ସାମ୍ବାଦିକତାରୁ ସୁନ୍ଦରୀ, କଳା ପ୍ରତି ଦୁର୍ବଳତା ତାଙ୍କୁ ରୁପେଲି ପରଦାର ରାଜକୁମାରୀର ପରିଚୟ ଦେଇଛି
ଓଡ଼ିଆ ଗସିପ୍ ବ୍ୟୁରୋ: ଏକ ପଞ୍ଜାବୀ ପରିବାରରେ ତାଙ୍କ ଜନ୍ମ । ମାୟାନଗରୀ ମୁମ୍ବାଇର ମରାଠୀ ପରିବେଶରେ ପ୍ରତିପାଳିତ । ଦକ୍ଷିଣ ଭାରତୀୟ ସିନେମାଗୁଡ଼ିକରେ କିନ୍ତୁ ସେ ରାଜ୍ କରିଚାଲିଛନ୍ତି। ଏପରିକି ତାଙ୍କର ଶାଣିତ ଅଭିନୟ ପାଇଁ ତାଙ୍କୁ ଅଦ୍ୟାବଧି ଦକ୍ଷିଣଭାରତୀୟ ସ୍ତରୀୟ ୧୬ଟି ସିନେ ସମ୍ମାନ ମିଳି ସାରିଥିବା ବେଳେ ତାଙ୍କ ନାମକୁ ମଧ୍ୟ ଆଉ ୧୪ଟି ବର୍ଗର ପୁରସ୍କାର ପାଇଁ ସୁପାରିସ କରାଯାଇଛି। ହଁ ଆମେ କହୁଛୁ ଭାରତର ଅନ୍ୟତମ ପରମ ସୁନ୍ଦରୀ କାଜଲ ଅଗ୍ରୱାଲଙ୍କ କଥା । ଆସନ୍ତୁ ଆଜି କାଜଲଙ୍କ ସମ୍ପର୍କରେ ଜାଣିବା କିଛି ଅଧିକ ......
ତୁଳସୀ ଗଛ ଯେପରି ଢିପ, ଖାଲ, ସମତଳ କି ପର୍ବତ ନିର୍ବିଶେଷରେ ଯୋଉଠି ଉଠିଲେ ବି ତା’ ପତ୍ରର ସୁବାସ ଅକ୍ଷୁଣ୍ଣ ରହିଥାଏ, ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ ସେମିତି ଏକ ନିଆରା ଉଦାହରଣ। ଏକ ପଞ୍ଜାବୀ ପରିବାରରେ ଜନ୍ମ ନେଇ ମୁମ୍ବାଇର ମରାଠୀ ପରିବେଶରେ ପ୍ରତିପାଳିତ ହୋଇ ସେ ଆଜି ଦକ୍ଷିଣ ଭାରତୀୟ ସିନେମାଗୁଡ଼ିକରେ ରାଜ୍ କରିଚାଲିଛନ୍ତି। ଏପରିକି ତାଙ୍କର ଶାଣିତ ଅଭିନୟ ପାଇଁ ତାଙ୍କୁ ଅଦ୍ୟାବଧି ଦକ୍ଷିଣଭାରତୀୟ ସ୍ତରୀୟ ୧୬ଟି ସିନେ ସମ୍ମାନ ମିଳି ସାରିଥିବା ବେଳେ ତାଙ୍କ ନାମକୁ ମଧ୍ୟ ଆଉ ୧୪ଟି ବର୍ଗର ପୁରସ୍କାର ପାଇଁ ସୁପାରିସ କରାଯାଇଛି।
ମୁମ୍ବାଇରେ ୧୯୮୫ ଜୁନ୍ ୧୯ ତାରିଖରେ ଏକ ବ୍ୟବସାୟୀ ପରିବାରରେ ଜନ୍ମିତ କାଜଲ ଗଣଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିବା ସହ ଏମ୍ବିଏ ପାଠ୍ୟକ୍ରମ ମଧ୍ୟ ସାରିଛନ୍ତି। ତେବେ ପିଲାଦିନୁ ଭାରତୀୟ ସିନେମାରେ ଅଭିନୟ କରିବାର ରୁଚି ରଖିଥିବା କାଜଲ ୨୦୦୪ରେ ତାଙ୍କର ସ୍ବପ୍ନ ସାକାର କରିଥିଲେ ହିନ୍ଦୀ ସିନେମା ‘କ୍ୟୁଁ…! ହୋ ଗୟା ନା’ରେ ପ୍ରଥମ ପଦାର୍ପଣ କରି। ମାତ୍ର ଉକ୍ତ ସିନେମାଟି ବିଳମ୍ବିତ ହୋଇ ୨୦୦୮ରେ ମୁକ୍ତିଲାଭ କରିଥିଲା। ଏହି ଅବସରରେ ୨୦୦୭ରେ ତେଲୁଗୁ ଫିଲ୍ମ ‘ଲକ୍ଷ୍ମୀ କଲ୍ୟାଣମ୍’ରେ ତାଙ୍କର ପ୍ରଥମ ଯୋଗଦାନ ମଧ୍ୟ ସେଭଳି ଲୋକପ୍ରିୟତା ଆଣିପାରିନଥିଲା।
