ରକ୍ତମୁଖା ରାଜଧାନୀ ଭୁବନେଶ୍ୱର;ରାତିରେ ଫୁଟିଲା ଗୁଳି, ଝାରପଡ଼ାରେ ପ୍ରବଳ ପୋଲିସ

 

ଓଡ଼ିଆ ଗସିପ୍ ବ୍ୟୁରୋ;  ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଗର୍ଜନ କରିଛି ଗୁଳି । ବନ୍ଧୁକରୁ ବାହାରି ଗୁଳି ଦୁଇ ଜଣଙ୍କୁ ମାଡ଼ କରିଛି । ଘଟଣା ଘଟିଛି ରାଜଧାନୀର ଅନ୍ୟତମ କ୍ରାଇମ ସ୍ପଟ ଲକ୍ଷ୍ମୀ ସାଗର ଅଞ୍ଚଳରେ । ଖବର ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଝାରପଡା ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ରାସ୍ତାରେ ସାଇଡ୍ ମରାକୁ ନେଇ ଏନେଇ ତୁମୁଳକାଣ୍ଡ ଘଟିଛି।  ବିବାଦ ଏତେ ବ୍ୟାପକ ରୂପ ନେଇଥିଲା ଯେ, ଗୁଳିମାଡ଼ରେ ଦୁଇ ଜଣ ବିଜେଡି କର୍ପୋରେଟର ଆହତ ହୋଇଛନ୍ତି ।

 

ଆହତଙ୍କ ମଧ୍ୟରେ ରହିଛନ୍ତି ଶ୍ରୀଧର ଜେନାଙ୍କ ଭାଇ ଶିଖର ଜେନା ଓ ସମ୍ପର୍କୀୟ ଆଲୋକ କୁମାର ଜେନା। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀସାଗର ଥାନାଠାରୁ ଅଳ୍ପ ଦୂରରେ ଏହି ଗୁଳିକାଣ୍ଡ ଘଟିଛି। ଅଭିଯୁକ୍ତମାନେ ଘଟଣାସ୍ଥଳରେ ୧୨ ରାଉଣ୍ଡ ଗୁଳି ଫୁଟାଇଥିବା କୁହାଯାଉଛି। ଏହି ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଗୋଷ୍ଠୀ ସଂଘର୍ଷ ଉଗ୍ର ହେବାର ଆଶଙ୍କା ଥିବାରୁ ଝାରପଡ଼ାରେ ବହୁ ସଂଖ୍ୟାରେ ଫୋର୍ସ ମୁତୟନ କରାଯାଇଛି।...

 

ସେପଟେ ଏହି ଘଟଣାରେ ବ୍ୟବହୃତ ହୋଇଥିବା ବନ୍ଧୁକକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । କେଉଁଠୁ ଆସିଲା କିଏ ଆଣିଲା କେମତି ଆସିଲା ଇତ୍ୟାଦି । ସେପଟେ ଏନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ପୁଲିସ ସମ୍ମୁଖରେ ଗୁଳିକାଣ୍ଡକୁ ଡିସିପି ଶ୍ରୀ ସିଂ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପୁଲିସ ପହଞ୍ଚିବା ପୂର୍ବରୁ ଗୁଳିକାଣ୍ଡ ଘଟିଥିଲା। ପୁଲିସକୁ ଦେଖି ଅଭିଯୁକ୍ତ ଫେରାର୍‌ ହୋଇଯିବାକୁ ଉଦ୍ୟମ କରିଥିଲେ। ହେଲେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣଙ୍କୁ କାବୁ କରିବା ସହ ଗୋଟିଏ ବନ୍ଧୁକ ଜବତ କରିଛି। ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଶ୍ରୀ ସିଂ କହିଛନ୍ତି।