ପୃଥିବୀରେ ସ୍ବର୍ଗ ସୁଖ ପାଆନ୍ତି ଏହି ଲୋକ, ଏହି ୪ ଅଭ୍ୟାସ ଥିବା ଲୋକେ ପାଆନ୍ତି ନର୍କ ଯନ୍ତ୍ରଣା, ପଢ଼ନ୍ତୁ କ’ଣ କହେ ଚାଣକ୍ୟ ନୀତି

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ଧର୍ମ ଏବଂ ନୀତି ଶାସ୍ତ୍ର ବିଷୟରେ ଆଲୋଚନା ହେଲେ ଆଚାର୍ଯ୍ୟ ଚାଣକ୍ୟଙ୍କ ନାମ ସର୍ବାଗ୍ରେ ଆସିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାନ ରାଜନୀତିଜ୍ଞ, କୂଟନୀତିଜ୍ଞ ଏବଂ ବିଦ୍ୱାନ ଭାବେ ଗଣନା କରାଯାଏ। ତାଙ୍କ ଦ୍ୱାରା ରଚିତ ‘ନୀତି ଶାସ୍ତ୍ର’ରେ ମଣିଷର ଗୁଣ ଓ ଅବଗୁଣ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି, ଯାହା ଆଜି ବି ଲୋକଙ୍କୁ ଜୀବନରେ ସଠିକ ଦିଗ ଦେଖାଇଥାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଜଣେ ବ୍ୟକ୍ତିର ସ୍ବଭାବ ଏବଂ ବ୍ୟବହାର ହିଁ ତାର ଅସଲ ପରିଚୟ ସୃଷ୍ଟି କରିଥାଏ। କିଛି ଲୋକ ନିଜର ଭଲ କର୍ମ ଯୋଗୁଁ ଜୀବନରେ ସୁଖ ଓ ସମ୍ମାନ ପାଉଥିବା ବେଳେ, ଅନ୍ୟ କିଛି ଲୋକ ନିଜର ଖରାପ ଗୁଣ ଯୋଗୁଁ ସଦାସର୍ବଦା ଦୁଃଖ କଷ୍ଟ ଭୋଗିଥାନ୍ତି। ଚାଣକ୍ୟ ନୀତିର ସପ୍ତମ ଅଧ୍ୟାୟରେ ଏଭଳି ଦୁଇଟି ଶ୍ଳୋକ ମାଧ୍ୟମରେ ସ୍ବର୍ଗ ଓ ନର୍କରୁ ଆସିଥିବା ମଣିଷଙ୍କ ଲକ୍ଷଣ ବିଷୟରେ ବୁଝାଯାଇଛି।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରର ସପ୍ତମ ଅଧ୍ୟାୟର ୧୬ତମ ଶ୍ଳୋକରେ କହିଛନ୍ତି ଯେ, ଯେଉଁମାନେ ସ୍ବର୍ଗର ସୁଖ ଭୋଗ କରି ଏହି ମର୍ତ୍ତ୍ୟଲୋକରେ (ଧରିତ୍ରୀରେ) ଜନ୍ମଗ୍ରହଣ କରନ୍ତି, ସେମାନଙ୍କ ଶରୀରରେ ୪ଟି ସ୍ବତନ୍ତ୍ର ଗୁଣ ବା ଚିହ୍ନ ଦେଖିବାକୁ ମିଳେ।

ସେଗୁଡ଼ିକ ହେଲା:

ମଧୁର ବାଣୀ: ଏଭଳି ଲୋକ ସବୁବେଳେ ଅନ୍ୟମାନଙ୍କ ସହ ନମ୍ର ଏବଂ ମିଠା କଥା କୁହନ୍ତି।

ଦାନ-ପୁଣ୍ୟ କରିବା: ସେମାନଙ୍କ ମନରେ ସଦାସର୍ବଦା ଦାନ କରିବାର ପ୍ରବୃତ୍ତି ଥାଏ।

ଈଶ୍ୱର ଭକ୍ତି: ସେମାନେ ଭଗବାନଙ୍କ ଆରାଧନାରେ ସମୟ ଅତିବାହିତ କରନ୍ତି।

ବ୍ରାହ୍ମଣ ଓ ଜ୍ଞାନୀଙ୍କୁ ସମ୍ମାନ: ସେମାନେ ବ୍ରାହ୍ମଣ ଏବଂ ବିଦ୍ୱାନମାନଙ୍କୁ ସନ୍ତୁଷ୍ଟ ରଖନ୍ତି ଓ ଦାନ ଦିଅନ୍ତି।

ଆଚାର୍ଯ୍ୟଙ୍କ ଅନୁସାରେ, ଏଭଳି ଗୁଣସମ୍ପନ୍ନ ବ୍ୟକ୍ତି ସଂସାରରେ ସବୁବେଳେ ସୁଖ ଏବଂ ସମ୍ମାନର ସହ ଜୀବନ ଅତିବାହିତ କରନ୍ତି। 

ସେହିପରି ଯେଉଁମାନେ ନର୍କର ଦୁଃଖ ଏବଂ ଯାତନା ଭୋଗି ଏହି ପୃଥିବୀରେ ଜନ୍ମ ନିଅନ୍ତି, ସେମାନଙ୍କ ମଧ୍ୟରେ କିଛି ଖରାପ ଗୁଣ ପରିଲକ୍ଷିତ ହୁଏ। ଯେପରିକି-

ଅତ୍ୟଧିକ କ୍ରୋଧ ଓ କଟୁ ଭାଷା: ଏଭଳି ବ୍ୟକ୍ତି ସାମାନ୍ୟ କଥାରେ ରାଗିଯାନ୍ତି ଏବଂ ସବୁବେଳେ କଡ଼ା କିମ୍ବା ଅପ୍ରିୟ କଥା କୁହନ୍ତି।

ଦରିଦ୍ରତା ଓ ଅଭାବ: ସେମାନେ ଜୀବନସାରା ଆର୍ଥିକ ଅଭାବ ଅନଟନ ମଧ୍ୟରେ ଗତି କରନ୍ତି।

ଆପଣାର ଲୋକଙ୍କ ସହ ଶତ୍ରୁତା: ନିଜ ପରିବାର, ସ୍ବଜନ ଏବଂ ସାଙ୍ଗସାଥୀଙ୍କ ସହ ସେମାନଙ୍କର ସଦାବେଳେ ଶତ୍ରୁତା ରହିଥାଏ।

ଖରାପ ସଙ୍ଗତି: ସେମାନେ ସବୁବେଳେ ନୀଚ ଏବଂ ଭ୍ରଷ୍ଟ ଲୋକଙ୍କ ସହ ବନ୍ଧୁତା କରନ୍ତି ଏବଂ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତି।