ଝିଅ ବିଦାୟୀରୁ ମୃତ୍ୟୁଲୋକ; ବସ ତଳେ ଚାପି ହୋଇ ଚାଲିଗଲା ନିରୀହ ଜୀବନ

ଅନ୍ଧାର ରାତିରକେ ମାଡି ବସିଲା ମୃତ୍ୟୁର ଦୂତ ନେଇଗଲା ଜୀବନ

 

-ଗଂଜାମ ଦିଗପହଣ୍ଡିରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା

-ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା

-ଦୁଇ ବସର ଅନେକ ଯାତ୍ରୀ ଆହତ

-ସମସ୍ତ ଆହତ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି

-OSRTC ବସ ଓ ଘରୋଇ ବସ ମଧ୍ୟରେ ହୋଇଛି ଧକ୍କା

ଓଡ଼ିଆ ଗସିପ୍ ବ୍ୟୁରୋ: କିଏ ଜାଣିଥିଲା କନ୍ୟାବିଦାୟୀରୁ ଶେଷ ଯାତ୍ରାର ବାଟୋଇ ହେବେ ବୋଲି ? ସମସ୍ତେ ତ ହସ ଖୁସି ଆନନ୍ଦ ଉଲ୍ଲାସରେ ଘରୁ ବାହାରିଥିଲେ । କନ୍ୟା ବିଦାୟୀ ବେଳେ ଝିଅ ବିଦାର ଦୁଃଖ ଓ ଲୁହ ଶୁଖିନଥିବା ବେଳେ ଏବେ ଆତ୍ମୀୟଙ୍କ ଏମିତି ଅକାଳ ମୃତ୍ୟୁକୁ କିଏ କେମିତି ବା ସହଜରେ ଗ୍ରହଣ କରିପାରିବ ? ଝିଅ ପାଇଁ ସବୁ କିଛି ଉପହାର ଦେଇଥିଲେ ବାପା ମାଆ । ହେଲେ ସାଙ୍ଗରେ ଶାଶୁ ଘର ଯ।ଏ ଯାଇଥିଲେ ସମ୍ପର୍କୀୟ ଓ ପଡ଼ୋଶୀ । ହେଲେ କଣ ହେଲା କେଜାଣୀ କେହି ବି ଆଉ ଘରକୁ ଫେରିଲେନି । ଝିଅରୁ ଶାଶୁଘର ସିଧା ଯମପୁରୀକୁ ଚାଲିଗଲେ ଅଧାରୁ ଅଧିକ ଲୋକ । ଆଉ ଯେତକ ରହିଲେ ସେମାନେ ଏବେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହଁ ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣା କଥା ଦୋହରାଉଛୁ । 

ହଁ ଯେମିତି କି ଆମେ ପୂର୍ବରୁ ଆପଣଙ୍କୁ ଅବଗତ କରାଇଥିଲୁ ଯେ, ଏକ ଘରୋଇ ବସ୍ ସହ ଓଏସଆରଟିସିର ବସ୍ ସହ ମୁହାଁ ମୁହିଁ ଧକ୍କା ହେବାରୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବର୍ତ୍ତମାନର ଅପଡେଟ୍ ଅନୁସାରେ ଏବେ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସେହି ମୃତକମାନଙ୍କର ପରିଚୟ ମିଳିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ୬ ପୁରୁଷ ଓ ଦୁଇ ଶିଶୁ ଥିବା ଜଣାଯାଇଛି। ମୃତକମାନେ ହେଲେ ଶିବାନୀ ପ୍ରଧାନ(୨୫), ରୁପାଲି ପ୍ରଧାନ (୨୩), ସୁଜ୍ଞାନୀ କୁମାରୀ ପ୍ରଧାନ(୩୧), ସଙ୍ଗୀତା ଡାକୁଆ(୩୨), ଲିଟୁ ନାୟକ(୪୦), ତ୍ରିପତି ପ୍ରଧାନ(୪୮), ରମେଶ ପ୍ରଧାନ(୬୨) , ସୀତାରାମ ପ୍ରଧାନ(୬୦), ସଞ୍ଜୟ ମେଦିନ ରୟ(୫୦), ଶୁଭେନ୍ଦୁ ପ୍ରଧାନ(୩୨), ଦିବାଂଶୁ ପ୍ରଧାନ(୩) ଏବଂ ହାର୍ଦ୍ଧିକ(୧)।

ପ୍ରାଥମିକ ସୂଚନା ଅନୁସାରେ, ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସ୍‌ଆର୍‌ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ନିକଟରେ ବିବାହ ପରେ କନ୍ୟାକୁ ଛାଡ଼ି ବ୍ରହ୍ମପୁରରୁ ଫେରୁଥିବା ଏକ ଘରୋଇ ମିନିବସ୍‌ ସହ ମୁହାଁମୁହିଁ  ଧକ୍କା ହେବାରୁ ଏହି ଅଘଟଣ ଘଟିଛି ବୋଲି ଖବର ମିଳିଛି । ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତମାନଙ୍କୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ରହିଛି।