ପଞ୍ଜାବ ନ୍ଯାସନାଲ୍ ବ୍ଯାଙ୍କ୍ ମହାଘୋଟାଲା ଘଟଣାର ପଳାତକ ମେହୁଲ୍ ଚୋକ୍ସି ଧାରା ପଡ଼ିବା ରହସ୍ୟ ସାମ୍ନା କୁ ଆଣିଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ 

 

ଓଡ଼ିଆ ଗସିପ ବ୍ୟୁରୋ: ଆଣ୍ଟିଗୁଆରୁ କାହିଁକି ହଠାତ୍ ଡୋମିନିକା ଯାଇଥିଲା ପଳାତକ ବ୍ଯବସାୟୀ ତଥା PNB ମହାଘୋଟାଲାର ଅଭିଯୁକ୍ତ ମେହୁଲ୍ ଚୋକ୍ସି? ସେ ଆଣ୍ଟିଗୁଆରୁ ଜଳପଥରେ ଲୁଚି କ୍ୟୁବା ପଳାଉଥିବା ବେଳେ ଡୋମିନିକାରୁ ଧରାପଡ଼ିଥିବା କୁହାଯାଉଥିବା ବେଳେ, ତାର ଓକିଲ ଅଭିଯୋଗ କରୁଛନ୍ତି ଯେ ଚୋକ୍ସିକୁ ଆଣ୍ଟିଗୁଆ ଓ ଭାରତୀୟ ପୋଲିସ ଅପହରଣ କରି ଡୋମିନିକା ନେଇଯାଇଥିଲେ ।

ତେବେ ଏଭିତରେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗ୍ଯାଷ୍ଟନ୍ ବ୍ରାଉନ୍ ଆଉ ଏକ ରୋଚକ ଖୁଲାସା କରିଛନ୍ତି । କହିଛନ୍ତି, ଚୋକ୍ସି ହୁଏତ ନିଜ ଗର୍ଲଫ୍ରେଣ୍ଡ୍ ସହ ରୋମାଣ୍ଟିକ୍ ଟ୍ରିପ୍ ରେ ଡୋମିନିକା ଯାଇ ସେଠାରେ ଧରାପଡ଼ିଛି ।

ସେପଟେ ଡୋମିନିକାରୁ ଚୋକ୍ସିକୁ ଭାରତ ଆଣିବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ତାର ଦେଶାନ୍ତରଣ ଦସ୍ତାବିଜ୍ ଏକ ପ୍ରାଇଭେଟ୍ ଜେଟ୍ ରେ ଡୋମିନିକାକୁ ପଠାଯାଇଥିବା ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଅବୈଧ ପ୍ରବେଶ ଅଭିଯୋଗରେ ଡୋମିନିକାରେ ଧରାପଡ଼ିବା ପରେ ତାର କୌଣସି ଦେଶାନ୍ତରଣ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ସେଠାକାର କୋର୍ଟ ।

ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ବୁଧବାର ଏନେଇ ପରବର୍ତ୍ତୀ ଶୁଣାଣି ହେବାକୁ ଥିବାରୁ ସିବିଆଇ ଓ ଇଡି କେବଳ କେଶ୍ ଫାଇଲ୍ଗୁଡ଼ିକ ଡୋମିନିକାକୁ ପଠାଇଛନ୍ତି ।

ସେପଟେ ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ମଧ୍ୟ ଏହି ପ୍ରସଙ୍ଗରେ ଉଭୟ ଆଣ୍ଟିଗୁଆ ଓ ଡୋମିନିକା ସରକାରଙ୍କ ସହ ଯୋଗାଯୋଗରେ ଥିବା କୁହାଯାଉଛି । ୨୦୧୮ରେ ୧୩ ହଜାର କୋଟିର ପଞ୍ଜାବ ନ୍ଯାସନାଲ୍ ବ୍ଯାଙ୍କ୍ ମହାଘୋଟାଲାରେ ସମ୍ପୃକ୍ତି ଅଭିଯୋଗ ପରେ, ହୀରା ବ୍ଯବସାୟୀ ଚୋକ୍ସି ଭାରତ ଛାଡ଼ି ଆଣ୍ଟିଗୁଆ ପଳାଇଛି ଏବଂ ସେଠାରେ ନାଗରିକତ୍ୱ ମଧ୍ୟ ଗ୍ରହଣ କରିଛି । ଏପଟେ ଭାରତ ସରକାର ତାକୁ ପଳାତକ ଘୋଷଣା କରିଛନ୍ତି ।