ଦୁଇ ଭାଇଙ୍କ ବେଆଇନ୍ ବନ୍ଧୁକ କାରଖାନା ଠାବ; ବିପୁଳ ଅସ୍ତ୍ର ସାମଗ୍ରୀ ଜବତ

 

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି , ୨୭/୯/୨୦୨୫) : ଦୁଇ ଭାଇ କରୁଥିଲେ ବେଆଇନ୍ ବନ୍ଧୁକ ବେପାର । ଅନୁଗୋଳ ଜିଲ୍ଲା ଜରାପଡ଼ା ଥାନା ଦୁର୍ଗାପୁର ଗାଁରେ ବନ ବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରିଛି । ବେଆଇନ ଦେଶୀ ବନ୍ଧୁକ ତିଆରି କାରଖାନା ଓ ବେଆଇନ କାଠ ଗୋଦାମ ଠାବ କରାଯାଇଛି ।

ଗିରଫ ହୋଇଛନ୍ତି ଦୁଇ ଭାଇ ଅଭୟ ନାଏକ ଓ ମଳୟ ନାଏକ । ଘଟଣାସ୍ଥଳରୁ ବନ୍ଧୁକ ତିଆରି ସାମଗ୍ରୀ, ବାରୁଦ, ସିସା ଗୁଳି ସହ ବିପୁଳ ପରିମାଣର ଶାଗୁଆନ, ଶାଳ କାଠ ଏବଂ କାଠ କଟା ମେସିନ୍‌ ଜବତ ହୋଇଛି ।

ଚଢ଼ାଉ ବେଳେ ଦେଶୀ ବନ୍ଧୁକ ତିଆରି ପାଇଁ ବ୍ୟବହୃତ ୨ଟି ବ୍ୟାରେଲ, ୨ଟି ଗଜବାଡ଼ି, ଅଙ୍କୁଲା କାଠରେ ତିଆରି ଅଧାଗଢା ଫ୍ରେମ, ୨୦ ଗ୍ରାମ ବାରୁଦ, ୨୩ଟି ସୀସା ଗୁଳି ଓ ଅନ୍ୟ ସରଞ୍ଜାମ ଜବତ ହୋଇଛି । ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଅଭୟ ନାଏକ ଓ ମଳୟ ନାଏକ ବେଆଇନ କାଠ ଚିରାଇ ଫର୍ଣ୍ଣିଚର ତିଆରି କରୁଥିଲେ ।

ସେଠାରୁ ୧୪ ଖଣ୍ଡ ଶାଗୁଆନ କାଠ ପଟା, ୧୨ ଖଣ୍ଡ ଶାଳ କାଠ ସହ ଗଛ କଟା ମେସିନ, ୨ଟି ଇଲେକ୍ଟ୍ରିକ କରତ, ୨ଟି ଜିଗଜାଗ କଟିଂ ମେସିନ ଓ ଗୋଟିଏ କାଠ ପଲିସ ମେସିନ ଜବତ କରାଯାଇଛି । ଜରାପଡ଼ା ଫରେଷ୍ଟ ରେଞ୍ଜରେ ଜଙ୍ଗଲ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି ।