Kidney Health: କିଡ଼ନୀ ଷ୍ଟୋନ ପାଇଁ ବହୁତ ଲାଭଦାୟକ ଏହି ଜୁସ୍, ଜାଣନ୍ତୁ କେମିତି କରିବେ ସେବନ
ଭୁବନେଶ୍ୱର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଭୁଲ ଖାଦ୍ୟପେୟ ଏବଂ କମ ପାଣି ପିଇବା କାରଣରୁ କିଡନୀ ଷ୍ଟୋନ ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଶରୀରରେ ଷ୍ଟୋନ ହେଲେ ପେଟ ଓ ଅଣ୍ଟାରେ ଅସହ୍ୟ ବିନ୍ଧା, ପରିସ୍ରା ପୋଡ଼ାଜଳା ଏବଂ ବାରମ୍ବାର ପରିସ୍ରା ଲାଗିବା ଭଳି ଲକ୍ଷଣ ଦେଖାଯାଇଥାଏ। ଏଭଳି ପରିସ୍ଥିତିରେ ଔଷଧ ସହିତ କିଛି ଘରୋଇ ଉପଚାର ମଧ୍ୟ ବେଶ ଲାଭଦାୟକ ପ୍ରମାଣିତ ହୋଇପାରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, କିଛି ନେଚୁରାଲ ଡ୍ରିଙ୍କ୍ସ କିଡନୀକୁ ସୁସ୍ଥ ରଖିବା ସହ ଷ୍ଟୋନ ଗଠନ ପ୍ରକ୍ରିୟାକୁ ରୋକିବାରେ ସାହାଯ୍ୟ କରିଥାଏ।
ମେଡିକାଲ ବିଜ୍ଞାନରେ ‘କିଡନୀ କ୍ଲିନ୍ଜ’ (Kidney Cleanse) ଭଳି କୌଣସି ଶବ୍ଦ ନାହିଁ, କାରଣ କିଡନୀ ନିଜେ ଶରୀରରୁ ଦୂଷିତ ପଦାର୍ଥ ବାହାର କରିବା କାମ କରିଥାଏ। ତେବେ କିଛି ଖାସ୍ ପାନୀୟ ରହିଛି ଯାହା କିଡନୀର କାର୍ଯ୍ୟଦକ୍ଷତା ବଢ଼ାଇବାରେ ସହାୟକ ହୋଇଥାଏ...
ଗାଜର ରସ (Carrot Juice):
ଗାଜର ରସ କିଡନୀ ପାଇଁ ବହୁତ ଉପକାରୀ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ଶରୀରର ପ୍ରଦାହ (Inflammation) କମାଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ, ଗାଜର ରସ କିଡନୀକୁ କ୍ଷତିରୁ ରକ୍ଷା କରିବା ସହ ଷ୍ଟୋନ ହେବାର ଆଶଙ୍କା ପ୍ରାୟତଃ କମାଇ ଦେଇଥାଏ। ବିଶେଷଜ୍ଞଙ୍କ ମତରେ ଦିନକୁ ପ୍ରାୟ ୨ ଗ୍ଲାସ ତାଜା ଗାଜର ରସ ପିଇବା ଉଚିତ୍।
ବିଟ ରସ (Beetroot Juice):
ବିଟ ବା ଚୁକନ୍ଦର ରସରେ ମଧ୍ୟ ଭରପୂର ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ, ଯାହା କିଡନୀକୁ ସୁରକ୍ଷା ଦେବା ସହ ରକ୍ତଚାପ (Blood Pressure) ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। କିନ୍ତୁ ମନେରଖନ୍ତୁ, ଯେଉଁମାନଙ୍କର ‘କ୍ୟାଲସିୟମ-ଅକ୍ସାଲେଟ’ ଷ୍ଟୋନ ସମସ୍ୟା ରହିଛି, ସେମାନେ ଏହାକୁ କମ ପରିମାଣରେ ସେବନ କରିବା ଉଚିତ, କାରଣ ବିଟରେ ଅକ୍ସାଲେଟ ମାତ୍ରା ଅଧିକ ଥାଏ।
ଲେମ୍ବୁ ପାଣି (Lemon Water):
କିଡନୀ ଷ୍ଟୋନ ରୋଗୀଙ୍କ ପାଇଁ ଲେମ୍ବୁ ପାଣି ଏକ ଅମୃତ ସଦୃଶ। ଲେମ୍ବୁରେ ଥିବା ସାଇଟ୍ରେଟ (Citrate) ପରିସ୍ରାର ଏସିଡିଟିକୁ କମ କରିଥାଏ, ଯାହାଦ୍ୱାରା ନୂଆ ଷ୍ଟୋନ ତିଆରି ହୋଇପାରେ ନାହିଁ। ଏକ ଅଧ୍ୟୟନ ଅନୁସାରେ, ଦିନକୁ ଦୁଇଥର ଲେମ୍ବୁ ରସ ସେବନ କଲେ ଷ୍ଟୋନ ସମସ୍ୟା ବାରମ୍ବାର ହେବାର ଆଶଙ୍କା ହ୍ରାସ ପାଇଥାଏ।
ଏହି ଦିଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ:
ଏହି ଜୁସ୍ ଗଡ଼ିକରେ ଅଧିକ ଚିନି କିମ୍ବା ଲୁଣ ମିଶାନ୍ତୁ ନାହିଁ, ନଚେତ୍ ଏହାର ପ୍ରାକୃତିକ ଗୁଣ ନଷ୍ଟ ହୋଇଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା। ଯଦି କିଡନୀ ଜନିତ ଯନ୍ତ୍ରଣା ଅଧିକ ହୁଏ, ତେବେ କେବଳ ଘରୋଇ ଉପଚାର ଉପରେ ନିର୍ଭର ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।