ମହିଳାଙ୍କ ଭାଗ୍ୟ ବଦଳିଲା! ବିନା ଗ୍ୟାରେଣ୍ଟିରେ ମିଳିବ ୧୦ କୋଟି ପର୍ଯ୍ୟନ୍ତ ଋଣ
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି ଭୁବନେଶ୍ୱର,୨୪।୫): ଦିଲ୍ଲୀରେ ରହୁଥିବା ମହିଳାମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ମହିଳାମାନଙ୍କୁ ଆଗକୁ ବଢ଼ାଇବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ‘ଦିଲ୍ଲୀ ମହିଳା ଷ୍ଟାର୍ଟଅପ ଲୋନ ସ୍କିମ’ (Delhi Mahila Startup Loan Scheme)ର ଶୁଭାରମ୍ଭ କରିଛନ୍ତି, ଯାହା ରାଜଧାନୀର ସମଗ୍ର ଷ୍ଟାର୍ଟଅପ ଇକୋସିଷ୍ଟମର ଚିତ୍ର ବଦଳାଇ ଦେବ ।
ଏହି ସ୍ବତନ୍ତ୍ର ଯୋଜନା ଅଧୀନରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ (SHGs) କୁ ବିନା କୌଣସି ସିକ୍ୟୁରିଟି ବା ଗ୍ୟାରେଣ୍ଟିରେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ (Loan) ପ୍ରଦାନ କରାଯିବ । ଅର୍ଥଶାସ୍ତ୍ରୀମାନଙ୍କ ମତରେ, ଭାରତରେ ଅନେକ ମହିଳା ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, କିନ୍ତୁ ବ୍ୟାଙ୍କରୁ ପାଣ୍ଠି (Fund) ନମିଳିବା ହେତୁ ସେମାନେ ପଛେଇ ଯାଉଛନ୍ତି । ଏହି ବଡ଼ ସମସ୍ୟାକୁ ଦୂର କରିବା ପାଇଁ ଏହି ଯୋଜନା ଅଣାଯାଇଛି, ଯାହାଦ୍ୱାରା ମହିଳାମାନେ ବଡ଼ ବଡ଼ ବ୍ରାଣ୍ଡ ସହିତ ପ୍ରତିଯୋଗିତା କରିପାରିବେ ।
ଏହି ନୂତନ ଯୋଜନାର ସବୁଠାରୁ ବଡ଼ ଏବଂ ସ୍ବତନ୍ତ୍ର କଥା ହେଉଛି, ଋଣ ନେବା ପାଇଁ ମହିଳା ଆବେଦନକାରୀଙ୍କୁ ବ୍ୟାଙ୍କ ନିକଟରେ ନିଜର କୌଣସି ସମ୍ପତ୍ତି କିମ୍ବା ଘର ବନ୍ଧକ ରଖିବାକୁ ଆଦୌ ଆବଶ୍ୟକ ପଡ଼ିବ ନାହିଁ କିମ୍ବା କୌଣସି ପ୍ରାଇଭେଟ ଗ୍ୟାରେଣ୍ଟର ଆଣିବାର ବାଧ୍ୟତାବାଧକତା ମଧ୍ୟ ରହିବ ନାହିଁ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସ୍ପଷ୍ଟ କରିଛନ୍ତି ଯେ ଯୋଗ୍ୟ ଏବଂ ପ୍ରକୃତ ଷ୍ଟାର୍ଟଅପଗୁଡ଼ିକର ଋଣ ପାଇଁ ଦିଲ୍ଲୀ ସରକାର ନିଜେ ବ୍ୟାଙ୍କ ସାମ୍ନାରେ ଗ୍ୟାରେଣ୍ଟର ଭୂମିକା ଗ୍ରହଣ କରିବେ ।
ଅଧିକ ପଢ଼ନ୍ତୁ : ରାତିରେ ଗରମରେ ରହୁଥିଲେ ସାବଧାନ!...ହୋଇପାରେ ଏହି ରୋଗ, ଗବେଷଣାରୁ ଚାଞ୍ଚଲ୍ୟକର ଖୁଲାସା
ବଜାର ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ସରକାର ନିଜେ ଋଣର ଗ୍ୟାରେଣ୍ଟି ନେବା ଦ୍ୱାରା ବ୍ୟାଙ୍କଗୁଡ଼ିକ ଉପରୁ ଚାପ ସମ୍ପୂର୍ଣ୍ଣ କମିଯିବ ଏବଂ ସେମାନେ ପ୍ରାଥମିକ ପର୍ଯ୍ୟାୟର ମହିଳା ଉଦ୍ୟୋଗୀମାନଙ୍କୁ ମୁକ୍ତ ହସ୍ତରେ ପାଣ୍ଠି ଯୋଗାଇ ଦେଇପାରିବେ । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଘରୁ କିମ୍ବା ଛୋଟ ସ୍ଥାନୀୟ ବଜାରରୁ କାମ କରୁଥିବା ମହିଳାମାନଙ୍କୁ ନିଜ ବ୍ୟବସାୟର ପରିସର ବଢ଼ାଇ ଏହାକୁ ଏକ ବଡ଼ କମ୍ପାନୀରେ ପରିଣତ କରିବାର ସୁଯୋଗ ଦେବା ।
ରୋହିଣୀରେ ଅନୁଷ୍ଠିତ ଦୁଇ ଦିନିଆ "ମେଗା ସ୍ବୟଂ ସହାୟକ ଗୋଷ୍ଠୀ ମେଳା ୨୦୨୬"ର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ଐତିହାସିକ ଯୋଜନାର ବିବରଣୀ ସେୟାର କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ଲକ୍ଷ ଲକ୍ଷ ଦକ୍ଷ ମହିଳା କଠିନ ବ୍ୟାଙ୍କିଂ ନିୟମ ଏବଂ ଗ୍ୟାରେଣ୍ଟି ଅଭାବ ଯୋଗୁଁ ଆଗକୁ ବଢ଼ି ପାରୁ ନଥିବାରୁ ସରକାର ମହିଳାମାନଙ୍କୁ ଆର୍ଥିକ ଭାବରେ ସ୍ବାଧୀନ କରିବା ପାଇଁ ବ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି ।
ରୋହିଣୀରେ ଏହି ମହାନ ମେଳାରେ ପ୍ରାୟ ୨୪ ଟି ସ୍ବୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ, ସେମାନଙ୍କର ଖଦି ପୋଷାକ, ହସ୍ତଶିଳ୍ପ, ଘରୋଇ ସାମଗ୍ରୀ, ହସ୍ତଶିଳ୍ପ ଉତ୍ପାଦ ଏବଂ ଉତ୍କୃଷ୍ଟ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଅଧିକାରୀଙ୍କ ଅନୁଯାୟୀ, ଏପରି ମେଳା ମହିଳାମାନଙ୍କୁ ବଜାରରେ ଏକ ନୂତନ ପରିଚୟ ଏବଂ ଦୃଶ୍ୟମାନତା ପ୍ରଦାନ କରେ ।