ସପୁରୀ ଭିତରେ ବାଣ ଦେଇ ହାତୀକୁ ମାରିଲା ଜଲ୍ହାଦ

ସପୁରୀ ଭିତରେ ବାଣ ଦେଇ ହାତୀକୁ ମାରିଲା ଜଲ୍ହାଦ
ସପୁରୀ ଭିତରେ ବାଣ ଦେଇ ହାତୀକୁ ମାରିଲା ଜଲ୍ହାଦ

ଓଡ଼ିଆ ଗସିପ୍ ବ୍ୟୁରୋ: କଳିଯୁଗ ମଣିଷ କେତେ ତଳକୁ ଖସିପାରେ ତାହାର ଆଜି ଜ୍ୱଳନ୍ତ ଉଦାହରଣ ଦେଖିଲା ଦେଶ । ବିଦେଶରେ ବି ଭାଗବାନଙ୍କ ଦେଶରେ ଏମିତି କିଛି କାଣ୍ଡ ଘଟିଛି ଯାହା ମଣିଷ ପଣିଆକୁ ମାରି ଦେଇଛି । ସତରେ କଣ ମଣିଷ ଏତେ ତଳକୁ ଖସିପାରେ । ପଢ଼ନ୍ତୁ ଭଗବାନଙ୍କ ଦେଶ କୁହାଯାଉଥିବା କେରଳରୁ ଆସିଥିବା ଏକ ଲମୋ ଟାଙ୍କୁରା ପଶୁହତ୍ୟାର ହୃଦୟ ବିଦାରକ ଘଟଣା ।

ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଘୃଣ୍ୟ ଉଦାହରଣ । ଏଭଳି ଘଟଣା ଘଟିଛି କେରଳର ମଲ୍ଲାପୁରମ୍‌ରେ ।

ଅଭିଯୋଗ ଅନୁସାରେ, ଗତ ମାସ ୨୭ ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ । ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା । ମଣିଷର ଛଳନାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହାତୀ ପ୍ରାଣ ବିକଳରେ ଏକ ନଦୀ ଭିତରକୁ ପଶିଯାଇଥିଲା । ନଦୀରେ ଠିଆ ହୋଇଥିବା ଅବସ୍ଥାରେ ହିଁ ହାତୀଟିର ମୃତ୍ୟୁ ଘଟିଥିବା କୁହାଯାଉଛି ।

ଖବର ପାଇ ବନ କର୍ମଚାରୀ ନଦୀ ଭିତରୁ ହାତୀର ମୃତଦେହ ଉଦ୍ଧାର କରିଥିଲେ । ଏହି ଘଟଣାରେ ସାରା ଦେଶରେ ଜୀବପ୍ରେମୀଙ୍କ ମନରେ କ୍ଷୋଭ ସୃଷ୍ଟି ହୋଇଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନେକା ଗାନ୍ଧି ଉଭୟ ଦୋଷୀ ଓ ବନକର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ନୃଶଂସ ମଣିଷର ଜଘନ୍ୟ କାଣ୍ଡକୁ ଚାରିଆଡ଼ୁ ନିନ୍ଦା କରାଯାଇଛି । ଟ୍ୱିଟର୍‌ ଭଳି ଭଳି ଫଟୋ ଓ କାର୍ଡୁନ୍‌ ଶେୟାର୍ ହେବା ସହିତ ଘଟଣାକୁ କଡ଼ା ନିନ୍ଦା କରିବା ସହିତ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ମାମଲାଟି ଗତ ସପ୍ତାହର । ଏଠାରେ ଖାଦ୍ୟ ସନ୍ଧାନରେ ମଲ୍ଲାପୁରମ୍‌ ଜିଲ୍ଲା ଆଡ଼କୁ ଚାଲି ଆସିଥିଲା ଏକ ଗର୍ଭିଣୀ ହାତୀ । ତାକୁ ଯିଏ ଯାହା ଖାଇବାକୁ ଦେଉଥିଲା ସେ ତାକୁ ଖୁବ୍‌ ଖୁସିରେ ଖାଇଦେଉଥିଲା । କିନ୍ତୁ ସେ ଜାଣିନଥିଲା ଯେ ତା’ ସହ ଏକ ବଡ଼ ଧୋକା ହେବାକୁ ଯାଉଛି । ଏଠାରେ କିଛି ଲୋକ ସପୁରୀ ଭିତରେ ବାଣ ଲୁଚାଇ ହାତୀକୁ ଖାଇବାକୁ ଦେଇଥିଲେ ।

ସେ ଫଳ ଖାଇବାକୁ ଚେଷ୍ଟା କରିବା ବେଳେ ବାଣଟି ତା’ ମୁହଁରେ ହିଁ ଫୁଟିଯାଇଥିଲା । ଅସହ୍ୟ ଯନ୍ତ୍ରଣାରେ ନୀରୀହ ହାତୀଟି ଏଣେତେଣେ ଧାଇଁବାକୁ ଲାଗିଥିଲା । ବିସ୍ଫୋରଣ ଯୋଗୁ ତା’ ମୁହଁରେ ଗଭୀର ଆଘାତ ଲାଗିଥିଲା । ସମ୍ପୂର୍ଣ୍ଣ ଅଞ୍ଚଳରେ ରକ୍ତ ବିଛାଡ଼ି ହୋଇପଡ଼ିଥିଲା । ଯନ୍ତ୍ରଣାରେ ଛଟପଟ ହୋଇ ହାତୀଟି ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲା ।

ଏତେ ଯନ୍ତ୍ରଣା ପରେ ବି ସେ କୌଣସି ଲୋକର କି ଘରର କିଛି କ୍ଷତି କରିନଥିଲା । ଯନ୍ତ୍ରଣା ଲାଘବ ପାଇଁ ସେ ଏକ ନଦୀ ଭିତରକୁ ପଶିଯାଇଥିଲା । ମାତ୍ର ଭଗବାନ ବୋଧେ ତା’ କଷ୍ଟ ସହିପାରିଲେନି । ସେଥିପାଇଁ ତାକୁ ନିଜ ପାଖକୁ ନେଇଗଲେ । ହାତୀ ସହ ତା’ ଗର୍ଭରେ ବି ଥିବା ନିଷ୍ପାପ ଛୁଆଟି ବି ଦୁନିଆ ଦେଖିବା ପୂର୍ବରୁ ହିଁ ଆଖିବୁଜିଦେଲା ।

Share this story

World Odia Language Conferene