ଏହାପରେ ତାଙ୍କର ଦ୍ବିତୀୟ ତେଲୁଗୁ ସିନେମା ‘ଚନ୍ଦାମାମା’ ଅପେକ୍ଷାକୃତ ଭଲ ବ୍ୟବସାୟ କରିବା ସହ କାଜଲଙ୍କ ପାଇଁ ଫିଲ୍ମ ଦୁନିଆରେ ଏକ ସୁରକ୍ଷିତ ସ୍ଥାନ ପକ୍କା କରି ପାରିଥିଲା। ସେହିପରି ୨୦୦୮ରେ ମୁକ୍ତିଲାଭ କରିଥିବା ତାଙ୍କର ପ୍ରଥମ ତାମିଲ ଫିଲ୍ମ ‘ପଝାନି’ ସମେତ ଅନ୍ୟ ଦୁଇଟି ଫିଲ୍ମ ମଧ୍ୟ ଆଶାତୀତ ସଫଳତା ଯୋଗାଇଥିଲା। ଅପରପକ୍ଷେ, ସେହିବର୍ଷ ତାଙ୍କ ଅଭିନୀତ ତେଲୁଗୁ ଫିଲ୍ମ ‘ପୌରୁଡୁ’ ଓ ‘ଆତଦିଷ୍ଟ’ ଯଦିଓ ବକ୍ସ ଅଫିସରେ ହିଟ୍ ହୋଇଥିଲା, ତାଙ୍କୁ କିନ୍ତୁ ସେଭଳି ଦର୍ଶକୀୟ ସ୍ବୀକୃତି ମିଳିନଥିଲା। ତେବେ ତାଙ୍କ ଅଭିନୟ ଜୀବନର ଅସଲ ମୋଡ଼ ଆସିଥିଲା ୨୦୦୯ରେ ବ୍ୟୟସାପେକ୍ଷ ତେଲୁଗୁ ଐତିହାସିକ ଫିଲ୍ମ ‘ମଗଧୀରା’ରେ। ଏଥିପାଇଁ ତାଙ୍କ ନାମକୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ସମ୍ମାନ ପାଇଁ ସୁପାରିସ କରାଯାଇଥିଲା। ଏହାପରେ ସେ ଆଉ ପଛକୁ ଫେରିବାର ଅବକାଶ ନାହିଁ।
ଗୋଟିଏ ପରେ ଗୋଟିଏ ପ୍ରାୟ ପଚାଶ ସରିକି ତେଲୁଗୁ, ତାମିଲ ଓ କନ୍ନଡ଼ ଭାଷାର ସିନେମାରେ ଅଭିନୟ କରିବା ସହ ବିଭିନ୍ନ ସମୟରେ ମଧ୍ୟ ପୁରସ୍କାରମାନ ସାଉଁଟି ଚାଲିଛନ୍ତି। ‘ମଗଧୀରା’ ପରେ ୨୦୧୦ରେ ତେଲୁଗୁ ଫିଲ୍ମ ‘ଡାର୍ଲିଂ’, ୨୦୧୧ରେ ‘ମି. ପରଫେକ୍ଟ’ ଓ ୨୦୧୪ରେ ‘ଗୋବିନ୍ଦୁଡୁ ଆନ୍ଦାରିବଦଲେ’ ପାଇଁ ମଧ୍ୟ ତାଙ୍କ ନାମକୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଏବଂ ୨୦୧୨ରେ ହିନ୍ଦୀ ଫିଲ୍ମ ‘ସିଂହମ୍’ ପାଇଁ ଶ୍ରେଷ୍ଠ ନବାଗତା ଭାବରେ ମଧ୍ୟ ତାଙ୍କ ନାମକୁ ଫିଲ୍ମଫେୟାର ସମ୍ମାନ ପାଇଁ ସୁପାରିସ କରାଯାଇଥିଲା। ଏଥି ସହିତ ସେ ଶ୍ରେଷ୍ଠ ତାମିଲ ଓ ତେଲୁଗୁ ଅଭିନେତ୍ରୀ ଭାବରେ ସିନେମା ସମ୍ମାନ, ବିଜୟ ସମ୍ମାନ, କସ୍ମୋପଲିଟାନ ସମ୍ମାନ, ଏଡ଼ିସନ୍ ସମ୍ମାନ ଓ ଜୀ ତେଲୁଗୁ ଅପସରା ସମ୍ମାନ ଆଦି ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ତାଙ୍କୁ ୨୦୧୩ରେ ‘ଫେମିନା ପେନ୍ନ ଶକ୍ତି ସମ୍ମାନ’ ମିଳିବା ସହ ୨୦୧୬ରେ ହାଇଦ୍ରାବାଦ ଟାଇମ୍ସ ପକ୍ଷରୁ ଶ୍ରେଷ୍ଠ ଆକାଂକ୍ଷିତ ମହିଳା ଭାବେ ବିବେଚିତ କରାଯାଇଥିଲା।
ଚଳିତବର୍ଷ ଆସିଥିବା ତାଙ୍କ ଅଭିନୀତ ତେଲୁଗୁ ଫିଲ୍ମ ‘ଆଚାର୍ଯ୍ୟ’ ଓ ତାମିଲ ଫିଲ୍ମ ‘ହେ ସିନାମିକା’ରେ ପ୍ରଶଂସକମାନଙ୍କୁ ସେ ଭରପୂର ମନୋରଞ୍ଜନ ଯୋଗାଇଥିବା ବେଳେ ଆଗକୁ ମୁକ୍ତିଲାଭ ହେବାକୁ ଥିବା ତାମିଲ ସିନେମା ‘ଇଣ୍ଡିଆନ୍-୨’ରେ ମଧ୍ୟ ସେ ଅଧିକ ଆପ୍ୟାୟିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।