ଲଘୁଚାପ ଭୟ: ପାଣିପାଗ ବିଭାଗର ପୂର୍ବାନୁମାନ; କାଛି କାଛି ଭିଜେଇବ ବଡ଼ ବର୍ଷା

ଲଘୁଚାପ ଭୟ: ପାଣିପାଗ ବିଭାଗର ପୂର୍ବାନୁମାନ; କାଛି କାଛି ଭିଜେଇବ ବଡ଼ ବର୍ଷା
ଲଘୁଚାପ ଭୟ: ପାଣିପାଗ ବିଭାଗର ପୂର୍ବାନୁମାନ; କାଛି କାଛି ଭିଜେଇବ ବଡ଼ ବର୍ଷା

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା ରବିବାର ରାଜ୍ୟ ଭାଗରେ ରହିଛି ଚଳିତ ସତପ୍ତାହର ଦ୍ୱିତୀୟ ଲଘୁଚାପ । ଏହାର ପ୍ରଭାବ ରାଜ୍ୟର 10ଟି ଜିଲ୍ଲାରେ ପଡ଼ିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ-ପ୍ରେସର ପ୍ରଭାବରେ ସାରା ଓଡ଼ିଶାରେ ବର୍ତ୍ତମାନ ବର୍ଷା ଜାରି ରହିଛି ।

ଉପକୂଳରୁ ପଶ୍ଚିମ ଓଡ଼ିଶା ହେଉ ଅଥବା ଉତ୍ତରରୁ ଦକ୍ଷିଣ, ଗତ ୩୬ ଘଣ୍ଟା ମଧ୍ୟରେ ସବୁ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ଏବଂ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଏଥିସହ ଆସନ୍ତା ୯ ତାରିଖ ବେଳକୁ ଉତ୍ତର କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏକାଧିକ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଆଜି ପୁଣି ଥରେ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସତର୍କ କରାଇଛନ୍ତି ।

ବର୍ତମାନ ଓଡ଼ିଶା ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବାରୁ ଗୁରୁବାର ପୂର୍ବାହ୍ନ ସୁଦ୍ଧା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ । ତଳିଆ ଅଞ୍ଚଳର ବର୍ଷା ଜଳ ଜମିବାର ଆଶଙ୍କା ରହିଛି ।

ପରିସ୍ଥିତିରେ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯିବା ସହ ସମ୍ଭାବ୍ୟ ଜଳବନ୍ଦୀ ସମସ୍ୟାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ଏହାବ୍ୟତୀତ କଳାହାଣ୍ଡି, ନବରଙ୍ଗପୁର, କଟକ, ଢେଙ୍କାନାଳ, ଖୋର୍ଧା, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତ୍‌ସିଂହପୁର, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଏହି ସମୟ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ, ଏବେ ସୁଦ୍ଧା ୧୧ ପ୍ରତିଶତ କମ୍‌ ବର୍ଷା ହୋଇଛି । ୧୯ଟି ଜିଲ୍ଲା‌ରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ସ୍ବାଶଭାବିକଠାରୁ କମ୍‌ ବର୍ଷା ହୋଇଛି ।

ସ୍ବାଭାବିକଠାରୁ କମ୍‌ ବର୍ଷା ‌ହୋଇଥିବା ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ପରିମାଣ ଆଜି ସ୍ବାଭାବିକ ସ୍ଥିତିକୁ ଫେରିଛି । ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ନିଅଣ୍ଟିଆ ବର୍ଷା ପରିମାଣ କମିଛି ।

Share this story

World Odia Language Conferene