ସହାୟତା ପାଇବେ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସହାୟତା ପାଇବେ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ସହାୟତା ପାଇବେ ସହିଦ କୋଭିଡ ଯୋଦ୍ଧାଙ୍କ ପରିବାର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶହୀଦ କୋଭିଡ ଯୋଦ୍ଧା ମାନଙ୍କ ପରିବାର ଯେପରି ସହାୟତା ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁ କୋଭିଡ ଯୋଦ୍ଧାମାନେ କୋଭିଡ ଯୁଦ୍ଧରେ ପ୍ରାଣବଳି ଦେଇଛନ୍ତି, ସେମାନଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ ଓ ସେମାନଙ୍କ ବିଭାଗ ଦାୟିତ୍ବରେ ରହିବେ । ଏ କ୍ଷେତ୍ରରେ ସାମାନ୍ୟତମ ଅବହେଳାକୁ ମଧ୍ୟ ବରଦାସ୍ତ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡ ହସ୍‌ପିଟାଲ ଓ କୋଭିଡ କେୟାର ହୋମ୍‌ରେ ପ୍ରଦାନ କରାଯାଉଥିବା ସମସ୍ତ ଚିକିତ୍ସା ଓ ସେବାର ମାନ ଉପରେ ସମସ୍ତେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହିତ ଆମ୍ବୁଲାନ୍‌ସ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆଣିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ ବି ମଧ୍ୟ ଗୃହ ସଂଗରୋଧ ସଂପର୍କରେ ବିଭିନ୍ନ ପ୍ରକାର ଭ୍ରାନ୍ତଧାରଣା ଲୋକଙ୍କ ମନରେ ରହୁଛି । ତେଣୁ ଏଥିପାଇଁ ଏକ ପ୍ରଭାବୀ IEC (ସୂଚନା, ମନୋରଂଜନ ଓ ସଂଚାର) କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଏହାକୁ ସର୍ବାଧିକ ପ୍ରାଥମିକତା (Top Priority) ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଅଧିକାରୀମାନଙ୍କ ସହିତ କୋଭିଡ ଯୁଦ୍ଧରେ ସଂପୂର୍ଣ୍ଣ ଭାବେ ସାମିଲ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଆସନ୍ତାକାଲି ରାଜ୍ୟରେ କୋଭିଡ ରୋଗରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାପର କାର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ଆସନ୍ତାକାଲି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମର ଦୁଇଟି ଅଂଶ ରହିବ ।

୧. କୋଭିଡ ଯୁଦ୍ଧରେ ପ୍ରାଣବଳି ଦେଇଥିବା କୋଭିଡ ଯୋଦ୍ଧାମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଓ ନୀରବ ପ୍ରାର୍ଥନା ।

୨. ଓଡିଶାର ଜନସାଧାରଣଙ୍କ ଦ୍ବାରା ଶପଥ ପାଠ । ଏଥିରେ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା ସହିତ ସେମାନଙ୍କ କାର୍ଯ୍ୟରେ ସହଯୋଗ ଏବଂ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଜାରି ହୋଇଥିବା ସମସ୍ତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଶପଥ କରାଯିବ ।

ରାଜ୍ୟର ବିଭିନ୍ନ ଅଂଚଳକୁ ପିଜି ଡାକ୍ତରମାନଙ୍କୁ ପଠାଯାଈଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ।

କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ
ଆମ୍ବୁଲାନ୍‌ସ ସେବାକୁ ଅଧିକ ଫଳପ୍ରଦ କରିବା ପାଇଁ ଆବଶ୍ୟକ ସଂଖ୍ୟକ ଆମ୍ବୁଲାନ୍‌ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦିଆଯାଇଛି ।

ପ୍ଲାଜମା ଥେରାପି ସଂପର୍କରେ ସୂଚନା ଦେଇ ସେ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧୦୩ ୟୁନିଟ୍‌ ପ୍ଲାଜମା ସଂଗ୍ରହ ହୋଇଥିବା ବେଳେ ୫୮ ଜଣଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଇଛି । ତନ୍ମଧ୍ୟରୁ ୧୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଅନ୍ୟମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେଇଛି। ସାରା ରାଜ୍ୟରେ ଚାଲିଥିବା ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଛି ଏବଂ ଏଥିରେ ୯୯ ପ୍ରତିଶତ ଘର ସର୍ଭେ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଗଞ୍ଜାମ ଗସ୍ତରେ ଯିବେ ବୋଲି ଜଣାଯାଇଛି ।

ଏହି ଅବସରରେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ସେଠାରେ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

Share this story

World Odia Language Conferene