗାମ୍ବର କାମତ ବିଜେପିକୁ ଗୋଆରେ ପରାଜିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ କଂଗ୍ରେସକୁ ବିଜୟ ଦେଇଥିଲେ ।

୨୦୧୨ ମସିହାରେ ପୁଣି ଥରେ କମବ୍ୟାକ କରନ୍ତି ମନୋହର ପାରିକର । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପି ୨୧ ଆସନ ହାସଲ କରି ସରକାର ଗଢ଼ିବାକୁ ସକ୍ଷମ ହୁଏ । ଆଉ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି ମନୋହର ପାରିକର । ସେହିଭଳି ୨୦୧୪ରେ ବିଜେପି ଲୋକସଭା ନିର୍ବାଚନରେ ମଧ୍ୟ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ଦିଲ୍ଲୀ ବି ଦଖଲ କରିନେଲା ।

ମୋଦି ନେତୃତ୍ୱାଧିନ କେନ୍ଦ୍ର କ୍ୟାବିନେଟର ଶପଥ ଗ୍ରହଣ ବେଳେ ପାରିକରଙ୍କୁ ଗୋଆରୁ ଦିଲ୍ଲୀ ଡାକରା ପଡ଼ିଲା ଏବଂ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରଦାନ କରାଗଲା । ୨୦୧୪ ନଭେମ୍ବରରୁ ୨୦୧୭ ଯାଏ ଏହି ଦାୟିତ୍ୱରେ ସଫଳତାର ସହ କାର୍ଯ୍ୟକରିଥିଲେ ମନୋହର ପାରିକର । ୨୦୧୭ ଗୋଆ ବିଧାନସଭା ନିର୍ବାଚନରେ ବିଜେପି ଅଙ୍କ ଗଣିତରେ ଫସିଥିବା ବେଳେ ତ୍ରାଣ କର୍ତ୍ତା ଭାବେ କେନ୍ଦ୍ର କ୍ୟାବିନେଟ ଛାଡ଼ି ପୁଣି ଥରେ ଗୋଆ ଫେରିଆସନ୍ତି ପାରିକର । ମାର୍ଚ୍ଚ ମାସ ୨୦୧୭ରେ ପାରିକର ଗୋଆ ଫରୱାଡ଼ ପାର୍ଟି ଏବଂ ଏମଜିପିକୁ ନିଜ ସପକ୍ଷରେ ନେବା ପାଇଁ ସମର୍ଥ ହୁଅନ୍ତି । ଦୁଇ ଦଳର ସହଯୋଗରେ ଗୋଆରେ ପୁଣି ଥରେ ବିଜେପିର ସରକାର କ୍ଷମତାକୁ ଆସେ ।

୨୦୧୮ ଫେବ୍ରୁଆରୀ ମାସରୁ ସେ ଅସୁସ୍ଥ ହେବାକୁ ଲାଗନ୍ତି । ଧିରେ ଧିରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗେ । ପ୍ରଥମେ ଚିକିତ୍ସା ପାଇଁ ସେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି । ପରେ ପରେ ସେ ଅଧିକ ଚିକିତ୍ସା ପାଇଁ ଆମେରିକା ଚାଲି ଯାଆନ୍ତି । ୨୦୧୮ ଜୁନ୍ ଯାଏ ମେଡିକାଲରେ ହିଁ ରୁହନ୍ତି ପାରିକର ।

ପାରିକର ବିଧାନସଭାର ମୌସୁମୀ ଅଧିବେଶନରେ ଅସୁସ୍ଥ ସତ୍ତ୍ୱେ ଉପସ୍ଥିତ ରହିଥିଲେ । ଦ୍ୱିତୀୟ ରାଉଣ୍ଡ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୨୦୧୮ ଅଗଷ୍ଟ ୧୦ରେ ସେ ଆମେରିକା ଯାତ୍ରା କରି ୨୨ ତାରିଖରେ ଗୋଆ ଫେରନ୍ତି । ଘରୋଇ ଚିକିତ୍ସା ସତ୍ତ୍ୱେ ସେ ନୂଆଦିଲ୍ଲୀ ଏମ୍ସକୁ ସେପ୍ଟେମ୍ବର ୧୫ରେ ଭର୍ତ୍ତି ହୁଅନ୍ତି ।

ମନୋହର ପାରିକର ସେତେବେଳେ ପୁଣି ଥରେ ଚର୍ଚ୍ଚାକୁ ଆସନ୍ତି ଯେତେବେଳେ ସେ ଅଚାନକ ୨୦୧୯ ଜାନୁଆରୀ ୨ତାରିଖରେ ନିଜ ଅଫିସକୁ ଫେରନ୍ତି । ତାହା ପୁଣି ପ୍ରାୟ ଅଢ଼େଇ ମାସ ପରେ । ପୁଣି ଚର୍ଚ୍ଚାକୁ ଆସନ୍ତି ସେହି ମାସ ୨୭ ତାରିଖରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ମାଣ୍ଡୋଭି ନଦୀରେ ତୃତୀୟ ବ୍ରିଜ୍ ର ଲୋକାର୍ପଣ ଉତ୍ସବରେ ଉପସ୍ଥିତିକୁ ନେଇ ।

ଏପରିକି ଜାନୁଆରୀ ୨୯ରେ ସେ ବଜେଟ ଅଧିବେଶନ ସାମିଲ ହୁଅନ୍ତି ଏବଂ ତା ପର ଦିନ ବଜେଟ ମଧ୍ୟ ଉପସ୍ଥାପନ କରନ୍ତି । ଜାନୂଆରୀ ୩୧ରେ ବଜେଟ ଅଧିବେଶନର ଅନ୍ତିମ ଦିନର କାର୍ଯ୍ୟ ଶେଷ ପରେ ପୁଣି ଥରେ ସେ ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି ହୁଅନ୍ତି । ଫେବ୍ରୁଆରୀ ୫ରେ ସେ ଗୋଆ ଫେରନ୍ତି । ଫେବ୍ରୁଆରୀ ୯ ତାରିଖରେ ଅମିତ ଶାହଙ୍କ ଉପସ୍ଥିତିରେ ବୁଥ୍ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ ବି କରନ୍ତି ।

ନିଜ ଜୀବନ କାଳର ଶେଷ ସମୟ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଯିବା ଆସିବାରେ କଟିଥିଲା । ଆଉ ସବୁ ସମୟ ସେ ନିଜ ପୈତୃକ ବାସଭବନରେ ହିଁ ରହିଆସୁଥିଲେ ।