ସାବାସ ଯବାନ; ମହାରାଷ୍ଟ୍ରରେ ମରିଲେ ଏତିକି ମାଓବାଦୀ

 

ଓଡ଼ିଆ ଗସି ବ୍ୟୁରେୋ: ମହାରାଷ୍ଟ୍ର ଗଢ଼ଚିରୌଲୀ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ମହାରାଷ୍ଟ୍ର ପୁଲିସର ସି-୬୦କମାଣ୍ଡୋମାନଙ୍କ ସହ ଗୁଳି ବିନିମୟ କରି ଅନ୍ୟୂନ ୧୩ଜଣ ମାଓବାଦୀ ନିହତ ହୋଇଥିବା କଥା ଶୁକ୍ରବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି।

ସଭା କରିବା ଲାଗି ମାଓବାଦୀମାନେ କୋତମି ଫାଣ୍ଡି ନିକଟବର୍ତ୍ତୀ ପୈଠି ଜଙ୍ଗଲରେ ସମବେତ ହୋଇଥିବା ବେଳେ ଭୋର୍‌ ପ୍ରାୟ ୫.୩୦‌ରେ ଗୁଳିବିନିମୟ ଆରମ୍ଭ ହୋଇଥିଲା ବୋଲି ଗଢ଼ଚି‌ରୌଲୀ ଡିଆଇଜିସନ୍ଦୀପ ପାଟିଲ ଗଣମାଧ୍ୟମକୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ସି-୬୦ଙ୍କୁ ନେଇ ଗଠିତ ପୁଲିସ ଦଳ ପୈଠି ଜଙ୍ଗଲରେ ତଲାସ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ, ମାଓବାଦୀମାନେ ପୁଲିସକୁ ଦେଖି ପକାଇ ଆଗୁଆ ଗୁଳି ଚଳାଇଥିଲେ।

ପ୍ରାୟ ଏକ ଘଣ୍ଟା ଧରି ପୁଲିସ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଏହାପରେ ବାକି ମାଓବାଦୀମାନେ ଚତୁର୍ପାଶ୍ବରେ ଥିବା ଜଙ୍ଗଲ ମଧ୍ୟକୁ ପଶି ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ ବୋଲି ଗଢ଼ଚିରୌଲୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଙ୍କିତ ଗୋୟାଲ ଗଣମାଧ୍ୟମକୁ କହିଛନ୍ତି। ଘଟଣାସ୍ଥଳରୁ ନିହତ ମାଓବାଦୀମାନଙ୍କର ଶବ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଆଖପାଖ ଅଞ୍ଚଳରେ ତଲାସ ଅଭିଯାନ ଚାଲୁ ରହିଥିବା ସେ ସୂଚନା ଦେଇଛନ୍ତି।