ରମ୍ପା ରମ୍ପି, କଟା କଟିକୁ ଭଲ କରିବ ହଳଦୀ ବ୍ୟାଣ୍ଡେଜ

 

ଓଡ଼ିଆ ଗସିପ୍ ବ୍ୟୁରୋ: ହଳଦୀର ଅନେକ ଉପକାରିତା କଥା ଆପଣ ଜାଣିଥିବେ ଶୁଣିଥିବେ । ଥରେ ଚିନ୍ତା କରନ୍ତୁ ହଦଳୀ ବିଶଲ୍ୟକରଣୀ ଭଳି ବି କାମ କରେ । ଏମିତିରେ ତ ରୋଷେଇ ଘରେ ହଳଦୀର ବ୍ୟବହାର ସଂପର୍କରେ ସମସ୍ତେ ଜାଣନ୍ତି । କିନ୍ତୁ ଏଥିରୁ ନିର୍ମିତ ବ୍ୟାଣ୍ଡେଜ୍ ଯେ ରୋଗୀର ଘାକୁ ଶୀଘ୍ର ଭଲ କରିପାରିବ, ତା ହୁଏତ ଅନେକ ଭାବିନଥିବେ । କିନ୍ତୁ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍ ଲାଇଫ୍ ସାଇନ୍ସର ବରିଷ୍ଠ ବୈଜ୍ଞାନିକ ଡ. ସଞ୍ଜୀବ ସାହୁଙ୍କ ଦ୍ୱାରା ବିକଶିତ ଟର୍ମେରିକ୍ ବ୍ୟାଣ୍ଡେଜ୍ ଡାଇବେଟିସ୍ ରୋଗୀର ଘାକୁ ବି ଭଲ କରିବାର କ୍ଷମତା ରଖିଛି ବୋଲି ସେ ଦାବି କରିଛନ୍ତି । ଏନେଇ ଓଟିଭିରେ ଏକ ବିସ୍ତ୍ରୁତ ଖବର ପ୍ରସାରିତ ହୋଇଛି ।

ମଧୁମେହ ରୋଗୀର ସବୁଠୁ ବଡ଼ ଚିନ୍ତା ଥାଏ ଘାକୁ। କାରଣ ଡାଇବେଟିସ୍ ରୋଗୀର ଶରୀରରେ ଘା ହେଲେ, ତାହା ସହଜରେ ଶୁଖି ନଥାଏ । କିନ୍ତୁ ଟର୍ମେରିକ୍ ବ୍ୟାଣ୍ଡେଜ୍ ବା ହଳଦୀରୁ ପ୍ରସ୍ତୁତ ଏହି ବ୍ୟାଣ୍ଡେଜ୍ କ୍ଷତକୁ ସହଜରେ ଭଲ କରିବାର କ୍ଷମତା ରଖିଛି ବୋଲି ଦାବି କରିଛନ୍ତି ଆଇଏଲ୍ଏସ୍ ବୈଜ୍ଞାନିକ ଡ. ସଞ୍ଜୀବ ସାହୁ ।

ଡ. ସାହୁ କହିଛନ୍ତି, ବର୍ଷ ବର୍ଷ ଧରି ହଳଦୀକୁ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇଆସୁଛି । ଏଥିରେ ଥିବା ନାନୋପାର୍ଟିକୁଲେଟ୍ କକ୍ୟୁୟମିନର ବହୁ ଔଷଧୀୟ ଗୁଣ ରହିଛି । ଏପରିକି ଡାଇବେଟିସ୍ ରୋଗୀର କ୍ଷତକୁ ବି ହଳଦୀ ଭଲ କରିପାରୁଥିବା ଗବେଷଣା ଜରିଆରେ ପ୍ରମାଣିତ ହୋଇଛି । ତେବେ ଘା ଶୁଖାଇବା ଉଦ୍ଦେଶ୍ୟରେ ପୂର୍ବରୁ କେବେ ବ୍ୟାଣ୍ଡେଜରେ କକ୍ୟୁୟମିନ ବ୍ୟବହାର ହୋଇ ନଥିଲା । ତେଣୁ କ୍ଷତକୁ ଶୀଘ୍ର ଶୁଖାଇବା ପାଇଁ କକ୍ୟୁୟମିନ ବା ହଳଦୀ ଲେପ ଥିବା ବ୍ୟାଣ୍ଡେଜ୍ ବିକାଶ କରିବାକୁ ଯୋଜନା କରିଥିଲେ ଆଇଏଲ୍ଏସର ବୈଜ୍ଞାନିକ ।

ତେବେ ଏହି ସ୍ୱତନ୍ତ୍ର ବ୍ୟାଣ୍ଡେଜରେ ବ୍ୟବହାର ହୋଇଛି ବାୟୋକମ୍ପାଟେବଲ ଓ ବାୟୋଡିଗ୍ରେଡେବଲ ସାଇଟୋସାନ୍ ଓ ଆଲ୍ଜିନେଟ୍ ପଲିମର୍ । ଯାହାକି କ୍ଷତ ସହ ଆପେ ଆପେ ମିଶିଯିବ ।  ଶରୀରର କୌଣସି ଅଙ୍ଗରେ କ୍ଷତ ହେଲେ, ରକ୍ତ ଜମାଟ ବାନ୍ଧିବା ପାଇଁ ମଧ୍ୟ ବ୍ୟବହାର ହୋଇପାରିବ ଏହି ବ୍ୟାଣ୍ଡେଜ୍ । ଏହାସହ ପୋଡ଼ା ଘାକୁ ମଧ୍ୟ ଭଲ କରିବାର କ୍ଷମତା ରଖିଛି ଏହି ବ୍ୟାଣ୍ଡେଜ୍ ।

ବୈଜ୍ଞାନିକ ସଞ୍ଜୀବ ସାହୁଙ୍କ ଦ୍ୱାରା ବିକଶିତ କକ୍ୟୁୟମିନ ବ୍ୟାଣ୍ଡେଜରେ ଟେକ୍ନୋଲୋଜି ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଭାରତ, ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆରେ ପ୍ୟାଟେଣ୍ଟ ପଞ୍ଜୀକରଣ କରିଛି । ଏପରିକି ଜନସାଧାରଣଙ୍କ ପାଇଁ ଏହି ବ୍ୟାଣ୍ଡେଜକୁ ବଜାରରେ ଉପଲବ୍ଧ କରାଇବାକୁ ଆଇଏଲ୍ଏସ୍ ଏକ ଘରୋଇ କମ୍ପାନି ସହ ଚୁକ୍ତିବଦ୍ଧ ହୋଇଛି ।

ତେବେ ଏହା ନିଶ୍ଚତ ଫଳପ୍ରଦ ହେଉଥିବା ସେ କହିଛନ୍ତି । ସାଧାରଣ ଭାବରେ ଡାଇବେଟିସ ରୋଗୀଙ୍କର ଘା ହେଲେ ତାହା ସହଜରେ ସୁଖେ ନାହିଁ । କିନ୍ତୁ ଏହି ବ୍ୟାଣ୍ଡେଜ୍‌ ଯଦି ଘା ଶୁଖାଇ ଦେଉଛି ତାହା ନିଶ୍ଚିତ ଏକ ଭଲ ଖବର ।