ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନାରେ ସାମିଲ ହୁଅ

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନାରେ ସାମିଲ ହୁଅ
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନାରେ ସାମିଲ ହୁଅ

ଓଡ଼ିଆ ଗସିପ୍ ବ୍ୟୁରୋ: ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି । କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର ଶିକାର ହୋଇଛି । ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି । ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ସାରା ବିଶ୍ବରେ ସର୍ବାଧିକ । ଆମ ଦେଶରେ ପରିସ୍ଥିତିର ଗମ୍ଭୀରତା ଏଥିରୁ ସ୍ପଷ୍ଟ ଅନୁମେୟ । ତେଣୁ ଆମେ ଏହାକୁ ଆଦୌ ହାଲକା ଭାବରେ ନେବା ଉଚିତ ନୁହେଁ ବୋଲି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତ ୫ ମାସ ହେଲା ଆମେ କରୋନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରଖିଛୁ ଏବଂ ଓଡିଶାର ଜନସାଧାରଣ ମଧ୍ୟ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହୋଇଛନ୍ତି ।

ଆସନ୍ତାକାଲି ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାର ଅତିକ୍ରମ କରିବ । କୋଭିଡ ଯୁଦ୍ଧରେ ଆମର ସଂଗ୍ରାମରେ ଏହା ହେଉଛି ମହତ୍ବପୂର୍ଣ୍ଣ ଘଟଣା । ସମସ୍ତଙ୍କ ସହଯୋଗରେ ଆମେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛୁ । ଆମର ମୃତ୍ୟୁ ହାର ୦.୫୭ ପ୍ରତିଶତ ଅଟେ, ଯାହାକି ସାରା ଦେଶରେ ସବୁଠାରୁ କମ୍ ‌। ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ମିଶନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆମର ଆରୋଗ୍ୟଙ୍କ ସଂଖ୍ୟାରେ ବୃଦ୍ଧି ଓ ମୃତ୍ୟୁହାର କମ୍‌ ରହିଛି । ଆମର ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ ଅହର୍ନିଶି ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି । ଆମ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ସେମାନେ ବିରାଟ ତ୍ୟାଗ ସ୍ବୀକାର କରୁଛନ୍ତି । ଏହି ଭୟାନକ ଯୁଦ୍ଧରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି ।

କୋଭିଡ ଯୋଦ୍ଧା ମାନଙ୍କର ମାନବ ଜାତି ପାଇଁ ଏହି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ମୁଁ ଏକ ନୀରବ ପ୍ରାର୍ଥନାର ନେତୃତ୍ବ ନେବି । ଆସନ୍ତାକାଲି ସଂଧ୍ୟା ୬ଟା ସମୟରେ ଏହି ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ଓଡିଶାର ମୋର ସାଢେ ଚାରି କୋଟି ଭାଇଭଉଣୀ ମାନଙ୍କୁ ଅନୁରୋଧ କରୁଛି ।

ଏହି ପ୍ରାର୍ଥନା ସଭା ପରେ ପରେ ଆମେ ସମସ୍ତେ ଏକ ଶପଥ ନେବା । କୋଭିଡ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ ନିୟମାବଳୀର କଡାକଡି ପାଳନ ସଂପର୍କରେ ଏହା ଆମକୁ ଦାୟିତ୍ବବାନ ଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେବ ।

ଆମର କୋଭିଡ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ ଯୁଦ୍ଧରେ ଆମର ଦାୟିତ୍ବ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ ।

ମୋର ଅନୁରୋଧ ଆସନ୍ତାକାଲି ସଂଧ୍ୟା ୬ଟାରେ ଆପଣମାନେ ନିଜ ଘରେ ବା ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରନ୍ତୁ ଏବଂ ଏ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ । ମୁଁ ନିଜେ ଆପଣମାନଙ୍କୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବି ବୋଲି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି ।

Share this story

World Odia Language Conferene