ଆର୍ଯ୍ୟସମାଜ ସମ୍ପତ୍ତି ହଡ଼ପ ଷଡ଼ଯନ୍ତ୍ର ମାମଲା : ପୁଲିସ ସ୍କାନରରେ ମୁଖ୍ୟ ଅଭିଯୁକ୍ତ, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

 

ଭୁବନେଶ୍ୱର (ଓଡ଼ିଆ ଗସିପ ବ୍ୟୁରୋ): ଭୁବନେଶ୍ୱର ଆର୍ଯ୍ୟସମାଜକୁ କବ୍ଜା କରିବା ଷଡ଼ଯନ୍ତ୍ରରେ ସାମିଲ ଥିବା କେତେକ ଆତ୍ମଘୋଷିତ ସଦସ୍ୟ ଓ ପୂର୍ବତନ ସଂପାଦକଙ୍କ ସମେତ ସୁଦର୍ଶନ ପାତ୍ର ଓରଫ ସୁଦର୍ଶନ ଦେବଙ୍କ ଅପରାଧିକ ରେକର୍ଡ ସମ୍ପର୍କରେ ଖୋଳତାଡ ଆରମ୍ଭ କରିଛି ପୁଲିସ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନୂଆପଡ଼ା ଗୁରୁକୁଳର ସଂସ୍ଥାପକ ସୁଦର୍ଶନଙ୍କ ଆଶ୍ରମରେ ୨୦୧୮ ମସିହାରେ ହୋଇଥିବା ଜଣେ ବ୍ରହ୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ ଖୋଳତାଡ ଆରମ୍ଭ କରିଥିବା ବେଳେ ସୁଦର୍ଶନଙ୍କ ଏକାନ୍ତ ସହଯୋଗୀ ପ୍ରଶାନ୍ତ ଦାଶଙ୍କ ଅପରାଧିକ ମାମଲାର ମଧ୍ଯ ଖୋଳତାଡ ଆରମ୍ଭ ହୋଇଛି ।

ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ କିଛି ବର୍ଷ ତଳେ ପ୍ରଶାନ୍ତ ଦାଶ ଟାଟା ମୋଟର୍ସର ରିକଭରୀ ଦାୟିତ୍ୱରେ ଥିବାବେଳେ ଲକ୍ଷାଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ସହିଦନଗର ଥାନାରେ ମାମଲା ରୁଜୁ ହୋଇ ଜେଲ ଯାଇଥିଲେ । ସୁଦର୍ଶନ ନିଜ ଗୁରୁକୁଳ ଆଶ୍ରମରେ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟରେ ନିୟୋଜିତ ଥିବା ପୁଲିସ ଜାଣିବାକୁ ପାଇଛି । ପୂର୍ବରୁ ଆମସେନା ଗୁରୁକୂଳରେ ଥିବା ବେଳେ ସୁଦର୍ଶନଙ୍କ ନାମରେ ସମାନ ଅଭିଯୋଗ ଆସିଥିଲା ଓ ପୁଲିସ ଏହାର ତଦନ୍ତ କରିଥିଲା । କିନ୍ତୁ ଘଟଣାକୁ ଚାପିଦେବାକୁ ସେ ସମର୍ଥ ହୋଇଥିଲେ ।

ସେହିଭଳି ଏହି ବିବାଦରେ ସମ୍ପୃକ୍ତ ଥିବା ବାଲେଶ୍ଵରର ଜଣେ ପତଞ୍ଜଳି ଔଷଧ ବ୍ୟବସାୟୀ ସୋମନାଥ ପାତ୍ରଙ୍କ ନାମରେ ଖଣି ଦୁର୍ନୀତି ନେଇ (NBW) ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ଜଣା ପଡ଼ିଛି । ଯାହାର ଛାନଭିନ କରିବା ଆରମ୍ଭ କରିଛି ପୁଲିସ ।

ଅଧ୍ୟାପକ ବିକାଶ ପଣ୍ଡା କୃଷି ବୈଷୟିକ ଶିକ୍ଷା ଅନୁଷ୍ଠାନ (OUAT) ରେ ଚାକିରୀ କରୁଥିବା ସମୟରେ ହୋଇଥିବା ଆର୍ଥିକ ଅନିୟମିତତା ଓ ନିଜକୁ ଅନ୍ୟତମ ସଦସ୍ୟା ବୋଲି ଦାବୀ କରୁଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିନୋଦିନୀ ପଣ୍ଡା ଚାକିରୀରେ ଥିବା ବେଳେ ଏପରିକି ବଲାଙ୍ଗୀର, କଳାହାଣ୍ଡି, ଫୁଲବାଣୀ ଆଦି ଜିଲାରେ ତହସିଲଦାର ଥିବାବେଳେ ବ୍ୟାପକ ଅର୍ଥ ବାଟମାରଣା କରିଥିବା ଏବଂ ଡାଲି, ଚାଉଳ ହେରଫେରରେ ସଂପୃକ୍ତ ଥିବାନେଇ ଅଭିଯୋଗ ହୋଇଥିଲା । ତାଙ୍କରି ସମୟରେ ତୁରେକେଲା ତହସିଲ ଅଫିସ ପୋଡ଼ି ଘଟଣା ଘଟିଥିଲା । ତେଣୁ ତାଙ୍କୁ ଅଗତ୍ୟା ବଦଳି କରାଯାଇଥିଲା ।

ଏସବୁ ଘଟଣା ଜଣା ପଡ଼ିବା ପରେ କମିସନରେଟ, ବାଲେଶ୍ଵର ଓ ନୂଆପଡ଼ା ପୁଲିସ ଛାନଭିନ ଆରମ୍ଭ କରିଛନ୍ତି । ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ଆର୍ଯ୍ୟସମାଜ ଦଖଲ ଷଡ଼ଯନ୍ତ୍ରରେ ପୁଲିସ ସ୍ପେଶାଲ ବ୍ରାଞ୍ଚର ଜଣେ ମହିଳା ଇନ୍ସପେକ୍ଟର ସଂପୃକ୍ତ ଥିବା ନେଇ ତାଙ୍କୁ ନୋଟିସ୍ ଜାରି ହୋଇଛି ।